ରାଜ୍ୟରେ ସାତ ହଜାରରୁ ୨୦,୦୦୦ ଟଙ୍କିଆ ଫୋନ୍ ବିକ୍ରି ଅଧିକ

ସ୍ମାର୍ଟଫୋନ୍‌ ଉପରେ ଲୋକମାନେ ୧୨୦% ଅଧିକ ନିର୍ଭରଶୀଳ

ଭୁବନେଶ୍ବର: ସ୍ମାର୍ଟଫୋନ୍ ଲୋକମାନଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି। ଏହା ପାଖରେ ନଥିବା ବେଳେ ଲୋକମାନେ ବିଚଳିତ ହୋଇପଡ଼ୁଛନ୍ତି। କୋଭିଡ୍‌-୧୯ ମହାମାରୀ ବ୍ୟାପିବା ପରେ ଲୋକମାନେ ସ୍ମାର୍ଟଫୋନ୍ ଉପରେ ୧୨୦% ଅଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି ବୋଲି ଏକ ସର୍ଭେ ରିପୋର୍ଟରୁ ତଥ୍ୟ ଉଦ୍ଧାର କରି ନୋକିଆ ଫୋନ୍‌ ବିକ୍ରି କରୁଥିବା ସଂସ୍ଥା ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ମହାପ୍ରବନ୍ଧକ-ଭାରତ ରିତେଶ ବିନ୍ଦାଲ କହିଛନ୍ତି। ଦୁଇଟି ନୂଆ ସ୍ମାର୍ଟଫୋନ୍‌ ନୋକିଆ ୫.୪, ନୋକିଆ ୩.୪ ଓ ନୋକିଆ ପାୱାର ଇୟରବଡସ୍‌ ଲାଇଟ୍‌ ଉନ୍ମୋଚନ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଲୋକମାନେ ଏବେ ସ୍ମାର୍ଟଫୋନ୍‌କୁ ନିଜ ପାଖରେ ୩୦ ମାସ ଭଳି ଲମ୍ବା ସମୟ ରଖୁଛନ୍ତି। ପୂର୍ବଭଳି କମ୍ ସମୟ ଭିତରେ ଫୋନ୍ ବଦଳାଉ ନାହାନ୍ତି। ୮୩% ଭାରତୀୟ ନିଜ ଫୋନ୍‌କୁ ବ୍ୟବହାର କରି ‌କ୍ଷୁଦ୍ର ଭିଡିଓ, ମ୍ୟୁଜିକ୍ ଆଦି କଣ୍ଟେଣ୍ଟ୍‌ ତିଆରି କରୁଛନ୍ତି। ଓଡ଼ିଶାର ସ୍ମାର୍ଟଫୋନ୍ ବଜାର ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ରାଜ୍ୟର ଲୋକମାନେ ସୁଲଭ ମୂଲ୍ୟ ଓ ମଧ୍ୟମ ବର୍ଗର ସ୍ମାର୍ଟଫୋନ୍‌କୁ ଅଧିକ ପସନ୍ଦ କରୁଛନ୍ତି। ଓଡ଼ିଶାର ଗ୍ରାହକମାନେ ୭୦୦୦ ଟଙ୍କାରୁ ଆରମ୍ଭ କରି ୨୦,୦୦୦ ଟଙ୍କା ମୂଲ୍ୟ ଭିତରେ ଥିବା ସ୍ମାର୍ଟଫୋନ୍ ଅଧିକ ମାତ୍ରାରେ କିଣୁଛନ୍ତି। କଂପାନି ଆଣିଥିବା ତିନି ନୂଆ ଉତ୍ପାଦର ବିକ୍ରି ଚଳିତ ମାସ ୧୭ରୁ ୨୦ ଭିତରେ ଆରମ୍ଭ ହେବ ବୋଲି ସେ ଏହି ଅବସରରେ କହିଛନ୍ତି।

ସମ୍ବନ୍ଧିତ ଖବର