ମୁମ୍ବାଇ: ଷ୍ଟକ୍ ବଜାର କାରବାରରେ ଅସ୍ଥିରତା ଲାଗି ରହିଛି। ମଙ୍ଗଳବାର ନିବେଶକମାନେ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ସେନ୍ସେକ୍ସ ୮୨୧ ପଏଣ୍ଟ ତଳକୁ ଖସି ୭୮,୬୭୫ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ନିବେଶକମାନଙ୍କ ୫.୭୬ ଲକ୍ଷ କୋଟି ଟଙ୍କା ଡୁବିଯାଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୫୮ ପଏଣ୍ଟ ହ୍ରାସ ପାଇ ୨୩,୮୮୩ ପଏଣ୍ଟରେ ବନ୍ଦ ହୋଇଛି। ଏନ୍ଟିପିସି, ଏଚ୍ଡିଏଫ୍ସି ବ୍ୟାଙ୍କ, ଏସିଆନ୍ ପେଣ୍ଟସ୍, ଏସ୍ବିଆଇ, ଟାଟା ମୋଟର୍ସ ଓ ମାରୁତି ସୁଜୁକିର ସେୟାର ମୂଲ୍ୟ ହ୍ରାସ ପାଇଛି। ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବା ବେଳେ କମ୍ପାନିଗୁଡ଼ିକର ଦ୍ବିତୀୟ ତ୍ରୈମାସିକ କାରବାର ଦୁର୍ବଳ ରହିବାରୁ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏଭଳି ଏକ ସମୟରେ ଏସିଆର ବିଭିନ୍ନ ଷ୍ଟକ୍ ବଜାରରେ କାରବାର ମାନ୍ଦା ରହିବାରୁ ଭାରତରେ ମଧ୍ୟ ତାହାର ପ୍ରଭାବ ପଡ଼ିଥିଲା। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଲଗାତାର ଭାବେ ଦୁର୍ବଳ ହେବା ମଧ୍ୟ ନିବେଶକଙ୍କ ଚିନ୍ତାର ଅନ୍ୟତମ କାରଣ।
ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବା ପରେ ଅର୍ଥନୀତିକୁ ନେଇ ତାଙ୍କର କ’ଣ ଆଭିମୁଖ୍ୟ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନଥିବାରୁ ନିବେଶକମାନେ କୌଣସି କ୍ଷେତ୍ର ବିଷୟରେ କିଛି ବି ସ୍ପଷ୍ଟ ହୋଇପାରୁନାହାନ୍ତି। ବିଦେଶୀ ନିବେଶକମାନେ ଲଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରିବା ଯୋଗୁଁ ଚାପ ପଡ଼ୁଥିବା ବେଳେ ଏପଟେ ଦେଶ ଭିତରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିବାରୁ ଖୁଚୁରା ମୁଦ୍ରାସ୍ଫୀତି ପୁଣି ଥରେ ସୀମା ବାହାରକୁ ଚାଲିଯାଇଛି। ସେଥିପାଇଁ କେବଳ ଆଇଟି କ୍ଷେତ୍ରକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରରେ କାରବାର ମାନ୍ଦା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Sensex-960x540-1.jpg)