ରାଜ୍ୟ ମାଗିବେ ଅଧିକ କ୍ଷତିପୂରଣ, ଜିଏସ୍‌ଟି ପରିଷଦ ବୈଠକ ୨୮ରେ

ନୂଆଦିଲ୍ଲୀ: ସାରା ଦେଶ କରୋନା ମହାମାରୀର ଭୟଙ୍କର ଦ୍ବିତୀୟ ଲହରକୁ ସାମ୍ନା କରୁଥିବା ବେଳେ ଏହାର ମୁକାବିଲା ଲାଗି ରାଜ୍ୟଗୁଡ଼ିକ ବିପୁଳ ପରିମାଣର ପାଣ୍ଠି ବ୍ୟୟ କରୁଛନ୍ତି। ସେମାନଙ୍କ ରାଜକୋଷ ଖାଲି ହେବାରେ ଲାଗିଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଚଳିତ ମାସ ୨୮ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋସିଆଲ୍ ମିଡିଆରେ ସୂଚନା ଦେଇ ଲେଖିଛନ୍ତି ଯେ ମେ’ ୨୮ରେ ଦିନ ୧୧ଟାରେ ଜିଏସ୍‌ଟି ପରିଷଦର ୪୩ତମ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ। ଦୀର୍ଘ ଛଅ ମାସର ବ୍ୟବଧାନ ପରେ ପ୍ରଥମ ଥର ଲାଗି ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପଶ୍ଚିମବଙ୍ଗ ଓ ପଞ୍ଜାବ ଭଳି ରାଜ୍ୟ ବୈଠକ ଆୟୋଜନ କରିବାକୁ ଦାବି କରୁଥିଲେ। ଶେଷ ଜିଏସ୍‌ଟି ବୈଠକ ୨୦୨୦ ଅକ୍ଟୋବର ୫ରେ ଅନୁଷ୍ଠିତ ହୋଇଥିଲା।

ଜିଏସ୍‌ଟି ପରିଷଦର ଆଗାମୀ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ପ୍ରଦାନ କରିବା ପ୍ରମୁଖ ପ୍ରସଙ୍ଗ ହୋଇପାରେ। ଯେହେତୁ ଅନେକ ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି ତେଣୁ ସେହି ସବୁ ରାଜ୍ୟର ନିଜସ୍ବ ଟିକସ ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେମାନେ କେନ୍ଦ୍ରୀୟ ଟିକସ ଭାଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ରାଜ୍ୟଗୁଡ଼ିକୁ ୧.୫୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ପ୍ରଦାନ କରିବାର ଯୋଜନା ରହିଛି। ସେହି ରାଶିକୁ ଆହୁରି ବଢ଼ାଇବା ଲାଗି ଗତ ସପ୍ତାହରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଚିଠି ଲେଖିଥିଲେ। ଲକ୍‌ଡାଉନ୍ ଯୋଗୁଁ ପୂର୍ବ ଆକଳନରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ ଜଣାଇଥିଲେ।

ସେହିପରି, ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କେନ୍ଦ୍ରକୁ ଲେଖିଥିବା ଚିଠିରେ ଜଣାଇଥିଲେ ଯେ କରୋନା ମହାମାରୀର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଅନେକ ବିଷୟ ଉପରେ ତୁରନ୍ତ ଆଲୋଚନାର ଆବଶ୍ୟକତା ରହିଛି। ସାନିଟାଇଜର, ଫେସ ମାସ୍କ, ଗ୍ଲୋଭସ୍‌, ତାପମାତ୍ରା ମାପିବା ଯନ୍ତ୍ର, ଅକ୍ସିମିଟର, ଭେଣ୍ଟିଲେଟର ଆଦି ଉପରୁ ଜିଏସ୍‌ଟି ଛାଡ଼ ଆଦି ବିଷୟରେ ‌ଆଲୋଚନା ହେବା ଦରକାର ବୋଲି ସେ ଜଣାଇଥିଲେ। ଗତ ବର୍ଷ ଜିଏସ୍‌ଟି କ୍ଷତିପୂରଣ ରାଶିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୀର୍ଘଦିନ ଧରି ମତଭେଦ ରହିଥିଲା। ରାଜ୍ୟଗୁଡ଼ିକ ନିଜ ଆଡ଼ୁ ଋଣ କରି ଟଙ୍କା ନିଅନ୍ତୁ ବୋଲି କେନ୍ଦ୍ର ସରକାର କହିଥିଲେ। ସେଥିରେ ଅନେକ ରାଜ୍ୟ ରାଜି ନହେବାରୁ ଶେଷରେ ବାଧ୍ୟ ହୋଇ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ନିଜେ ଋଣ କରି ବିଭିନ୍ନ କିସ୍ତିରେ ରାଜ୍ୟଗୁଡ଼ିକୁ ୧.୧ ଲକ୍ଷ କୋଟି ଟଙ୍କା ଦେଇଥିଲେ।

ସମ୍ବନ୍ଧିତ ଖବର