‘ରାଜ୍ୟ ଶ୍ରମ ନିୟମ ଉଚ୍ଛେଦ କରିପାରିବେନି’

ଶ୍ରମ ନିୟମ ଉଚ୍ଛେଦ କରିବା ସଂସ୍କାର ନୁହେଁ: ନିତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା ଲାଗି ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି କେତେକ ରାଜ୍ୟ ଶ୍ରମ ନିୟମରେ ବ୍ୟାପକ ସଂଶୋଧନ ଘୋଷଣା କରିଛନ୍ତି। ବ୍ୟାବସାୟିକ କାର୍ଯ୍ୟକଳାପକୁ ପୁନର୍ବାର ସ୍ବାଭାବିକ କରିବା ଏବଂ ଅଧିକ ପୁଞ୍ଜିନିବେଶ ହାତେଇବା ଲକ୍ଷ୍ୟ ନେଇ ରାଜ୍ୟଗୁଡ଼ିକ ଶ୍ରମ ନିୟମରେ ଯେଉଁଭଳି ସଂଶୋଧନ କରିଛନ୍ତି ତାହାକୁ ନେଇ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଶ୍ରମ ନିୟମ ଉଚ୍ଛେଦ କରିବା ସଂସ୍କାର ନୁହେଁ। ‌ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା ଲାଗି କେନ୍ଦ୍ର ସରକାର ପ୍ରତିବଦ୍ଧ ଅଛନ୍ତି। ଭାରତ ହେଉଛି ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ଏକ ଅଂଶ। ସେହି ଦୃଷ୍ଟିରୁ ରାଜ୍ୟଗୁଡ଼ିକ ଶ୍ରମ ନିୟମ ଉଚ୍ଛେଦ କରିପାରିବେ ନାହିଁ। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଏକଥା ରାଜ୍ୟଗୁଡ଼ିକୁ ଜଣାଇବା ଲାଗି ପ୍ରସ୍ତୁତ ହୋଇଛି।

ରାଜ୍ୟର ଅର୍ଥନୀତି ଗତି ବଢ଼ବା ଲାଗି ନିକଟରେ ଉତ୍ତରପ୍ରଦେଶ ସରକାର କେତେକ ନିର୍ଦିଷ୍ଟ ବର୍ଗର ଶିଳ୍ପ କ୍ଷେତ୍ର ଲାଗି ଶ୍ରମ ନିୟମର କେତେକ କଠୋର ସର୍ତ୍ତକୁ ତିନି ବର୍ଷ ପର୍ଯ୍ୟନ୍ତ ନିସ୍କ୍ରିୟ କରିବା ଲାଗି ଅଧ୍ୟାଦେଶ ଆଣିଛନ୍ତି। ମଧ୍ୟପ୍ରଦେଶ ସରକାର ମଧ୍ୟ ସେଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟ କିଛି ରାଜ୍ୟ ସେମାନଙ୍କ ପଦାଙ୍କ ଅନୁସରଣ କରି ଶ୍ରମ ନିୟମରେ ପରିବର୍ତ୍ତନ କରିଛନ୍ତି। ଦେଶର ଅର୍ଥନୈତିକ ସ୍ଥିତି ସମ୍ପର୍କରେ ସେ କହିଛନ୍ତି, କୋଭିଡ୍-୧୯ ପ୍ରଭାବର ଋଣାତ୍ମକ ପ୍ରଭାବ ସାରା ବିଶ୍ବ ଉପରେ ପଡ଼ିଛି। ଭାରତ ଏଥିରୁ ବାଦ ପଡ଼ିନାହିଁ। ଏହି ବିଶ୍ବ ମହମାରୀ ପ୍ରଭାବରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ବିପୁଳ କ୍ଷତି ହୋଇଛି। ଏବର୍ଷ ଅଭିବୃଦ୍ଧି ଋଣାତ୍ମକ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଆକଳନ କରିଛି ସେ ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ଏଭଳି ଆକଳନ କରାଯାଇପାରିବ ନାହିଁ କାରଣ ଦେଶ ଭିତର ଏବଂ ବିଶ୍ବ ସ୍ତରର ଅନେକ ଦୃଶ୍ୟପଟ୍ଟ ଏବେବି ଅଜଣା ରହିଛି। କେନ୍ଦ୍ର ସରକାର ଘୋଷଣା କରିଥିବା ୨୦ ଲକ୍ଷ ଟଙ୍କାର ପ୍ୟାକେଜ୍ ସଂକ୍ରାନ୍ତରେ ସେ କହିଛନ୍ତି, ଏହା ଚାହିଦା ବଢ଼ାଇବାରେ ସହାୟକ ହେବ।

ସମ୍ବନ୍ଧିତ ଖବର