ସେନ୍‌ସେକ୍ସରେ ୮୩୯ ପଏଣ୍ଟ୍‌ ହ୍ରାସ, ନିବେଶକ ହରାଇଲେ ୫ ଲକ୍ଷ କୋଟି

ମୁମ୍ବାଇ: ଆଜି ସେୟାର ବଜାରରେ କାରବାର ଆରମ୍ଭ ହେବାର ପ୍ରଥମ କିିଛି ଘଣ୍ଟା ବହୁତ ଭଲ ରହିଥିଲା। ମାତ୍ର ସୀମାରେ ଉତ୍ତେଜନା ଦେଖାଦେଇଥିବା ଖବର ପ୍ରକାଶ ପାଇବା ପରେ ସେଥିରେ ହଠାତ ଅବନତି ଘଟିଥିଲା। ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ହଠାତ୍‌ ୧୫୦୦ ପଏଣ୍ଟ୍‌ ତଳକୁ ଖସି ଆସିଥିଲା। ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୩୦୦ ପଏଣ୍ଟ ହ୍ରାସ ପାଇ ୧୧,୩୫୦ ପଏଣ୍ଟ୍‌ ସ୍ତରକୁ ଖସିଯାଇଥିଲା। ଗତ ୨୯ ଓ ୩୦ ତାରିଖ ମଧ୍ୟ ରାତ୍ରୀରେ ଚୀନ୍ ସୈନିକମାନେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହା ପରେ ଉଭୟ ଭାରତ ଓ ଚୀନ୍ ସେନାଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଖବର ବିଦ୍ୟୁତ ବେଗରେ ପ୍ରଚାରିତ ହେବା ପରେ ନିବେଶକମାନଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଭୌଗୋଳିକ ରାଜନୈତିକ ସଙ୍କଟ ବଢ଼ିବାର ଆଶଙ୍କା ଦେଖାଦେବାରୁ ଲାଭ ହାସଲ କରିବା ଆଶାରେ ଅନେକ ନିବେଶ ନିଜ ପାଖରେ ଥିବା ସେୟାର ବିକ୍ର କରିଥିଲେ। ଅନେକ ନିବେଶକ ଏକ ସଙ୍ଗେ ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଥିଲା। ଅବଶ୍ୟ କାରବାର ଶେଷ ବେଳକୁ ସେଥିରେ ସୁଧାର ଦେଖାଦେଇଥିଲା।

ଆଜି ସେନ୍‌ସେକ୍ସ ୮୩୯ ପଏଣ୍ଟ୍‌ ହ୍ରାସ ପାଇ ୩୮,୬୨୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ନିଫ୍‌ଟି ୨୬୦ ପଏଣ୍ଟ୍ ହ୍ରାସ ସହ ୧୧,୩୮୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ହୋଇଥିବା ହ୍ରାସ ଯୋଗୁଁ ନିବେଶକମାନେ ୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଆଜିର କାରବାର ପୂର୍ବରୁ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କଂପାନିର ମୋଟ ବଜାର ପୁଞ୍ଜି (ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌) ପରିମାଣ ୧,୫୩,୫୫, ୬୭୮ କୋଟି ଟଙ୍କା ଥିଲା। କାରବାର ଶେଷ ବେଳକୁ ସେଥିରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଥିଲା। ନିବେଶକମାନେ ସେୟାର ବିକ୍ରି କରିବାରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆଇଡିଏଫ୍‌ସି ବ୍ୟାଙ୍କ, କୋଟାକ୍‌ ବ୍ୟାଙ୍କର ସେୟାର ଦାମ୍ ହ୍ରାସ ପାଇଥିଲା। ଷ୍ଟେଟ୍‌ ବ୍ୟାଙ୍କ, ସନ୍‌ ଫାର୍ମା, ଏନ୍‌ଟିପିସି, ବଜାଜ ଫିନ୍‌ସର୍ଭ, କୋଟାକ୍ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ଅଲ୍‌ଟ୍ରାଟେକ୍ ସିମେଣ୍ଟ୍‌, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ, ଏଲ୍‌ଆଣ୍ଡ୍‌ଟି ଓ ମାରୁତି ଭଳି ବଡ଼ କଂପାନିଗୁଡ଼ିକର ସେୟାର ମଧ୍ୟ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର