ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଚଳାଚଳ କରୁଥିବା ଇଲେକ୍ଟ୍ରିକ୍ ଯାନ (ଇଭି)ଗୁଡ଼ିକରୁ କୌଣସି ଶବ୍ଦ ବାହାରୁ ନ ଥିବାରୁ ତାହା ଆସୁଥିବା ବିଷୟରେ ଲୋକମାନେ କିଛି ଜାଣିପାରୁନାହାନ୍ତି। ଫଳରେ ଦୁର୍ଘଟଣାର ଆଶଙ୍କା ରହୁଛି। ପଥଚାରୀମାନେ ଯେଭଳି ଗାଡ଼ି ଆସୁଥିବା ଜାଣିପାରିବେ, ସେଥିପାଇଁ ଇଭିରେ ଅକୋଷ୍ଟିକ୍ ଭେଇକିଲ୍ ଆଲର୍ଟିଂ ସିଷ୍ଟମ୍ (ଏଭିଏଏସ୍) ଲଗାଇବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଇଭି ନିର୍ମାତାମାନଙ୍କୁ କହିଛନ୍ତି।
ଏହି ନିୟମ ୨୦୨୬ ଅକ୍ଟୋବରରୁ ଲାଗୁ କରାଯିବ। ସବୁ ନୂଆ ଘରୋଇ ଓ ବାଣିଜ୍ୟିକ ଇଭିରେ ଏଭିଏଏସ୍ ଲଗାଇବାକୁ କମ୍ପାନିଗୁଡ଼ିକୁ ସରକାର କହିଛନ୍ତି। ଯାତ୍ରୀବାହୀ ଓ ମାଲବାହୀ ଇଭିଗୁଡ଼ିକରେ ୨୦୨୭ ଅକ୍ଟୋବର ୧ ସୁଦ୍ଧା ଏହି ବ୍ୟବସ୍ଥା ଲଗାଇବାକୁ କୁହାଯାଇଛି। ନୂଆ ବ୍ୟବସ୍ଥାରେ ଇଭିରୁ ଆପେ ଆପେ ଶବ୍ଦ ସୃଷ୍ଟି ହେବ। ବହୁପୂର୍ବରୁ ୟୁରୋପୀୟ ଦେଶ, ଜାପାନ ଓ ଆମେରିକାରେ ସେହି ବ୍ୟବସ୍ଥା ବାଧ୍ୟତାମୂଳକ ହୋଇସାରିଛି।