ଚଣ୍ଡିଗଡ଼: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜିଠାରୁ ଆରମ୍ଭ ହୋଇଥିବା ଜିଏସ୍ଟି ପରିଷଦର ୪୭ତମ ବୈଠକରେ କିଛି ରାଜ୍ୟ ଜିଏସ୍ଟିରେ ବଡ଼ ଭାଗ ପାଇବାକୁ ଦାବି କରିଛନ୍ତି। ବର୍ତ୍ତମାନ ସଂଗୃହୀତ ରାଶିର ୫୦% ରାଜ୍ୟଗୁଡ଼ିକୁ ଦିଆଯାଉଛି। ଏହି ହାର ଆହୁରି ବଢ଼ାଇବା ଲାଗି ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ଦାବି କରିଛନ୍ତି। ଛତିଶଗଡ଼ର ଅର୍ଥମନ୍ତ୍ରୀ ଟି ଏସ୍ ସିଂହ ଦେଓ କହିଛନ୍ତି ଯେ ରାଜ୍ୟଗୁଡ଼ିକୁ ୭୦-୮୦% ରାଶି ଦିଆଯିବା ଉଚିତ। ଚଣ୍ଡିଗଡ଼ରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଏସ୍ଟି ପରିଷଦ ବୈଠକ ହେଉଛି ଚଳିତ ବର୍ଷର ପ୍ରଥମ। ଶେଷ ବୈଠକ ଗତବର୍ଷ ଡିସେମ୍ବର ୩୧ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ କରାଯାଇଥିଲା।
ଆଜିର ଜିଏସ୍ଟି ପରିଷଦ ବୈଠକରେ କେତେକ ସାମଗ୍ରୀ ଓ ସେବାର ଟିକସ ହାରରେ ପରିବର୍ତ୍ତନ ଆଣିବା ଲାଗି ଯେଉଁ ପ୍ରସ୍ତାବ ଆସିଥିଲା ତାହାକୁ ଅନୁମୋଦନ ପ୍ରଦାନ କରାଯାଇଛି। ସୁନା, ଗହଣା ଓ ମୂଲ୍ୟବାନ ଷ୍ଟୋନ୍ର ଆନ୍ତଃ ରାଜ୍ୟ ପରିବହନ ଲାଗି ଇ-ୱେ ବିଲ୍ ଜାରି କରିବାକୁ ରାଜ୍ୟଗୁଡ଼ିକୁ ଅନୁମତି ଦିଆଯାଇଛି।
ଜିଏସ୍ଟି ହାରରେ ସଂଶୋଧନ ଆଣିବା ଲାଗି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ଏସ୍ ବୋମାଇଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ମନ୍ତ୍ରୀ ଗୋଷ୍ଠୀର ଅନ୍ତରୀଣ ରିପୋର୍ଟକୁ ଆଜିର ବୈଠକରେ ଗ୍ରହଣ କରାଯାଇଛି। ବର୍ତ୍ତମାନ କେତେକ ସାମଗ୍ରୀ ଓ ସେବା ଉପରେ ଜିଏସ୍ଟି ଛାଡ଼ କରାଯାଇଛି। ତାହାକୁ ପ୍ରତ୍ୟାହାର କରି ସେହି ସ୍ଥାନରେ ଟିକସ ଲଗାଇବାକୁ ମନ୍ତ୍ରୀ ଗୋଷ୍ଠୀ ସୁପାରିସ କରିଛି। ବିଶେଷ କରି ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ହୋଟେଲ୍ ରହଣୀକୁ ଛାଡ଼ ବର୍ଗରୁ ବାହାର କରି ତାହାକୁ ୧୨% ସ୍ଲାବ୍ରେ ସାମିଲ କରାଯାଇଛି। ଯେଉଁ ହସ୍ପିଟାଲ୍ରେ ଦୈନିକ ରୁମ୍ ଭଡ଼ା ୫୦୦୦ ଟଙ୍କାରୁ ଅଧିକ ତାହା ଉପରେ ୫% ଟିକସ ଲଗାଯାଇଛି। ପୋଷ୍ଟ୍କାର୍ଡ, ଇନଲ୍ୟାଣ୍ଡ୍ ଲେଟର, ବୁକ୍ ପୋଷ୍ଟ୍ ଓ ୧୦ ଗ୍ରାମରୁ କମ୍ ଓଜନର ଲଫାପା ବ୍ୟତୀତ ପୋଷ୍ଟ ଅଫିସର ଅନ୍ୟ ସବୁ ପ୍ରକାର ସେବା ଉପରେ ୧୦% ଟିକସ ଲଗାଯାଇଛି। ଚେକ୍ ଉପରେ ୧୮% ଟିକସ ଲାଗୁ କରାଯିବା ପ୍ରସ୍ତାବକୁ ମଧ୍ୟ ଆଜିର ବୈଠକରେ ଗ୍ରହଣ କରାଯାଇଛି।
ଷ୍ଟୋରେଜ୍ ଓ ଗୋଦାମ ଘର, ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ବିଜନେସ୍ କ୍ଲାସ୍ରେ ବିମାନ ଯାତ୍ରା, ସଡ଼କ ଓ ରେଳ ପରିବହନ, ପଶୁ ହତ୍ୟା ହାଉସ୍ ଆଦିକୁ ମିଳିଥିବା ଛାଡ଼କୁ ଆଜିର ବୈଠକରେ ପ୍ରତ୍ୟାହାର କରାଯାଇଛି। ଖୁଚୁରା ବିକ୍ରି ପାଇଁ ବ୍ରାଣ୍ଡେଡ୍ ଶବ୍ଦ ସ୍ଥାନରେ ପ୍ରି-ପ୍ୟାକେଜଡ୍ ଓ ଲାବେଲଡ୍’ ବ୍ୟବହାର କରାଯାଇଛି। ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଓ ସିରିଏଲ୍ ଟିକସ ମୁକ୍ତ ରହିବ। ଏଲ୍ଇଡି ଲ୍ୟାମ୍ପ୍, କାଳି, ଛୁରି, ବ୍ଲେଡ୍, ଶକ୍ତି ଚାଳିତ ପମ୍ପ୍, ଡେରି ମେସିନ ଉପରେ ଜିଏସ୍ଟି ହାରକୁ ୧୨%ରୁ ବଢ଼ାଇ ୧୮% କରାଯାଇଛି। ସିରିଏଲ୍ର ମିଲିଂ ପାଇଁ ବ୍ୟବହାର ହେଉଥିବା ମେସିନ୍ ଉପରେ ଟିକସ ହାରକୁ ୫%ରୁ ବଢ଼ାଇ ୧୮% କରାଯାଇଛି। ସୌର ଶକ୍ତି ଚାଳିତ ୱାଟର ହିଟର, ଫିନିସଡ୍ ଲେଦର୍ର ଟିକସ ହାରକୁ ୫%ରୁ ବଢ଼ାଇ ୧୨% କରାଯାଇଛି। ସରକାର ଦେଉଥିବା କାର୍ଯ୍ୟବରାଦ ଉପରେ ଟିକସ ହାର ୧୮%କୁ ବୃଦ୍ଧି ପାଇଛି। ଇ-ବର୍ଜ୍ୟ ଉପରେ ଟିକସ ହାରକୁ ୫%ରୁ ବଢ଼ାଇ ୧୮% କରାଯାଇଛି। ରିଜର୍ଭ ବ୍ୟାଙ୍କ, ସେବି, ଆଇଆରଡିଏଆଇ, ଏଫ୍ଏସ୍ଏସ୍ଏଆଇର ସେବା ଉପରେ ମିଳୁଥିବା ଟିକସ ଛାଡ଼ ସୁବିଧା ପ୍ରତ୍ୟାହାର କରାଯାଇଛି।