ସେନ୍‌ସେକ୍ସ ୫୦,୦୦୦ ଟପିଲା, ନିବେଶକଙ୍କ ଲାଭ ୯୬.୫୭ ଲକ୍ଷ କୋଟି

ମୁମ୍ବାଇ: ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ୫୦ ହଜାର ପଏଣ୍ଟ୍‌ ଉପରେ ବନ୍ଦ ହୋଇଛି। ଚଳିତ ମାସ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଘୋଷଣା କରିବା ପରଠାରୁ ସେନ୍‌ସେକ୍ସ ଦ୍ରୁତ ଗତିରେ ବଢ଼ୁଛି। ଦୁଇ ଦିନରେ ପ୍ରାୟ ୩୫୦୦ ପଏଣ୍ଟ୍‌ ବଢ଼ିବା ପରେ ଆଜି ମଧ୍ୟ ୪୫୮ ପଏଣ୍ଟ୍‌ ବୃଦ୍ଧି ସହ ସେନ୍‌ସେକ୍ସ ୫୦,୨୫୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୧୪୨ ପଏଣ୍ଟ୍‌ ବୃଦ୍ଧି ପାଇ ୧୪,୭୮୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଲକ୍‌ଡାଉନ୍ ପରବର୍ତୀ ସମୟରେ ସେନ୍‌ସେକ୍ସ ଦ୍ରୁତ ଗତିରେ ଦୌଡ଼ୁଛି। ଏହି ଯାତ୍ରାରେ ନିଜକୁ ସାମିଲ କରିଥିବା ନିବେଶକମାନେ ମଧ୍ୟ ମାଲାମାଲ ହୋଇଛନ୍ତି। ଗତବର୍ଷ ମାର୍ଚ୍ଚ ୨୩ରେ ଲକ୍‌ଡାଉନ୍ ଘୋଷଣା ପରେ ସେନ୍‌ସେକ୍ସ ଗୋଟିଏ ଦିନରେ ୩୯୩୪ ପଏଣ୍ଟ୍‌ ହ୍ରାସ ପାଇ ୨୫,୯୮୧ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା।

ସେହିଦିନ ଠାରୁ ଆଜି ମଧ୍ୟରେ ସେନ୍‌ସେକ୍ସରେ ୨୪,୨୭୪ ପଏଣ୍ଟ୍‌ ବୃଦ୍ଧି ହୋଇଛି। ଅର୍ଥାତ ୯୩.୪୨% ଭଳି ବଡ଼ ଧରଣର ବୃଦ୍ଧି। ଏହା ନିବେଶକମାନଙ୍କୁ ମଧ୍ୟ ବିପୁଳ ଲାଭ ପ୍ରଦାନ କରିଛି। ଏହି ସମୟରେ ନିବେଶକମାନେ ୯୬.୫୭ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି।
ସେନ୍‌ସେକ୍ସରେ ହେଉଥିବା ବୃଦ୍ଧି ପଛରେ ‌ଅନେକ କାରଣ ରହିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଓ କରୋନା ଟିକାକୁ ନେଇ ସ୍ଥିତି ସ୍ପଷ୍ଟ ହେବା ପରଠାରୁ ସେନ୍‌ସେକ୍ସ ଦ୍ରୁତ ଗତିରେ ବଢ଼ୁଛି। ସେନ୍‌ସେକ୍ସର ଗତିକୁ ଆହୁରି ବଢ଼ାଇଛି କେନ୍ଦ୍ର ବଜେଟ୍। ବିଭିନ୍ନ ସରକାରୀ କଂପାନିର ଅଂଶଧନ ବିକ୍ରି, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିରେ ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ ଓ ବୀମା ଶିଳ୍ପରେ ୭୪% ଏଫ୍‌ଡିଆଇ ପାଇଁ ଅନୁମତି ଦେବା ଭଳି କେତେକ ପ୍ରମୁଖ ଘୋଷଣା ଯୋଗୁଁ ନିବେଶକମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ସେମାନେ ବ୍ୟାଙ୍କ ଓ ବୀମା କଂପାନିଗୁଡ଼ିକର ଷ୍ଟକ ବିପୁଳ ପରିମାଣରେ କିଣୁଛନ୍ତି। ସେଥିପାଇଁ ସେନ୍‌ସେକ୍ସ ଆଗକୁ ବଢ଼ୁଛି। ବିଗତ ତିନି ଦିନରେ ସେନ୍‌ସେକ୍ସ ୩୯୬୯ ପଏଣ୍ଟ୍ ଓ ନିଫ୍ଟିରେ ୧୧୫୪ ପଏଣ୍ଟ୍‌ ବୃଦ୍ଧି ହୋଇଛି। ଏହି ତିନି ଦିନରେ ନିବେଶକମାନେ ୧୨.୩୧ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି।

ସମ୍ବନ୍ଧିତ ଖବର