କଲମ୍ବୋ: ଗୁରୁତର ଆର୍ଥିକ ସଂକଟ ‌ଦେଇ ଗତି କରୁଥିବା ଶ୍ରୀଲଙ୍କା ଆଜି ଏକ ପ୍ରକାର ଦେବାଳିଆ ସ୍ଥିତିକୁ ଚାଲିଯାଇଛି। ବିଦେଶୀ ଋଣ ଓ ସୁଧ ପରିଶୋଧ କରିବାରେ ନିଜର ଅକ୍ଷମତା ପ୍ରକାଶ କରିଛି। ଶ୍ରୀଲଙ୍କା ଉପରେ ପ୍ରାୟ ୫୧୦୦ କୋଟି ଡଲାରର ବିଦେଶୀ ଋଣ ବୋଝ ରହିଛି। ଆମଦାନି ପାଇଁ ଦେଶ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଥିବାରୁ ବିଦେଶୀ ଋଣ ପରିଶୋଧ କରିବା ସମ୍ଭବ ନୁହେଁ ବୋଲି କହି ‌ଶ୍ରୀଲଙ୍କା ସରକାର ହାତ ଟେକି ଦେଇଛନ୍ତି। ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟ କହିଛି ଯେ ବିଦେଶର କୌଣସି ସରକାରଙ୍କ ସମେତ ଅନ୍ୟ ଋଣଦାତାମାନେ ପାଇବାକୁ ଥିବା ସୁଧକୁ ମଙ୍ଗଳବାରଠାରୁ ପୁଞ୍ଜିରେ ପରିଣତ କରିପାରିବେ କିମ୍ବା ଶ୍ରୀଲଙ୍କା ମୁଦ୍ରାରେ ଫେରି ପାଇବା ବିକଳ୍ପକୁ ଚୟନ କରିପାରିବେ। ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଯେଭଳି ଆହୁରି ଖରାପ ନହେବ ସେଥିପାଇଁ ‌ସରକାର ଏହି ପଦକ୍ଷେପ ନେଇଛନ୍ତି । ସବୁ ଋଣ ପ୍ରଦାନକାରୀଙ୍କ ପ୍ରତି ଉପଯୁକ୍ତ ଏବଂ ଏକା ପ୍ରକାରର ନୀତି ଆପଣାଇବା ପାଇଁ ତୁରନ୍ତ ଋଣ ପରିଶୋଧକୁ ବନ୍ଦ କରାଯାଇଛି।

Advertisment

ଅର୍ଥ ମନ୍ତ୍ରାଳୟ ଏହା ମଧ୍ୟ କହିଛି ୨୦୨୨ ଏପ୍ରିଲ ସୁଦ୍ଧା ବକେୟା ଥିବା ଋଣ ଉପରେ ଏହା ପ୍ରଯୁଜ୍ୟ ହେବ। ସବୁ ପ୍ରକାର ଅନ୍ତର୍ଜାତୀୟ ବଣ୍ଡ, ଦ୍ବିପାକ୍ଷିକ ଋଣ କ୍ଷେତ୍ରରେ ଏହା ଲାଗୁ ହେବ। ତେବେ କେବଳ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ବିଦେଶୀ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ହେବାକୁ ଥିବା ଋଣ ଆଦାନ ପ୍ରଦାନକୁ ଛାଡ଼ିଦେଲେ ସବୁ ପ୍ରକାର ବାଣିଜ୍ୟିକ ବ୍ୟାଙ୍କ ଓ ସଂସ୍ଥାଗତ ଋଣ ପ୍ରଦାନକାରୀ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହେବ। ସରକାରଙ୍କ ପାଇଁ ଏହା ଶେଷ ପନ୍ଥା ବୋଲି ଅର୍ଥ ମନ୍ତ୍ରାଳୟ କହିଛି। ତେବେ ଶ୍ରୀଲଙ୍କା ମୁଦ୍ରାରେ ଯେଉଁମାନେ ‌ଚାହିବେ ସେମାନଙ୍କୁ ଋଣ ପରିଶୋଧ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସହିତ ଶ୍ରୀଲଙ୍କା ସରକାର ଆର୍ଥିକ ପ୍ୟାକେଜ ପାଇବା ପାଇଁ କଥାବାର୍ତ୍ତା ଚଳାଇଛନ୍ତି। ଆଇଏମଏଫ ସହିତ ଋଣ ପୁନର୍ଗଠନ ରାଜିନାମା ହେବା ପର୍ଯ୍ୟନ୍ତ ଋଣ ପରି‌ଶୋଧକୁ ସ୍ଥଗିତ ରଖାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଶ୍ରୀଲଙ୍କା ଏକପାଖିଆ ଭାବେ ଋଣ ପରି‌ଶୋଧକୁ ସ୍ଥଗିତ ରଖିବା ନିଷ୍ପତ୍ତି ନେଇଛି। ଋଣ ଦେଇଥିବା ସଂସ୍ଥା ସହିତ ଏ ନେଇ କୌଣସି ଆଲୋଚନା କରିନାହିଁ କିମ୍ବା ସେମାନଙ୍କ ସହମତି ନେଇନାହିଁ। ଶ୍ରୀଲଙ୍କାର ଋଣ ସୁଧ ବାବଦ ରାଶି ୬୦୦ କୋଟି ଡଲାରରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଗତ ଜାନୁଆରିରେ ସରକାର ବଣ୍ଡ୍ ବାବଦରେ ୫୦୦ ନିୟୁତ ଡଲାର ଅର୍ଥ ଦେଇଥିଲେ। ଜୁଲାଇରେ ଏବାବଦରେ ଆଉ ୧୦୦ କୋଟି ଡଲାର ଅର୍ଥ ଦେବାକୁ ହେବ।

ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଡବ୍ଲ୍ୟୁଏ ୱିଜେୱାର୍ଦେନା କହିଛନ୍ତି, ସରକାରଙ୍କ ନିକଟରେ ଖୁବ୍ କମ୍ ବିଦେଶୀ ମୁଦ୍ରା ରହିଛି। ତେଣୁ ଅନ୍ୟ କୌଣସି ବିକଳ୍ପ ନାହିଁ। ତେବେ ଆଇଏମଏଫ ସହିତ ରାଜିନାମା ପରେ ସ୍ଥିତିରେ ପରିବର୍ତ୍ତନ ଆସିପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷ ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଠିକ୍ ବୋଲି ଦର୍ଶାଇଛନ୍ତି। ବିଦେଶୀ ମୁଦ୍ରା ଅଭାବଜନିତ ସଂକଟ ତାଙ୍କ ପାଇଁ ସୃଷ୍ଟି ହୋଇନାହିଁ। ଏହା ମୁଖ୍ୟତଃ କରୋନା ମହାମାରୀ କାରଣରୁ ହୋଇଛି। ମହାମାରୀ ପରେ ଶ୍ରୀଲଙ୍କାକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବା ଫଳରେ ବିଦେଶୀ ମୁଦ୍ରା ରୋଜଗାର ହ୍ରାସ ପାଇଛି ବୋଲି ସେ କହିଛନ୍ତି। ଦେଶରେ ଅତ୍ୟାବଶ୍ୟକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ଏଥିଯୋଗୁ ଦରଦାମ ଆକାଶଛୁଆଁ ହୋଇଛି। ଏଭଳି ସ୍ଥିତିରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି। ଶ୍ରୀଲଙ୍କାରେ ଅର୍ଥନୈତିକ ସମେତ ରାଜନୈତିକ ଓ ସାମାଜିକ ଅସ୍ଥିରତା ସୃଷ୍ଟି ହୋଇଛି।