ଶସ୍ତାରେ ମିଳୁଛି: ରଖିବାକୁ ସ୍ଥାନ ଅଭାବ, ଜାହାଜରେ ରହିବ ତେଲ

୨୫ ହଜାର କୋଟିର ସଞ୍ଚୟ, ଦିଲ୍ଲୀରେ ପେଟ୍ରୋଲ୍, ଡିଜେଲ୍ ଟିକସ ବଢ଼ିଲା

ନୂଆଦିଲ୍ଲୀ: ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବହୁତ ଶସ୍ତା ହୋଇଥିବାରୁ ତାହାର ଲାଭ ଉଠାଇବାକୁ ଚାହୁଛି ଭାରତ। ତେଲ କିଣି ତାହାକୁ ଜାହାଜ ଭିତରେ ମହଜୁଦ ରଖିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଜରିଆରେ ୨୫ ହଜାର କୋଟି ଟଙ୍କା ସଞ୍ଚୟ କରିବାକୁ ଲକ୍ଷ୍ୟ ରଖାଯାଇଛି। କରୋନା ସଙ୍କଟ ଆରମ୍ଭ ହେବା ପରେ ତୈଳ ବଜାର ସ୍ଥିତି ସମ୍ପର୍କରେ ସୋସିଆଲ୍ ମିଡିଆରେ ଆଲୋଚନା କରିବା ବେଳେ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆମ ତେଲ କଂପାନିଗୁଡ଼ିକ ସୁଲଭ ମୂଲ୍ୟରେ ପ୍ରାୟ ସାତ ନିୟୁତ ତୈଳ କିଣିଛନ୍ତି। ଦେଶର ଆବଶ୍ୟକତାର ୨୦% ତୈଳ ଗଚ୍ଛିତ ରଖାଯାଇଛି। ଏହା ଦ୍ବାରା ତୈଳ ଆମଦାନି ବିଲ୍‌ କମ୍ ହେବ। ଯେଉଁ ଅର୍ଥ ସଞ୍ଚୟ ହେବ ତାହାକୁ ସରକାର ଅନ୍ୟାନ୍ୟ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି।

ଭାରତର ମୋଟ ତୈଳ ସଂରକ୍ଷଣ କ୍ଷମତା ଏବେ ୩୯୮ ନିୟୁତ ଟନ୍ ରହିଛି। ଏହା ୧୮-୨୦ ପ୍ରତିଶତ ଚାହିଦା ସହ ସମାନ। ଭାରତରେ ଦୈନିକ ୪.୫ ନିୟୁତ ବ୍ୟାରେଲ ତୈଳ ବିକ୍ରି ହେଉଛି। ମାତ୍ର କରୋନା ସଙ୍କଟ ଆରମ୍ଭ ହେବା ପରେ ପେଟ୍ରୋଲ ଓ ଡିଜେଲ୍‌ର ବିକ୍ରି ବହୁତ କମିଯାଇଛି। ତୈଳ ସଂରକ୍ଷିତ ରଖିବା ଲାଗି ଦେଶରେ ୫ ନିୟୁତ ଟନ୍‌ର ଗୁରୁତ୍ବପୂର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥା ରହିଛି। ସେଥିରେ ୩ ନିୟୁତ ଟନ୍ ତୈଳ ଥିବା ବେଳେ ଆଉ ୨ ନିୟୁତ ଟନ୍ ତୈଳ ରଖିବା ଲାଗି ଫାଙ୍କା ସ୍ଥାନ ରହିଥିଲା। ଗତ ଫେବ୍ରୁଆରି ମାସରୁ ତେଲ ଦର କମିବା ଆରମ୍ଭ ହେବା ପରେ ସେହି ଫାଙ୍କା ସ୍ଥାନରେ ତେଲ ଭର୍ତି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତୈଳ କିଣିବା ଲାଗି ବଜେଟ୍‌ରେ ୬୯୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସରକାର ଆଉ ୩୧୮୪ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ। କରୋନା ଭୂତାଣୁର ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ତୈଳ ଚାହିଦା ୭୦ ପ୍ରତିଶତ ହ୍ରାସ ପାଇଛି। ଫଳରେ ତୈଳ ବିଶୋଧନ ହେଉଥିବା କାରଖାନାରେ ଉତ୍ପାଦନ କମ୍ କରାଯାଇଛି ଏବଂ ତୈଳ ‌ରଖିବା ଲାଗି ଯେତିକି ସ୍ଥାନ ଥିଲା ତାହା ଭର୍ତି ହୋଇଯିବା ପରେ ଏକ ଅଲଗା ପ୍ରକାରର ସମସ୍ୟା ସୃଷ୍ଟି ହୋଇଛି। ତେଣୁ ତୈଳ ୟକୁ ମହଜୁଦ ରଖିବା ଲାଗି କଂପାନିଗୁଡ଼ିକ ଜାହାଜକୁ ବ୍ୟବହାର କରୁଛନ୍ତି। ଯେଉଁ ଜାହାଜରେ ତେଲ ମଗାହେଉଛି ତାହା ଆସି ବନ୍ଦରରେ ଠିଆ ହୋଇ ରହୁଛି। ସେଥିରୁ ତେଲ କଢ଼ାଯାଉନାହିଁ। ଯେତେବେଳେ ଆବଶ୍ୟକ ହେବ କିମ୍ବା ତୈଳ ସଂରକ୍ଷଣ ଲାଗି ଥିବା ବ୍ୟବସ୍ଥାଗୁଡ଼ିକରେ ଫାଙ୍କା ସ୍ଥାନ ସୃଷ୍ଟି ହେଲେ ଜାହାଜରୁ ତେଲ କଢ଼ାଯିବ।

