ଭୁବନେଶ୍ବର: ରାଜ୍ୟର ଋଣବୋଝ ହ୍ରାସ ପାଉଛି ବୋଲି ଅର୍ଥନୈତିକ ସର୍ଭେ ୨୦୨୧-୨୨ରେ ଦର୍ଶାଯାଇଛି। ୨୦୦୩ ମସିହା ବେଳକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ରେ ଋଣର ଅନୁପାତ ୫୭ ପ୍ରତିଶତ ରହିଥିଲା। କିନ୍ତୁ ସେହି ସମୟରେ ସବୁ ରାଜ୍ୟର ଜିଏସ୍‌ଡିପି ଋଣ ଅନୁପାତ ୩୧ ପ୍ରତିଶତ ରହିଥିଲା। ତେ‌ବେ ୨୦୨୧-୨୨ ବଜେଟ ଆକଳନରେ ରାଜ୍ୟର ଋଣ ବୋଝ ୧,୬୭,୨୦୫.୮ କୋଟି ଟଙ୍କାରେ ପହଞ୍ଚିଛି। ଜିଏସ୍‌ଡିପି ଋଣ ଅନୁପାତ ୨୬.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଜିଏସ୍‌ଡିପିରେ ଆଶାଠାରୁ ଅଧିକ ବୃଦ୍ଧି କାରଣରୁ ଉକ୍ତ ଅନୁପାତ ୨୩ ପ୍ରତିଶତ ରହିଛି। କିନ୍ତୁ ୨୦୧୩ ମସିହା ବେଳକୁ ଏହି ଅନୁପାତ ୨୦ ପ୍ରତିଶତରେ ଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ଦେଶ ତୁଳନାରେ ଓଡ଼ିଶାର ଋଣ ଢାଞ୍ଚା ସଂପର୍କରେ ଅର୍ଥନୈତିକ ସର୍ଭେରେ ମଧ୍ୟ ତଥ୍ୟ ରଖାଯାଇଛି। ଏଥିରେ ଦର୍ଶାଯାଇଛି ଓଡ଼ିଶା ସରକାର ବଜାର, ବାଣିଜ୍ୟିକ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରୁ ଯେଉଁ ଋଣ ଆଣିଛନ୍ତି ତାହା ମୋଟ ଋଣର ୫୧.୭ ପ୍ରତିଶତ। କିନ୍ତୁ ସବୁ ରାଜ୍ୟ କ୍ଷେତ୍ରରେ ଏହା ୭୬.୩ ପ୍ରତିଶତ ରହିଛି। ଏହାବ୍ୟତୀତ କେନ୍ଦ୍ର ଠାରୁ ଓଡ଼ିଶା ଆଣିଥିବା ଋଣ ୭.୩ ପ୍ରତିଶତ ରହିଥିବାବେଳେ ଭବିଷ୍ୟନିଧି ପାଣ୍ଠିରୁ ଋଣ ୧୫.୮ ପ୍ରତିଶତ, ରିଜର୍ଭ ପାଣ୍ଠିରୁ ୬.୩ ପ୍ରତିଶତ ଏବଂ ଜମା ଓ ଅଗ୍ରିମରୁ ୧୮.୭ ପ୍ରତିଶତ ଋଣ ଆଣିଛି।

Advertisment

ବିତ୍ତୀୟ ଶୃଙ୍ଖଳା ଓ ବଜେଟ୍ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ଆଇନ ୨୦୦୫ ଅନୁଯାୟୀ ରାଜ୍ୟର ଋଣ ଓ ଜିଏସ୍‌ଡିପି ଅନୁପାତ ୨୦୦୮-୦୯ ଆର୍ଥିକ ବର୍ଷରୁ ଧାର୍ଯ୍ୟ ୨୫ ପ୍ରତିଶତ ତଳେ ରହିଛି। ବିକାଶମୂଳକ କାର୍ଯ୍ୟ ପାଇଁ ୨୦୧୪-୧୫ ଆର୍ଥିକ ବର୍ଷରୁ ଯଦିଓ ଏହା ବଢ଼ିବାରେ ଲାଗିଛି ତଥାପି ରାଜ୍ୟ ସରକାରଙ୍କ ଡେବ୍ଟ ଷ୍ଟକ୍‌ ଓ ଜିଏସ୍‌ଡିପି ଅନୁପାତ ୨୦୨୧-୨୨ର ବଜେଟ ଅଟକଳରେ ୧୯.୫୮ ପ୍ରତିଶତ ରହିଛି। ରାଜ୍ୟ ସରକାରଙ୍କ ଋଣ (ଡେବ୍ଟ ଷ୍ଟକ୍‌)ରେ ଖୋଲା ବଜାରରୁ ସର୍ବାଧିକ ୩୭.୨ ପ୍ରତିଶତ ଋଣ ରହିଥିବାବେଳେ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନରୁ ୨୭.୧ ପ୍ରତିଶତ, ସ୍ପେସାଲ ସିକ୍ୟୁରିଟିଜ୍‌(ଏନଏସଏସଏଫ)ରୁ ୪.୯ ପ୍ରତିଶତ, କେନ୍ଦ୍ରରୁ ୯.୭ ପ୍ରତିଶତ ଏବଂ ରାଜ୍ୟ ଭବିଷ୍ୟନିଧି ପାଣ୍ଠିରୁ ୨୧.୧ ପ୍ରତିଶତ ଋଣ କରିଥିବା ଦର୍ଶାଯାଇଛି।

ସର୍ଭେରେ ଏହା ମଧ୍ୟ ଦର୍ଶାଯାଇଛି ଯେ ୨୦୦୫-୦୬ରେ ଜିଏସ୍‌ଡିପିର ୪୨.୮ ପ୍ରତିଶତ ଋଣ ହୋଇଥିବାବେଳେ ସୁଧ ପ୍ରଦାନ ଅନୁପାତ ଥିଲା ଜିଏସ୍‌ଡିପିର ୪.୩ ପ୍ରତିଶତ ଏବଂ ରାଜସ୍ବ ଆୟରେ ସୁଧ ପ୍ରଦାନ ଅନୁପାତ ରହିଥିଲା ୨୬.୩ ପ୍ରତିଶତ। କିନ୍ତୁ ୨୦୨୧-୨୨ ବଜେଟ ଅକଟଳରେ ଏସବୁ ଯଥାକ୍ରମେ ୧୯.୬ ପ୍ରତିଶତ, ୧.୩ ପ୍ରତିଶତ ଏବଂ ୬.୪ ପ୍ରତିଶତକୁ କମିଛି।

ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ମୁଣ୍ଡପିଛା ବ୍ୟୟ ତୃତୀୟ ସର୍ବାଧିକ

ଭୁବନେଶ୍ବର: ଉତ୍ତମ ଗୁଣମାନର ମୁଣ୍ଡପିଛା ହାରାହାରି ବ୍ୟୟ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଦେଶର ସବୁରାଜ୍ୟର ହାରାହାରି ତୁଳନାରେ ଭଲ ରହିଛି। ୨୦୧୮-୧୯ରୁ ୨୦୨୧-୨୨ ମଧ୍ୟରେ ବିକାଶମୂଳକ ହାରାହାରି ବ୍ୟୟକ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ମୋଟ ବ୍ୟୟରେ ରାଜ୍ୟର ବିକାଶମୂଳକ ବ୍ୟୟ ରାଶିର ଅନୁପାତ ୬୯.୧ ପ୍ରତିଶତ ରହିଛି। କିନ୍ତୁ ସବୁ ରାଜ୍ୟ କ୍ଷେତ୍ରରେ ଏହି ବ୍ୟୟ ୬୨.୭ ପ୍ରତିଶତ ରହିଛି। ବିକାଶମୂଳକ କାର୍ଯ୍ୟ ପାଇଁ ଓଡ଼ିଶା ଦ୍ବିତୀୟ ସର୍ବାଧିକ ବ୍ୟୟ ଆବଣ୍ଟନ କରିଛି। ପୁନଶ୍ଚ ସୁଧ ପ୍ରଦାନ, ଦରମା ଆଦି କ୍ଷେତ୍ରରେ ଓଡ଼ିଶାର ବ୍ୟୟ ଅନୁପାତ କମ ରହିଛି। ତେବେ ଓଡ଼ିଶାର ମୋଟ ବ୍ୟୟରେ ପେନସନ ବ୍ୟୟ ଦେଶର ସବୁରାଜ୍ୟ ତୁଳନାରେ ଅଧିକ ରହିଛି।

୨୦୧୬-୧୭ରୁ ୨୦୨୧-୨୨ ବଜେଟ ଅଟକଳକୁ ଦେଖିଲେ ଓଡ଼ିଶା ସରକାର ବିକାଶମୂଳକ କାର୍ଯ୍ୟ ପାଇଁ ମୁଣ୍ଡପିଛା ୨୦୦୮୬ ଟଙ୍କା ବ୍ୟୟ କରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ କ୍ଷେତ୍ରରେ ଓଡ଼ିଶାର ହାରାହାରି ମୁଣ୍ଡପିଛା ବ୍ୟୟ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ସହ ତୁଳନା କରାଯାଇଛି। ଏଥିରୁ ଜଣାଯାଇଛି ଓଡ଼ିଶାରେ ଜଳସେଚନର ମୁଣ୍ଡପିଛା ବ୍ୟୟ ତୃତୀୟ ସର୍ବାଧିକ ଅର୍ଥାତ୍ ୧୬୬୯ ଟଙ୍କା ରହିଛି। ସେହିଭଳି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ମୁଣ୍ଡପିଛା ବ୍ୟୟ ତୃତୀୟ ସର୍ବାଧିକ ରହିଛି। ସ୍ବାସ୍ଥ୍ୟରେ ରାଜ୍ୟର ମୁଣ୍ଡପିଛା ବ୍ୟୟ ୧୪୮୩ ଟଙ୍କା ଥିବାବେଳେ ଶିକ୍ଷାରେ ଏହା ୩୮୯୫ ଟଙ୍କା ରହିଛି। ୭ଟି ରାଜ୍ୟକୁ ନେଇ ଏହି ତୁଳନାତ୍ମକ ଚିତ୍ର ସର୍ଭେରେ ରଖାଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟବ୍ୟୟରେ ଓଡ଼ିଶା ଉପରେ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ରହିଛନ୍ତି। ଜଳସେଚନରେ ମୁଣ୍ଡପିଛା ବ୍ୟୟକ୍ଷେତ୍ରରେ ତେଲେଙ୍ଗାନା ସବୁଠୁ ଆଗରେ ରହିଛି।