କ୍ରୀଡ଼ା ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଉପରେ ରାଜ୍ୟର ଗୁରୁତ୍ବ: ପୁଞ୍ଜିନିବେଶ ପାଇଁ ଶିଳ୍ପ ମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ ୨୦୨୦ରେ ଭାରତୀୟ ହକି ଦଳର ପ୍ରଦର୍ଶନ ରାଜ୍ୟ ସରକାରଙ୍କୁ କ୍ରୀଡ଼ା ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଲାଗି ଉତ୍ସାହିତ କରିଛି। ଏଥିପାଇଁ ରାଜ୍ୟରେ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ଓଡ଼ିଶାରେ କ୍ରୀଡ଼ା ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଲାଗି ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ଶିଳ୍ପ ସଂଘ ଆସୋଚାମ୍‌ର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ କହିଛନ୍ତ ଯେ ଓଡ଼ିଶା ନିବେଶକମାନଙ୍କ ଲାଗି ଏକ ପ୍ରକୃଷ୍ଟ ରାଜ। ରାଜ୍ୟରେ ଉତ୍ପାଦନର ୟୁନିଟ୍ ମୂଲ୍ୟ ସାରା ଦେଶରେ ସବୁଠୁ କମ୍। ଶିଳ୍ପ ସଂସ୍ଥାଗୁଡ଼ିକୁ ସରକାର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରୁଥିବା ବେଳେ ରିହାତି ମଧ୍ୟ ଦେଉଛନ୍ତି ବୋଲି‌ ସେ କହିଛନ୍ତି। ରାଜ୍ୟରେ ଥିବା ପର୍ଯ୍ୟଟନର ସମ୍ଭାବନା ବିଷୟରେ ସେ ଆଲୋଚନା କରିଛନ୍ତି। ଲଣ୍ଡନ କିମ୍ବା ସ୍ବିଜରଲ୍ୟାଣ୍ଡ ବୁଲିଯିବା ବଦଳରେ କଳାହାଣ୍ଡି ବୁଲିଯିବାକୁ ସେ ପର୍ଯ୍ୟଟକମାନଙ୍କୁ ଆହ୍ବାନ ଦେଇଛନ୍ତି। ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ବିଶ୍ବର ଯେକୌଣସି କାରଖାନା ଲାଗି ଦରକାର ହେଉଥିବା ଖଣିଜ ପଦାର୍ଥ ଓଡ଼ିଶାରେ ମିଳୁଛି। ଓଡ଼ିଶାରେ ଥିବା ୪୮୦ କିଲୋମିଟରର ଉପକୂଳ ଏବଂ ବହୁ ସଂଖ୍ୟକ ବନ୍ଦର ମାଲ ପରିବହନ ଓ ଲଜିଷ୍ଟିକ୍ ଶୃଙ୍ଖଳା ଦୃଷ୍ଟିରୁ ଓଡ଼ିଶାକୁ ଏକ ଉତ୍କୃଷ୍ଟ ସ୍ଥାନରେ ପରିଣତ କରିଛି। ଏହା ବ୍ୟତୀତ ରାଜ୍ୟରେ କୁଶଳୀ ମାନବ ସମ୍ବଳ ରହିଛନ୍ତି। ସରକାରଙ୍କ ଶିଳ୍ପ ନୀତି, ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଓ ବ୍ୟବସାୟ ନିମନ୍ତେ ସର୍ବନିମ୍ନ ମୂଲ୍ୟ ଶିଳ୍ପ ଜଗତକୁ ଉତ୍ସାହିତ କରିପାରୁଛି ବୋଲି ସେ କହିଛନ୍ତି।

ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମ୍‌ର ଅଧ୍ୟକ୍ଷ ସୋହମ୍‌ ମିଶ୍ର, ସହ-ଅଧ୍ୟକ୍ଷ ଦୀପକ ଗୁଲାଟି, ଟାଟା ପାୱାର କଳିଙ୍ଗନଗର ପ୍ରକଳ୍ପ ମୁଖ୍ୟ ଭକ୍ତି ରାଜ, ଜିନ୍ଦଲ ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ଉପସଭାପତି (କର୍ପୋରେଟ୍ ବ୍ୟାପାର) ବିଭୁ ପ୍ରସାଦ ମିଶ୍ର, ଫୋୟେନିକ୍ସ ଇଣ୍ଡିଆର ନିର୍ଦେଶକ ଶ୍ରୀକାନ୍ତ ବାଡ଼ିଗା ଓ ଆସୋଚାମ୍‌ର କ୍ରୀଡ଼ା ଓ ଫିଟ୍‌ନେସ୍‌ ଶିଳ୍ପ ପରିଷଦର ଅଧ୍ୟକ୍ଷ ରାଜେଶ ଖରବନ୍ଦା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର