ରାଜ୍ୟର ଅଣ ଟିକସ ରାଜସ୍ବରେ ୪୯% ବୃଦ୍ଧି, ନିଜସ୍ବ ଟିକସ ଆୟ ୭% ବଢ଼ିଛି

ଭୁବନେଶ୍ବର: ଆର୍ଥିକ ପରିଚାଳନାରେ ସରକାରଙ୍କ ୫-ଟି ନୀତି କାର୍ଯ୍ୟକାରୀ ହେବା ପରେ ଟିକସ ଆଦାୟ ଏବଂ ବ୍ୟୟ ଆଦିରେ ପାରଦର୍ଶିତା ଆସିଛି। ଅନଲାଇନ୍ ବ୍ୟବସ୍ଥାରେ ଟିକସ ପୈଠ ଏବଂ ଇ-ରିସିପ୍ଟ ଆଦି ଯୋଗୁ ରାଜସ୍ବ ବ୍ୟାପାରରେ ସ୍ବଚ୍ଛତା ଆସିଛି। ଲୋକସେବା ଭବନ ପରିସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନଲାଇନ୍‌ରେ ଆଜି ଅନୁଷ୍ଠିତ ବୈଠକରୁ ଏହା ଜଣାଯାଇଛି।
ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ରାଜସ୍ବ କ୍ଷେତ୍ରରେ ଆସିଥିବା ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ।

କରୋନା ଜନିତ ଲକଡାଉନ୍, ସଟ୍‌ଡାଉନ୍ ଓ ଅନ୍ୟ ସମସ୍ତ କଟକଣା ସତ୍ତ୍ବେ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଅଣ ଟିକସ ରାଜସ୍ବ ଆଦାୟରେ ୪୮.୬୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୧୪,୬୪୭ କୋଟି ଟଙ୍କାର ଅଣ ଟିକସ ବାବଦରେ ଆଦାୟ କରିଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୨୧,୭୭୦.୬୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ନିଜସ୍ବ ଟିକସ ଆୟରେ ୭.୧୧ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଜସ୍ବ ଟିକସ ବାବଦରେ ୩୨,୩୧୫ କୋଟି ଟଙ୍କା ଆଦାୟ କରିଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୩୪,୫୧୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜସ୍ବ ଆଦାୟରେ ଦେଖାଦେଇଥିବା ବୃଦ୍ଧି ଫଳରେ ବିଭିନ୍ନ ବିଭାଗର ମୋଟ ବ୍ୟୟ ମଧ୍ୟ ବଢ଼ିଛି। ବିଭିନ୍ନ ବିଭାଗର ମୋଟ ବ୍ୟୟ ଗତ ଆର୍ଥିକ ବର୍ଷରେ ୧,୨୬,୫୦୦ କୋଟି ଟଙ୍କା ରହିଛି। ଏଥିରେ ପୁଞ୍ଜି ବ୍ୟୟ ପରିମାଣ ହେଉଛି ୫୯,୭୦୦ କୋଟି ଟଙ୍କା।

ଏହି ଅବସରରେ ମୁଖ୍ୟ ସଚିବ ବିଭାଗୱାରୀ ଆର୍ଥିକ ଅଗ୍ରଗତିର ସମୀକ୍ଷା କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଅଧୀନରେ ପୁଞ୍ଜି ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟ ସଚିବ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ କାର୍ଯ୍ୟ ସିଜନ୍‌ରେ ପୁଞ୍ଜି ବ୍ୟୟ ବଢ଼ାଯାଇ ପାରିଲେ ଅର୍ଥନୈତିକ ଅଭିବୃଦ୍ଧି ଉଚ୍ଚସ୍ତରରେ ରହିପାରିବ ବୋଲି ସେ କହିଥିଲେ। ଏଥିସହିତ ଚଳିତ ଆର୍ଥିକ ବର୍ଷରେ ଜୀବିକା ବୃଦ୍ଧି ପ୍ରକଳ୍ପ ଏବଂ ଯୋଜନାଗୁଡ଼ିକୁ ଭଲଭାବେ ନିରୀକ୍ଷଣ କରିବା ପାଇଁ ମୁଖ୍ୟ ସଚିବ ସବୁ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ମୀନା ସୂଚନା ଦେଇଥିଲେ ଯେ ଆଗାମୀ କିଛି ବର୍ଷ ପାଇଁ କେଉଁ ପ୍ରକଳ୍ପରେ ବାର୍ଷିକ କେତେ ଖର୍ଚ୍ଚ ହେବ ଏବଂ କିଭଳି ମଞ୍ଜୁର କରାଯିବ ତାହାର ଏକ ଅନଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିବା ଲାଗି ପ୍ରଶାସନିକ ବିଭାଗ ଗୁଡ଼ିକୁ ଅଧିକ ଆର୍ଥିକ କ୍ଷମତା ପ୍ରଦାନ କରାଯିବ ନେଇ ଅର୍ଥ ବିଭାଗ ନିଷ୍ପତ୍ତି ନେଇଥିବା ବିଷୟ ସେ କହିଥିଲେ।

ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଏବଂ ଓମ୍‌ବାଡ୍‌ସି ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଏହି ଅବସରରେ ମୁଖ୍ୟ ସଚିବ କରିଥିଲେ। ଡିଏମ୍‌ଏଫ୍‌ ଅଧୀନରେ ୨୦୨୧ ମାର୍ଚ୍ଚ ସୁଦ୍ଧା ମୋଟ ପ୍ରାୟ ୧୨୩୭୬ କୋଟି ଟଙ୍କା ଆଦାୟ ହୋଇଛି। କିନ୍ତୁ ଏ ବାବଦରେ ବିଭିନ୍ନ ଜିଲ୍ଲାରେ ୧୯,୪୯୬ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୧୩,୭୪୯ କୋଟି ଟଙ୍କା। ମଞ୍ଜୁର ହୋଇଥିବା ୧୯,୪୯୬ଟି ପ୍ରକଳ୍ପ ମଧ୍ୟରୁ ୧୨,୮୪୮ଟି ପ୍ରକଳ୍ପ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଛି। ସେହିଭଳି ଓମ୍‌ବାଡ୍‌ସିର ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୧୯,୦୦୦ କୋଟି ଟଙ୍କା ୨୦୨୧ ମାର୍ଚ୍ଚ ସୁଦ୍ଧା ସଂଗ୍ରହ ହୋଇଛି। ଏହା ଅଧୀନରେ ୧୪୦୪୩ କୋଟି ଟଙ୍କାର ୩୮ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏସବୁ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ବିଭିନ୍ନ ପର୍ଯ୍ୟାୟରେ ରହିଛି ବୋଲି ସମୀକ୍ଷା ବୈଠକରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର