ନୂଆଦିଲ୍ଲୀ: କର୍ପୋରେଟ୍ ଜଗତରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କେବଳ ସାଧାରଣ କର୍ମଚାରୀ ନୁହେଁ, ବରିଷ୍ଠ ଓ ନେତୃତ୍ବ ସ୍ତରରେ ମଧ୍ୟ ସେମାନଙ୍କ ସଂଖ୍ୟା ବଢ଼ୁଛି। ୨୦୨୧ ପରେ ଏହି ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇଛି। କର୍ପୋରେଟ୍ ଜଗତ ଶ୍ରମ ଶକ୍ତିରେ ମହିଳାଙ୍କ ଅଂଶ ୫୦ ପ୍ରତିଶତ ପାଖାପାଖି ବୃଦ୍ଧି ପାଇଛି ବୋଲି ହର୍କି ନାମକ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ୨୦୨୨ ଜାନୁଆରିରୁ ୨୦୨୩ ଜାନୁଆରି ମଧ୍ୟରେ ୩୦୦ରୁ ଅଧିକ କଂପାନିରୁ ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ସର୍ବେକ୍ଷଣରେ ଭାଗ ନେଇଥିବା କଂପାନିଗୁଡ଼ିକର ଶ୍ରମ ଶକ୍ତିରେ ମହିଳାଙ୍କ ଭାଗ ୫୦ ପ୍ରତିଶତ ପାଖାପାଖି ବୃଦ୍ଧି ପାଇଥିବା ଜଣାପଡ଼ିଛି। ୨୦୨୧ ତୁଳନାରେ ଏଥିରେ ୧୭ ପ୍ରତିଶତର ବୃଦ୍ଧି ଘଟିଛି। ସବୁଠୁ ବଡ଼ କଥା ହେଉଛି ବରିଷ୍ଠ ଓ ନେତୃତ୍ବ ବର୍ଗରେ ମହିଳାମାନଙ୍କ ଭାଗ ୩୭ ପ୍ରତିଶତରେ ପହଞ୍ଚିଛି। ୭୦ ପ୍ରତିଶତ କଂପାନି ଜଣାଇଛନ୍ତି ଯେ ଲିଙ୍ଗଗତ ବିବିଧତା ପାଇଁ ସେମାନେ ସ୍ବତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରି ମହିଳାଙ୍କୁ ନିଯୁକ୍ତି ଦେଉଛନ୍ତି। ସେଥିପାଇଁ ଗତବର୍ଷ ତୁଳନାରେ ମହିଳାଙ୍କ ନିଯୁକ୍ତିରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି। ବିରତି ପରେ କର୍ମକ୍ଷେତ୍ରକୁ ଫେରୁଥିବା ମହିଳାମାନଙ୍କୁ ସମର୍ଥନ କରିବା ଲାଗି ମଧ୍ୟ କଂପାନିଗୁଡ଼ିକ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ଲାଗି ୫୭ ପ୍ରତିଶତ ବଡ଼ କଂପାନି ଓ ୪୩ ପ୍ରତିଶତ ଷ୍ଟାର୍ଟଅପ୍ ଓ ଏସ୍ଏମ୍ଇରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ଲାଗି ୫୧% ସଂସ୍ଥା ବିଭିନ୍ନ ନିଯୁକ୍ତି ପ୍ଲାଟଫର୍ମ ସହ ଯୋଡ଼ିହୋଇଛନ୍ତି।
କର୍ମଚାରୀମାନଙ୍କ ସୁବିଧା ପାଇଁ କୋଭିଡ୍ ମହାମାରୀ ସମୟରେ ଆରମ୍ଭ କରାଯାଇଥିବା ୱାର୍କ ଫ୍ରମ୍ ହୋମ୍ ଏବେ ଚମକ ହରାଇଛି। ମହାମାରୀ ପରବର୍ତ୍ତୀ ସମୟରେ ଅଧିକାଂଶ କର୍ମଚାରୀ ସେହି ଢାଞ୍ଚା ଗ୍ରହଣ କରିବାକୁ ଚାହୁନାହାନ୍ତି। ୨୦୧୯ରେ ୱାର୍କ ଫ୍ରମ୍ ହୋମ୍ ହାର ୫୯ ପ୍ରତିଶତ ଥିଲା ଯାହା ୨୦୨୦ରେ ୮୫ ପ୍ରତିଶତ ଏବଂ ୨୦୨୧ରେ ୮୩ ପ୍ରତିଶତ ହୋଇଥିଲା। ୨୦୨୨ରେ ସେହି ହାର ୬୩ ପ୍ରତିଶତକୁ ହ୍ରାସ ପାଇଛି। ହର୍କିର ପ୍ରତିଷ୍ଠାତା ନେହା ବଗାରିଆ କହିଛନ୍ତି ଯେ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ବିବିଧତା ଓ ଅନ୍ତର୍ଭୁକ୍ତୀକରଣ ସଂସ୍ଥାର ସଫଳତାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କର୍ପୋରେଟ୍ ଜଗତରେ ଅନେକ ସଂସ୍ଥା ଏବିଷୟରେ ସଚେତନତ ହୋଇଛନ୍ତି। ଲିଙ୍ଗଗତ ବିବିଧତାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ୨୦୨୨ରେ ସେଥିରେ ବଡ଼ ଧରଣର ବୃଦ୍ଧି ଘଟିଛି। ମହାମାରୀ ପରେ ଦେଶର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି। କର୍ପୋରେଟ୍ ଜଗତ ସୁହାଇବା ଭଳି ନୀତି ପ୍ରସ୍ତୁତ କରୁଥିବାରୁ ଅଧିକରୁ ଅଧିକ ମହିଳା ପୁଣି ଥରେ କାର୍ଯ୍ୟକ୍ଷେତ୍ରକୁ ଫେରୁଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି।