ନୂଆଦିଲ୍ଲୀ: କରୋନା ମହାମାରୀ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବ। ରାଜ୍ୟଗୁଡ଼ିକର ନିଜସ୍ବ ଟିକସ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇବ। ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ବିଭାଗ ପକ୍ଷରୁ ଏଭଳି ଉଦବେଗଜନକ ରିପୋର୍ଟ ପ୍ରକାଶ କରାଯାଇଛି। ଗବେଷଣା ବିଭାଗର ଆକଳନ ଅନୁଯାୟୀ, ରାଜ୍ୟଗୁଡ଼ିକ ଭାଟ୍‌, ଉତ୍ପାଦ ଶୁଳ୍କ, ଷ୍ଟାମ୍ପ ଡ୍ୟୁଟ୍ ଓ ପଞ୍ଜୀକରଣ ଫି ବାବଦରେ ରାଜ୍ୟଗୁଡ଼ିକର ରାଜସ୍ବ ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ପ୍ରାୟ ୫୩ ହଜାର କୋଟି ଟଙ୍କା ହ୍ରାସପାଇବ। ଏହି କ୍ଷତିରେ ରାଜ୍ୟଗୁଡ଼ିକର ଏସଜିଏସଟି ବାବଦ କ୍ଷତିକୁ ମିଶାଇଲେ ପ୍ରଥମ ତ୍ରୟମାସରେ ସେମାନଙ୍କର କ୍ଷତି ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ପୂରା ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ନିଜସ୍ବ ଟିକସ କ୍ଷତି ପ୍ରାୟ ୩ ଲକ୍ଷ କୋଟି ଟଙ୍କା ରହିବ ବୋଲି ଷ୍ଟେଟ ବ୍ୟାଙ୍କର ଇକୋରାପ୍‌ ରିପୋର୍ଟରେ କୁହାଯାଇଛି। ଏତଦବ୍ୟତୀତ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଗୁଡ଼ିକରେ ହେବାକୁ ଥିବା ୧.୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ଓ କେନ୍ଦ୍ର ସରକାରଙ୍କ ଅତିରିକ୍ତ ୧.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତିକୁ ମିଶାଇଲେ ଦେଶର ପ୍ରମୁଖ ରାଜ୍ୟଗୁଡ଼ିକର କ୍ଷତି ପାଖାପାଖି ୬.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ ବୋଲି ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟକାନ୍ତି ଘୋଷ କହିଛନ୍ତି।

Advertisment

ତେବେ ରାଜ୍ୟଗୁଡ଼ିକର ଏସବୁ କ୍ଷତିକୁ ବିଚାରକୁ ନେଇ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେମାନଙ୍କ ଋଣ ପରିମାଣ ବଢ଼ାଇବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଫଳରେ ରାଜ୍ୟଗୁଡ଼ିକ ଋଣ କରି ଅତିରିକ୍ତ ୪.୨୮ ଲକ୍ଷ କୋଟି ଟଙ୍କାର ସମ୍ବଳ ସଂଗ୍ରହ କରିପାରିବେ। କିନ୍ତୁ ଋଣ ପାଇଁ କେନ୍ଦ୍ର ସରକାର ଯେଉଁ ସର୍ତ୍ତ ରଖିଛନ୍ତି ତାହା ଫଳରେ ରାଜ୍ୟଗୁଡ଼ିକ ଅତିରିକ୍ତ ୩.୧୩ ଲକ୍ଷ କୋଟି ଟଙ୍କାର ସମ୍ବଳ ସଂଗ୍ରହ କରିବାକୁ ସକ୍ଷମ ହେବେ। ରିପୋର୍ଟ ଅନୁଯାୟୀ ଜିଏସଡିପିର ଅତିରିକ୍ତ ୨ ପ୍ରତିଶତ ଋଣ କରିବା ପାଇଁ ଯେଉଁ ସର୍ତ୍ତ ରଖାଯାଇଛି ସେଥିରେ ଦେଶର କେବଳ ୮ଟି ସମର୍ଥ ହେବେ। ତେଣୁ ରାଜ୍ୟଗୁଡ଼ିକ ପାଇଁ ସମୁଦାୟ ଆର୍ଥିକ ବର୍ଷରେ ମୋଟ ୩.୧ ଲକ୍ଷ କୋଟି ଟଙ୍କାର ରାଜସ୍ବ ଅଭାବ ପରିଲକ୍ଷିତ ହେବ ବୋଲି ରିପୋର୍ଟରେ କୁହାଯାଇଛି। କେନ୍ଦ୍ର ସରକାର ଗତ ମେ ମାସରେ ରାଜ୍ୟଗୁଡ଼ିକୁ ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧୀନରେ ଜିଏସଡିପିର ଅତିରିକ୍ତ ୨ ପ୍ରତିଶତ ସମ୍ବଳ ସଂଗ୍ରହ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି। ପୂର୍ବରୁ ରାଜ୍ୟଗୁଡ଼ିକୁ ଜିଏସଡିପିର ୩ ପ୍ରତିଶତ ଋଣ କରିବା ଅନୁମତି ରହିଛି।

ମହାମାରୀ କାରଣରୁ କେନ୍ଦ୍ର ସରକାରଙ୍କ ଜିଏସଟି ଆଦାୟ ରାଶି ମଧ୍ୟ ହ୍ରାସ ପାଇଛି। ତେଣୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଓ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମିଳିତଭାବେ ୫୪ ହଜାର କୋଟି ଟଙ୍କା ସ୍ଥାନାନ୍ତର କରାଗଲେ ଏଥିରୁ କିଛିଟା ନିଅଣ୍ଟ ଭରଣା ହୋଇପାରିବ ବୋଲି ରିପୋର୍ଟରେ ଦର୍ଶାାଯାଇଛି। ଏହାବ୍ୟତୀତ ରାଜ୍ୟଗୁଡ଼ିକ ପାଇଁ ୱେଜ୍ ଆଣ୍ଡ୍ ମିନ୍ସରେ ଆଉ ଏକ ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ଅନୁମତି ଦେବା ସହିତ ରିଜର୍ଭ ବ୍ୟାଙ୍କ ଖୋଲା ବଜାରରୁ ଋଣ ସଂଗ୍ରହ ମାଧ୍ୟମରେ ରାଜ୍ୟଗୁଡ଼ିକୁ ସହଯୋଗ କରିବା ଆବଶ୍ୟକ।