‌ତୈଳ ବଜାର ସ୍ଥିତିକୁ ନେଇ ଶ୍ରୀ ପ୍ରଧାନ ସାଉଦି ଆରବ ଓ ୟୁଏଇ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ସାତ ନିୟୁତ ଟନ୍ ତୈଳ ପାଇଁ ବରାଦ ଦିଆଯାଇଛି। ଗତ ଜାନୁଆରିରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୫ ଡଲାର ଥିଲା। କିନ୍ତୁ ସାଉଦିରୁ ମଗାଯାଇଥିବା ତେଲକୁ ବ୍ୟାରେଲ ପିଛା ୨୧ ଡଲାରରେ କିଣାହେବ। ଫଳରେ ୫୦୦୦ କୋଟି ଟଙ୍କା ସଞ୍ଚୟ ହେବ। ଏହା ବ୍ୟତୀତ ଗତ ମାର୍ଚ୍ଚ-ଏପ୍ରିଲ୍ ଭିତରେ ତୈଳ କଂପାନିଗୁଡ଼ିକ ୮ ନିୟୁତରୁ ଅଧିକ ତେଲ ମଗାଇଛନ୍ତି। ସେଥିରେ ୨୦ ହଜାର କୋଟି ଟଙ୍କା ସଞ୍ଚୟ ହେବ। ମାର୍ଚ୍ଚରେ ମାସରେ ମଗାଯାଇଥିବା ତେଲର ବ୍ୟାରେଲ ପିଛା ଦାମ୍ ୩୩.୩୬ ଡଲାର ଥିଲା। ଏପ୍ରିଲ୍‌ରେ ତାହା ୧୯.୯ ଡଳାରକୁ ହ୍ରାସ ପାଇଥିଲା। ତେଲ ଶସ୍ତା ହେବାରୁ ଜାନୁଆରି ମାସର ଦର ତୁଳନାରେ ଭାରତ ପ୍ରାୟ ୨୫ ହଜାର କୋଟି ଟଙ୍କା ସଞ୍ଚୟ କରିଛି।

ଦିଲ୍ଲୀରେ ପେଟ୍ରୋଲ୍, ଡିଜେଲ୍ ଟିକସ ବଢ଼ିଲା
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଭାଟ୍‌ ବଢ଼ାଇଦେଇଛନ୍ତି। ଫଳରେ ସେଠାରେ ଲିଟର ପିଛା ପେଟ୍ରୋଲ୍ ଦାମ୍ ୧ ଟଙ୍କା ୬୭ ପଇସା ଓ ଡିଜେଲ୍ ୭ ଟଙ୍କା ୧୦ ପଇସା ବଢ଼ିଛି। ପେ‌ଟ୍ରୋଲ୍ ଉପରେ ଭାଟ୍‌କୁ ୨୭ ପ୍ରତିଶତରୁ ବଢ଼ାଇ ୩୦ ପ୍ରତିଶତ କରାଯାଇଛି। ସେହିପରି ଡିଜେଲ୍ ଉପରେ ଭାଟ୍‌କୁ ୧୬.୭୫ ପ୍ରତିଶତରୁ ବଢ଼ାଇ ୩୦ ପ୍ରତିଶତ କରାଯାଇଛି। ପେ‌ଟ୍ରୋଲ୍ ଓ ଡିଜେଲ୍ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବସାଉଛନ୍ତି। କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ଭାଟ୍ ଲଗାଇଥାନ୍ତି। ଦିଲ୍ଲୀରେ ଭାଟ୍‌ ବଢ଼ିବା ପରେ ପେଟ୍ରୋଲ୍ ଲିଟର ପିଛା ଦାମ୍ ୭୧ ଟଙ୍କା ୨୬ ପଇସା ଓ ଡିଜେଲ୍ ଦାମ୍ ୬୯ ଟଙ୍କା ୫୯ ପଇସା ହୋଇଛି। ଟିକସ ବୋଝ ବଢ଼ୁଥିବାରୁ ପେଟ୍ରୋଲିୟମ୍ ସାମଗ୍ରୀ ଉପରେ ଜିଏସ୍‌ଟି ଳଗାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର