ଭୁବନେଶ୍ବର: ଚଳିତ ବର୍ଷ ନଭେମ୍ବରରେ ରାଜ୍ୟରେ ଟିକସ ଆଦାୟରେ ଦ୍ରୁତ ସୁଧାର ପରିଲକ୍ଷିତ ହୋଇଛି। ଉଭୟ ଜିଏସ୍ଟି ଓ ଅଣ ଜିଏସ୍ଟି ଆଦାୟ ଉତ୍ସାହଜନକ ରହିଛି। ନଭେମ୍ବରରେ ପେଟ୍ରୋଲିୟମ୍ ସାମଗ୍ରୀ ବିକ୍ରିରୁ ୫୩୨.୮୩ କୋଟି ଟଙ୍କାର ଭାଟ୍ ଆଦାୟ ହୋଇଛି ଯାହା ଗତବର୍ଷ ନଭେମ୍ବରରେ ହୋଇଥିବା ୪୧୧.୬୧ କୋଟି ଟଙ୍କା ଆୟ ତୁଳନାରେ ୨୬.୩୬ ପ୍ରତିଶତ ଅଧିକ। ପେଟ୍ରୋଲିୟମ୍ ସାମଗ୍ରୀ ଓ ମଦ ଉପରୁ ମୋଟ ଅଣ-ଜିଏସ୍ଟି ଟିକସ ସଂଗ୍ରହ ୬୧୩.୪୧ କୋଟି ଟଙ୍କା ହୋଇଛି। ଗତବର୍ଷ ନଭେମ୍ବରରେ ଏହି ରାଜସ୍ବ ଆୟ ୫୫୨.୪୦ କୋଟି ଟଙ୍କା ଥିଲା।ନିକଟରେ ରାଜ୍ୟ ବାଣିଜ୍ୟ କର ଓ ଜିଏସ୍ଟି ଆୟୁକ୍ତ ସୁଶୀଲ କୁମାର ଲୋହାନି ସମୀକ୍ଷା କରି ରାଜସ୍ବ ହାନି ଘଟୁଥିବା କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଟିକସ ଫାଙ୍କୁଥିବା ଟିକସଦାତାଙ୍କ ଉପରେ କଡ଼ା ନଜର ରଖି ସେମାନେ ଦାଖଲ କରୁଥିବା ରିଟର୍ଣ୍ଣକୁ ଭଲ ଭାବେ ଯାଞ୍ଚ କରିବା ଏବଂ ହେରଫେର ଧରାପଡ଼ିଲେ ଉଚିତ ପଦକ୍ଷେପ ଗ୍ରହଣ କରିବା ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ବକେୟା ରାଜସ୍ବ ସଂଗ୍ରହ ତ୍ବରାନ୍ବିତ କରିବାକୁ ମଧ୍ୟ କୁହାଯାଇଛି।
ରାଜ୍ୟ ବାଣିଜ୍ୟ କର ଓ ଜିଏସ୍ଟି ଆୟୁକ୍ତ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ରାଜ୍ୟ ଜିଏସ୍ଟି ଆଦାୟରେ ଯଥାକ୍ରମେ ୩.୪୨ ପ୍ରତିଶତ ଓ ୮.୧୮ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ନଭେମ୍ବର ଆଦାୟ ୨.୭୧ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ ଯଥାକ୍ରମେ ୬୧୦.୧୬ କୋଟି ଟଙ୍କା, ୬୨୭.୭୩ କୋଟି ଟଙ୍କା ଏବଂ ୭୦୦.୬୬ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ଆଦାୟ ହୋଇଥିଲା। ଚଳିତ ବର୍ଷ ସେହି ତିନି ମାସରେ ରାଜ୍ୟ ଜିଏସ୍ଟି ଆଦାୟ ଯଥାକ୍ରମେ ୬୩୧.୦୮ କୋଟି ଟଙ୍କା, ୬୬୦.୦୬ କୋଟି ଟଙ୍କା ଏବଂ ୬୮୧.୬୬ କୋଟି ଟଙ୍କା ରହିଛି। ୱାର୍କସ୍-କଣ୍ଟ୍ରାକ୍ଟରମାନଙ୍କ ଠାରୁ କମ୍ ଜିଏସ୍ଟି ମିଳିବା ଏବଂ ଯାନବାହନ କ୍ଷେତ୍ରରେ କ୍ରେଡିଟ୍ ଅଧିକ ରହିବାରୁ ଚଳିତ ବର୍ଷ ନଭେମ୍ବରରେ ଜିଏସ୍ଟି ଆଦାୟ କମ୍ ରହିଛି। କେତେକ ଖଣି ବନ୍ଦ ହୋଇଯିବା କାରଣରୁ ଖଣି ରାଜସ୍ବ ସଂଗ୍ରହ ଆଶାନୁରୂପ ରହିନାହିଁ। ତେବେ ଅର୍ଥନୀତିର ଅନେକ କ୍ଷେତ୍ର ଖୋଲିଯାଇଥିବାରୁ, ଭିତ୍ତିଭୂମି ବିକାଶରେ ସରକାରଙ୍କ ବ୍ୟୟ ବଢ଼ିବା ଏବଂ ସାଧାରଣରେ ସାମଗ୍ରୀଗୁଡ଼ିକର ବ୍ୟବହାର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଟିକସ ସଂଗ୍ରହ ଆହୁରି ଅଧିକ ରହିବ ବୋଲି ଆଶା କରାଯାଉଛି।