ନୂଆଦିଲ୍ଲୀ: ଖରାଦିନରେ ଅଧିକ ପରିମାଣର ମୃଦୁ ପାନୀୟ ବିକ୍ରି ହୋଇଥାଏ। କିନ୍ତୁ କରୋନା ମହାମାରୀର ଦ୍ବିତୀୟ ଲହର ଜାରି ରହିଥିବାରୁ ତାହାର ମୁକାବିଲା ଲାଗି ଘୋଷଣା କରାଯାଇଥିବା କଟକଣା ଯୋଗୁଁ ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହୁଛି। ସେଥିପାଇଁ ମୃଦୁ ପାନୀୟ ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଛି। କ୍ରମାଗତ ଦ୍ବିତୀୟ ବର୍ଷ ଲାଗି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦେଶରେ ବର୍ଷକୁ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଥଣ୍ଡା ପାନୀୟ ବିକ୍ରି ହୋଇଥାଏ। ଏହାର ଦୁଇ ତୃତୀୟାଂଶ ବିକ୍ରି ଖରାଦିନରେ ହୋଇଥାଏ। ଗତବର୍ଷ ଏପ୍ରିଲ୍-ମେ'ରେ ଲକ୍ଡାଉନ୍ ରହିବା ଯୋଗୁଁ ଦେଶର ପ୍ରମୁଖ ମୃଦୁ ପାନୀୟ ବିକ୍ରେତା ପେପ୍ସି ଓ କୋକାକୋଲାର ବିକ୍ରି ୨୦% ହ୍ରାସ ପାଇଥିଲା। ଚଳିତ ବର୍ଷ ସେମାନଙ୍କ ବିକ୍ରି ୨୦୨୦ ସ୍ତର ଠାରୁ ୧୦% କମ୍ ରହିଛି। ମହାମାରୀ ପୂର୍ବ ସମୟର ବିକ୍ରି ସ୍ତରକୁ ଫେରିବା ଲାଗି କଂପାନିଗୁଡ଼ିକୁ ଆହୁରି କିଛି ମାସ ଅପେକ୍ଷା କରିବାକୁ ପଡ଼ିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ପକ୍ଷରୁ କୁହାଯାଇଛି।
କ୍ରିସିଲ୍ର ନିର୍ଦେଶକ ନୀତେଶ ଜୈନ କହିଛନ୍ତି ଯେ ମୃଦୁ ପାନୀୟ କେବଳ ଦୋକାନରେ ବିକ୍ରି ହୁଏ ନାହିଁ। ଏହା ମଲ୍, ହୋଟେଲ୍, ରେସ୍ତୋରାଁ ଓ କାଫେ ଆଦିରେ ମଧ୍ୟ ବିକ୍ରି ହୋଇଥାଏ। ହୋଟେଲ୍, ରେସ୍ତୋରାଁ ଓ କାଫେରେ ୨୦-୨୫% ମୃଦୁ ପାନୀୟ ବିକ୍ରି ହୋଇଥାଏ। ଏବେ ସେସବୁ ବନ୍ଦ ରହିଥିବାରୁ ସେବାବଦରେ ଯେଉଁ କ୍ଷତି ହେବ ତାହା ଭରଣା କରିବା ସମ୍ଭବପର ନୁହେଁ। ଦେଶରେ ବିକ୍ରି ହେଉଥିବା ମୃଦୁ ପାନୀୟ ମଧ୍ୟରୁ ଦୁଇ ତୃତୀୟାଂଶ ହେଉଛି ହାଇ କାର୍ବୋନେଟେଡ୍ ମୃଦୁ ପାନୀୟ। ଅଧିକାଂଶ ଲୋକଙ୍କ ଘରେ ଫ୍ରିଜ୍ ପହଞ୍ଚିଥିବାରୁ ଏହି ବର୍ଗର ମୃଦୁ ପାନୀୟ ବିକ୍ରି କମ୍ ପ୍ରଭାବିତ ହୋଇଛି। କିନ୍ତୁ ଜୁସ୍ ଓ ବୋତଲ ପାଣି ବିକ୍ରି ଅଧିକ ପ୍ରଭାବିତ ହୋଇଛି।