ନୂଆଦିଲ୍ଲୀ: ଡ. ଅରବିନ୍ଦ ପାନାଗାରିଆଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଷୋଡ଼ଶ ଅର୍ଥ ଆୟୋଗ ରାଜ୍ୟଗୁଡ଼ିକୁ ବଡ଼ ଝଟ୍କା ଦେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକର ଭାଗ ବାବଦ ଦିଆଯାଉଥିବା ରାଶିକୁ ଆୟୋଗ କମ୍ କରିବାକୁ ସୁପାରିସ୍ କରିବେ। ରାଜ୍ୟଗୁଡ଼ିକ ଅଧିକ ପାଣ୍ଠି ପାଇବାକୁ ଆଶା ରଖିଥିବା ବେଳେ ସେମାନଙ୍କୁ ଟିକସରେ କମ୍ ଭାଗ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ସେଭଳି କିଛି ହେଲେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ନିୟମ ଅନୁସାରେ କେନ୍ଦ୍ର ସରକାର ସଂଗ୍ରହ କରୁଥିବା ଟିକସରୁ ରାଜ୍ୟଗୁଡ଼ିକୁ ସେମାନଙ୍କ ଭାଗ ଦେବା ଲାଗି ଏକ ଡିଭିଜିବଲ୍ ପୁଲ୍ ରହିଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ୍ କ୍ରମେ ସେହି ପାଣ୍ଠିର ୪୧ ପ୍ରତିଶତ ରାଶି ଏବେ ରାଜ୍ୟମାନଙ୍କୁ ଦିଆଯାଉଛି। ଅବଶିଷ୍ଟ ରାଶି କେନ୍ଦ୍ର ପାଖରେ ରହୁଛି। ଷୋଡ଼ଶ ଅର୍ଥ ଆୟୋଗଙ୍କ ଟିମ୍ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପହଞ୍ଚି ଆଲୋଚନା କରିବା ବେଳେ ଟିକସ ହସ୍ତାନ୍ତର ହାର ୫୦ ପ୍ରତିଶତକୁ ବଢ଼ାଇବା ଲାଗି ବହୁ ରାଜ୍ୟ ଦାବି କରିଥିଲେ। ତେଣୁ ଏଥର ରାଜ୍ୟଗୁଡ଼ିକୁ ଅଧିକ ପାଣ୍ଠି ମିଳିବ ବୋଲି ଆଶା କରାଯାଉଥିଲା।
ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ୍ ୨୦୨୬ ଏପ୍ରିଲ୍ରୁ ଲାଗୁ ହେବ। ଯଦି ଟିକସ ହସ୍ତାନ୍ତର ହାର ୪୦%କୁ ହ୍ରାସ କରାଯିବ, ତେବେ କେନ୍ଦ୍ର ପାଖରେ ଅଧିକ ୩୫୦୦ କୋଟି ଟଙ୍କା ରହିବ। ଅତଏବ, ସେହି ରାଶି ରାଜ୍ୟମାନେ ହରାଇବେ। ୧୯୮୦ରେ ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଉଥିବା ହାର ୨୦ ପ୍ରତିଶତ ଥିଲା, ଯାହା ବିଭିନ୍ନ ପର୍ଯ୍ୟାୟରେ ବୃଦ୍ଧି ପାଇ ୪୧ ପ୍ରତିଶତରେ ଆସିପହଞ୍ଚିଛି। ଦେଶର ଅର୍ଥନୀତି ମନ୍ଥର ଗତିରେ ଆଗକୁ ବଢ଼ୁଥିବାରୁ ତାହା ତ୍ବରାନ୍ବିତ କରିବା ଲାଗି କେନ୍ଦ୍ରକୁ ଅଧିକ ପାଣ୍ଠି ଦରକାର ହେଉଛି। ସେଥିପାଇଁ ରାଜ୍ୟମାନଙ୍କୁ ଟିକସରେ ଦିଆଯାଉଥିବା ଭାଗ କମ୍ କରିବାକୁ ସରକାର ଚାହୁଛନ୍ତି। ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ମାର୍ଚ୍ଚ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ କମିଟିରେ ଉପସ୍ଥାପନ କରାଯିବ। ଏହାପରେ ତାହାକୁ ଅର୍ଥ ଆୟୋଗଙ୍କ ନିକଟକୁ ପଠାଯିବ।
ଦେଶରେ ଜିଏସ୍ଟି ଲାଗୁ ହେବା ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସେସ୍ ଓ ସର୍ଚାର୍ଜ ଲଗାଇ ଟିକସ ସଂଗ୍ରହ କରୁଥିବାରୁ ରାଜ୍ୟଗୁଡ଼ିକର ଟିକସ ସଂଗ୍ରହ କ୍ଷମତା ସଙ୍କୁଚିତ ହୋଇଛି। ଏଭଳି ସମୟରେ ରାଜ୍ୟଗୁଡ଼ିକୁ କମ୍ ଟିକସ ଦେବା ପାଇଁ ହେଉଥିବା ମସୁଧା ରାଜ୍ୟ ସ୍ତରରେ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ଗୁରୁତର ପ୍ରଭାବିତ ହେବ। ସଂଘୀୟ ବ୍ୟବସ୍ଥା ପ୍ରତି ମଧ୍ୟ ତାହା ଶକ୍ତ ଧକ୍କା ହେବ। ରାଜନୈତିକ ସମୀକରଣକୁ ମଧ୍ୟ ଏହି ନିଷ୍ପତ୍ତି ପ୍ରଭାବିତ କରିବ। କାରଣ ବିଭିନ୍ନ ରାଜ୍ୟରେ ସରକାର ଗଠନ କରିଥିବା ଆଞ୍ଚଳିକ ଦଳଗୁଡ଼ିକ ଭୋଟରଙ୍କୁ ଖୁସି କରିବା ପାଇଁ ଲୋଭନୀୟ ଯୋଜନା ପ୍ରସ୍ତୁତ କରିବାର ଯେଉଁ ସ୍ବାଧୀନତା ପାଇଛନ୍ତି, ତାହା ହରାଇବେ। ସେଥିପାଇଁ ପାଣ୍ଠି ଦରକାର ହେବ। ବେତନ ଓ ଦରମା ଭଳି ରାଜସ୍ବ ବ୍ୟୟ ଏବଂ ସ୍ଥାୟୀ ଭିତ୍ତିଭୂମି ଗଠନ ଲାଗି ପୁଞ୍ଜି ବ୍ୟୟ କରିବା ପରେ ସେମାନଙ୍କ ପାଖରେ ନିଜ ଯୋଜନା ଲାଗି ଅଧିକ ଟଙ୍କା ରହିବ ନାହିଁ। ବିଭିନ୍ନ କାର୍ଯ୍ୟ ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ଦେଉଥିବା ପାଣ୍ଠିକୁ ଚାହିରହିବାକୁ ପଡ଼ିବ।