ନୂଆଦିଲ୍ଲୀ: ବିକଶିତ ଓ ଧନୀ ଦେଶଗୁଡ଼ିକରେ ଦେଖାଦେଇଥିବା ମାନ୍ଦାବସ୍ଥା ଭାରତ ପାଇଁ ଲାଭଦାୟକ ହେବ। ଏହାର ପ୍ରଭାବରେ ସାରା ବିଶ୍ବରେ ବିଭିନ୍ନ ସାମଗ୍ରୀ ଦାମ୍ ହ୍ରାସ ପାଇବ। ଭାରତରେ ମଧ୍ୟ ଦରଦାମ୍ ହ୍ରାସ କରିବାରେ ତାହା ସହାୟକ ହେବ ବୋଲି ସିଟି ଗ୍ରୁପ୍ର ମୁଖ୍ୟ ଅର୍ଥନୀତିଜ୍ଞ ସମିରନ ଚକ୍ରବର୍ତ୍ତୀ କହିଛନ୍ତି। ବ୍ଲୁମ୍ବର୍ଗ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତ ଏଭଳି ଏକ ଦେଶ ଯାହା ବିପୁଳ ପରିମାଣର ସାମଗ୍ରୀ ବିଭିନ୍ନ ଦେଶରୁ ଆମଦାନି କରୁଛି। ଯଦି ସେହି ସବୁ ଦେଶରେ ସାମଗ୍ରୀଗୁଡ଼ିକର ଦାମ୍ କମିବ ତେବେ ତାହାର ସିଧାସଳଖ ଲାଭ ଭାରତକୁ ମିଳିବ। ଆମଦାନି କରିବା ଲାଗି ଖର୍ଚ୍ଚ କମ୍ ହେଲେ ସେହି ସାମଗ୍ରୀଗୁଡ଼ିକ କମ୍ ଦାମ୍ରେ ଭାରତରେ ଉପଲବ୍ଧ ହେବ। କିନ୍ତୁ ଏହାର ଖରାପ ଦିଗଟି ହେଉଛି ଭାରତର ରପ୍ତାନି ଓ ଅଭିବୃଦ୍ଧି ଉଭୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
ବର୍ତ୍ତମାନ ଭାରତର ସମସ୍ତ ଧ୍ୟାନ ଦରଦାମ୍ ସ୍ଥିତି ମୁକାବିଲା ଉପରେ ରହିଛି। କେନ୍ଦ୍ର ସରକାର ପେଟ୍ରୋଲ୍, ଡିଜେଲ୍ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଉପରୁ ଟିକସ ହ୍ରାସ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ନିଜ ତରଫରୁ ଯାହା ସମ୍ଭବ ସେହି ସବୁ ପଦକ୍ଷେପ ଗ୍ରହଣ କରୁଛି। ଖୁବ୍ କମ୍ ସମୟ ମଧ୍ୟରେ ଏହା ଦୁଇ ଥରରେ ସୁଧରେ ୦.୯୦% ବୃଦ୍ଧି କରିସାରିଲାଣି। ଆଗକୁ ସୁଧରେ ଆହୁରି ବୃଦ୍ଧି କରାଯିବ ବୋଲି ମଧ୍ୟ ଏହା ସଙ୍କେତ ଦେଇଛି। ଦରଦାମ୍ ବିରୋଧ ଲଢ଼େଇରେ କେହି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି। ଦରବୃଦ୍ଧି ସ୍ଥିତିକୁ ନଜରରେ ରଖି ସୁଧ ହାରକୁ ରିଜର୍ଭ ବ୍ୟାଙ୍କ ୫.୫% ପର୍ଯ୍ୟନ୍ତ ବଢ଼ାଇପାରେ ବୋଲି ସେ ଆକଳନ କରିଛନ୍ତି। ଦରକାର ପଡ଼ିଲେ ତାହା ୬%ରୁ ମଧ୍ୟ ଅଧିକ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/38-1.jpg)