ଉତ୍ତମ ଭିତ୍ତିଭୂମି ଆଧାରରେ ରାଜ୍ୟ ଅର୍ଥନୀତି ଆଗେଇବ: ଧର୍ମେନ୍ଦ୍ର

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ

ଭୁବନେଶ୍ୱର: କରୋନା ପରବର୍ତ୍ତୀ ସମୟରେ ଓଡ଼ିଶାର ଅର୍ଥନୀତିକୁ ଗତିଶୀଳ କରାଇବା ପାଇଁ ଆଜି କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟତଃ ଶିଳ୍ପ ଭିତ୍ତିଭୂମି, ରା‌ସ୍ତା, ରେଳବାଇ, ବେସାମରିକ ବିମାନ ସେବା, ଗୃହ ନିର୍ମାଣ, ସ୍ମାର୍ଟ ସିଟି, ଜଳଶକ୍ତି ଆଦି ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ଉତ୍ତମ ଭିତ୍ତିଭୂମି ଓ ଉନ୍ନତ ଯୋଗାଯୋଗ ସୁବିଧା ମାଧ୍ୟମରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଆଗକୁ ନେବା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଶାର ସୁବିଧାଜନକ ଭୌଗୋଳିକ ସ୍ଥିତି, ସୁଦୀର୍ଘ ବେଳାଭୂମି, ପ୍ରଚୁର ପ୍ରାକୃତିକ ସମ୍ପଦ ଓ ଉତ୍ତମ ମାନବ ସମ୍ବଳ ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପିତ ଆତ୍ମନିର୍ଭର ଭାରତ ପାଇଁ ଉଦ୍ଦିଷ୍ଟ ଅର୍ଥନୈତିକ ପ୍ୟାକେଜ୍‌ର ସବୁଠାରୁ ଅଧିକ ଲାଭ ନେଇପାରିବ। ଭିତ୍ତିଭୂମି ଆଧାରିତ ଅର୍ଥନୈତିକ ପ୍ରଗତି ଓଡିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଢେଙ୍କାନାଳ, କଳିଙ୍ଗନଗର, ପାରାଦୀପ, ଝାରସୁଗୁଡ଼ା, ଭଦ୍ରକ, ଧାମରା ଆଦି ଅଞ୍ଚଳରେ ହେବାକୁ ଥିବା ବିଭିନ୍ନ ଶିଳ୍ପ ପାର୍କର ଭିତ୍ତିଭୂମିର ତ୍ବରିତ ବିକାଶ ଉପରେ ଆଲୋଚନା ହୋଇଥିଲା। ରାଜ୍ୟରେ ଚାଲୁଥିବା‌ ଜାତୀୟ ରାଜପଥ ଓ ରେଳବାଇ କାମଗୁଡ଼ିକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଶିଳ୍ପ ଭିତ୍ତିଭୂମିର ବିକାଶ ପାଇଁ ତୁରନ୍ତ ଏକ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ‌ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ କେନ୍ଦ୍ର ସରକାରଙ୍କ ଶିଳ୍ପ ଉନ୍ନୟନ ଏବଂ ଆନ୍ତଃ ବାଣିଜ୍ୟ ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ ସମେତ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ, ଟେଲି ଯୋଗାଯୋଗ, ଜାହାଜ ଚଳାଚଳ, ତୈଳ ଓ ପ୍ରାକୃତିକ ଗ୍ୟାସ, ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ, ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ, ରେଳ, ନୂତନ ଓ ଅକ୍ଷୟ ଶକ୍ତି, ଶକ୍ତି ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ଗତ ୨୩ ତାରିଖରେ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କର ଶିଳ୍ପ ଭିତ୍ତିଭୂମି ବିକାଶ ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର