ସ୍ବାସ୍ଥ୍ୟସେବାରେ ଅର୍ଥନୀତିର ସ୍ଥିତି, ରୋଗୀ ଆସିବା ୭୫% ହ୍ରାସ ପାଇଛି

ହସ୍ପିଟାଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବା ସୁଯୋଗ ଆସିଛି

ଲକ୍‌ଡାଉନ୍ ସମୟରେ ରୋଗୀଙ୍କୁ ସାହାଯ୍ୟ କରିବା ଲାଗି ସଞ୍ଜୀବନୀ ହସ୍ପିଟାଲ୍‌ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି?
ଆମର ଉଭୟ ସମ୍ବଲପୁର ଓ ଝାରସୁଗୁଡ଼ାରେ ହସ୍ପିଟାଲ୍‌ ରହିଛି। ଲକ୍‌ଡାଉନ୍ ସମୟର ଆବଶ୍ୟକତା ପୂରଣ କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛୁ। ସ୍ବାଭାବିକ ସମୟରେ ଆମ ହସ୍ପିଟାଲ୍‌ରେ ମାସକୁ ୬୦-୭୦ ସନ୍ତାନ ପ୍ରସବ କରାଯାଇଥାଏ। ଲକ୍‌ଡାଉନ୍ ସମୟରେ ଆମ ହସ୍ପିଟାଲ୍‌ରେ ୪୦ରୁ ଅଧିକ ସନ୍ତାନ ପ୍ରସବ କରାଇଛୁ।
ରୋଗୀଙ୍କ ଆସିବା ପ୍ରଭାବିତ ହୋଇଛି କି?
ଓପିଡିକୁ ରୋଗୀ ଆସିବା ପ୍ରାୟ ୭୫% ହ୍ରାସ ପାଇଛି। ସେହି ଅନୁସାରେ ଆଇପିଡି ଓ ଡାଇଗ୍ନୋଷ୍ଟିକ୍‌ ପ୍ରଭାବିତ ହୋଇଥିବା ବେଳେ ନିୟମିତ ଭାବେ ହେଉଥିବା ଅସ୍ତ୍ରୋପଚାର ମଧ୍ୟ ବହୁତ କମିଛି। କରୋନା ସଙ୍କଟ ଆରମ୍ଭ ହେବା ପରେ ଆମର ୨୫% କର୍ମଚାରୀ ନିଜ ଗାଁକୁ ପଳାଇଛନ୍ତି। କୋଭିଡ୍‌ ହସ୍ପିଟାଲ୍‌ ପାଇଁ ମଧ୍ୟ ୨୫% ଜିଏନ୍‌ଏମ୍ ଏବଂ ଆୟୁଷ ଡାକ୍ତର ଚାଲିଯାଉଥିବା ଆଉ ଏକ ପ୍ରକାର ସମସ୍ୟା ସୃଷ୍ଟି କରିଛି।
– ଡକ୍ଟର ପୁରୁଷୋତ୍ତମ ଅଗ୍ରୱାଲ୍, ମୁଖ୍ୟ, ସଞ୍ଜୀବନୀ ହସ୍ପିଟାଲ୍‌, ସମ୍ବଲପୁର

ଏହି ବିଶ୍ବ ମହାମାରୀ ପ୍ରଭାବରେ ଆର୍ଥିକ ଓ ଶ୍ରମ ଦୃଷ୍ଟିରୁ କିଭଳି କ୍ଷତି ହୋଇଛି?
ସ୍ବାସ୍ଥ୍ୟ ସେବା ଉପରେ କରୋନା ସଙ୍କଟର ପ୍ରଭାବ ଗଭୀର ଭାବେ ପଡ଼ିଛି। ଲକ୍‌ଡାଉନ୍‌ ଦୀର୍ଘଦିନ ରହିବା କାରଣରୁ ଓପିଡି, ଅଣ-ଆବଶ୍ୟକ ଏବଂ ଇଲେକ୍‌ଟିଭ୍ ସର୍ଜରି ବନ୍ଦ ହୋଇଛି। ଆସୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବହୁତ କମିଛି। କିନ୍ତୁ କରୋନା ଭୂତାଣୁ ଠାରୁ ସୁରକ୍ଷିତ ରହିବା ଲାଗି ସଙ୍ଗରୋଧ ଶଯ୍ୟା, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ଅନ୍ୟାନ୍ୟ ଉପକରଣ, କଞ୍ଜ୍ୟୁମେବଲ୍ ଆଦି ଖର୍ଚ୍ଚ ବଢ଼ିଛି। ଏହି ସ୍ଥିତି ଲମ୍ବା ସମୟ ପର୍ଯ୍ୟନ୍ତ ରହିଲେ ହସ୍ପିଟାଲ୍‌ରେ ସମ୍ବଳ ଅଭାବ ଦେଖାଦେବ।
ଏହି ସଙ୍କଟ ହସ୍ପିଟାଲ୍ ଶିଳ୍ପ ପାଇଁ କିଛି ସକାରାତ୍ମକ ସୁଯୋଗ ସୃଷ୍ଟି କରିଛି କି?
ଆଗକୁ ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ମିଳିବ ଏବଂ ଏହା ଚାହିଦାରେ ରହିବ। ଔଷଧ ଚାହିଦା ସର୍ବଦା ରହିଛି। ଏହି ଭୂତାଣୁ ବିଷୟରେ ଜଣାପଡ଼ିବା ପରେ ହାତ ଧୋଇବାର ଗୁରୁତ୍ବ ବହୁତ ବଢ଼ିଯାଇଛି। ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ପୁଞ୍ଜିନିବେଶ ପରିମାଣ ବଢ଼ାଇବାର ସୁଯୋଗ ଆସିଛି। ମେଡିକାଲ୍ ଉପକରଣ ଉତ୍ପାଦନ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି। ସଂକ୍ରମଣକୁ ରୋକିବାରେ ଓଡ଼ିଶା ଏକ ପ୍ରକାର ସଫଳ ହୋଇଥିବା ବେଳେ ସୁଲଭ ମୂଲ୍ୟର ଚିକିତ୍ସା ସେବା ମିଳୁଥିବା ସ୍ଥାନ ଭାବେ ଉଭା ସୁଯୋଗ ଓଡ଼ିଶା ପାଖରେ ରହିଛି।
– ଡକ୍ଟର ଶ୍ବେତପଦ୍ମା ଦାଶ, ସିଇଓ, ସମ୍ ଅଲ୍‌ଟିମେଟ୍‌, ଭୁବନେଶ୍ବର

୧୫୦୦-୨୦୦୦
ରାଜ୍ୟରେ ଛୋଟ ବଡ଼ ହସ୍ପିଟାଲ୍‌ ଓ ନର୍ସିଂହୋମ୍ ଆଦିକୁ ମିଶାଇ ପ୍ରାୟ ୧୫୦୦ରୁ ୨୦୦୦ ପର୍ଯ୍ୟନ୍ତ ଘରୋଇ ନର୍ସିଂହୋମ୍ ଓ ହସ୍‌ପିଟାଲ୍‌ ରହିଛି। ଏହା ବ୍ୟତୀତ ମେଡିକାଲ୍ କଲେଜ, ପ୍ରତିି ଜିଲ୍ଲା‌ରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ମାଧ୍ୟମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ରହିଛି
୧୦୦
ରାଜ୍ୟରେ ପ୍ରାୟ ୧୦୦ ମଲ୍‌ଟି ସ୍ପେସିଆଲିଟି ହସ୍ପିଟାଲ୍‌ ରହିଛି ଯେଉଁଠାରେ ଅନେକ ଚିକିତ୍ସା ବିଭାଗ ରହିଛି ଓ ସେଠାରେ ରୋଗୀଙ୍କୁ ଉତ୍କୃ‌ଷ୍ଟ ମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି
୨୦୦୦
ରାଜ୍ୟରେ ପ୍ରାୟ ୨୦୦୦ ପଞ୍ଜୀକୃତ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବା ସଂସ୍ଥା ରହିଛି
୬୦୦୦
ରୋଗୀ ସେବା ପାଇଁ ରାଜ୍ୟରେ ଥିବା ଘରୋଇ ଡାକ୍ତରଖାନାଗୁଡ଼ିକରେ ପ୍ରାୟ ୬୦୦୦ ଶଯ୍ୟା ରହିଛି
୩୦୦୦
ରାଜ୍ୟରେ ଥିବା ତିନିଟି ଟିଚିଂ ହସ୍ପିଟାଲ୍‌ ଯଥା କିମସ୍‌, ସମ୍ ଓ ହାଇଟେକ୍‌ରେ ମିଳିତ ଭାବେ ୩୦୦୦ ପାଖାପାଖି ଶଯ୍ୟା ରହିଛି
୩୦,୦୦୦
ଗୋଟିଏ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌କୁ ଚଲାଇବା ଲାଗି ୫୦୦ କର୍ମଚାରୀ ଆବଶ୍ୟକ। ସେହି ଅନୁସାରେ ଓଡ଼ିଶାରେ ୬୦୦୦ ଶଯ୍ୟା ଥିବାରୁ ପ୍ରାୟ ୩୦ ହଜାର ଲୋକ ଘରୋଇ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିୟୋଜିତ ହୋଇଥିବା ଅନୁମାନ କରାଯାଉଛି
୩୦:୭୦
ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ମୋଟ ହସ୍ପିଟାଲ୍‌ଗୁଡ଼ିକ ମଧ୍ୟରୁ ସରକାରଙ୍କ ଦ୍ବାରା ୩୦ ପ୍ରତିଶତ ହସ୍ପିଟାଲ୍‌ ପରିଚାଳିତ ହେଉଥିବା ବେଳେ ବଳକା ୭୦ ପ୍ରତିଶତ ହସ୍ପିଟାଲ ବା କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ ହେଉଛି। ସହରାଞ୍ଚଳରେ ଏହି ଅନୁପାତ ସରକାରୀ ଓ ଘରୋଇ କ୍ଷେତ୍ରରେ ୨୦:୮୦ ରହିଛି
୫୦ କୋଟି
ରାଜ୍ୟ ସରକାରଙ୍କ ଉପରେ କ୍ଷୁଦ୍ର ହସ୍ପିଟାଲ୍‌ଗୁଡ଼ିକର ପ୍ରାୟ ୫୦ କୋଟି ଟଙ୍କା ବକେୟା ରହିଛି। କରୋନା ସଙ୍କଟ ଦେଖାଦେବା ପରେ ଏହି ଟଙ୍କା ତୁରନ୍ତ ଦେବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି
୧୦୦ କୋଟି
ଏକ ୧୦୦-୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ସ୍ଥାପନ କରିବାକୁ ହେଲେ ଅତିକମ୍‌ରେ ୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଦରକାର। ଜମି କିଣିବା, କୋଠା ନିର୍ମାଣ ଏବଂ ମେଡିକାଲ୍ ଉପକରଣ କିଣିବା ବାବଦରେ ଏହି ଟଙ୍କା ଖର୍ଚ୍ଚ ହେବ। ଉଚ୍ଚ ମାନର ମଲ୍‌ଟି ସ୍ପେସିଆଲିଟି ହସ୍ପିଟାଲ୍ ନିର୍ମାଣ କରିବାରେ ପ୍ରାୟ ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଦରକାର
୭୫%
କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକଡାଉନ୍ ପ୍ରଭାବରେ ଘରୋଇ ହସ୍ପିଟାଲ୍‌ଗୁଡ଼ିକର ଓପିଡିରେ ରୋଗୀ ସଂଖ୍ୟା ପ୍ରାୟ ୭୫% ହ୍ରାସ ପାଇଛି। ସେହି ଅନୁସାରେ ଆଇପିଡି, ଡାଇଗ୍ନୋଷ୍ଟିକ୍ ଏବଂ ସାଧାରଣ ଅସ୍ତ୍ରୋପଚାର ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି
୮୦%
ଦାମୀ ମେଡିକାଲ୍ ଉପକରଣର ରକ୍ଷଣାବେକ୍ଷଣ କରିବା, ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଦରମା ଦେବାରେ ମୋଟା ଅଙ୍କର ଖର୍ଚ କରିବାକୁ ପଡ଼ିଥାଏ। ହସ୍ପିଟାଲ୍‌ର ୭୦-୮୦ ପ୍ରତିଶତ ଅର୍ଥ ଏହି ବାଟରେ ଖର୍ଚ ହୋଇଯାଏ
୪୫୦୦
ବର୍ତମାନ ସୁଦ୍ଧା ରାଜ୍ୟ ସରକାର ୪୫୦୦ କୋଭିଡ୍ ଶଯ୍ୟାର ହସ୍ପିଟାଲ୍ ପ୍ରସ୍ତୁତ କରିସାରିଲେଣି। ‌ସେଥି ମଧ୍ୟରୁ ୩୩୦ଟି ଆଇସିୟୁ ଶଯ୍ୟା ରହିଛି।

ସମ୍ବନ୍ଧିତ ଖବର