ଇସ୍ପାତ ଶିଳ୍ପର ଲୁହାପଥର ଚିନ୍ତା, ରପ୍ତାନି କଟକଣା ଦାବି କଲା ଇସ୍ପାତ ସଂଘ

ଭାରତୀୟ କଂପାନି କିଣୁନଥିବା ଲୁହାପଥର ରପ୍ତାନି ହେଉଛି: ଫିମି

ମୁମ୍ବାଇ: ଦେଶରେ ଖଣି ଲିଜ୍‌ ମାଲିକାନାରେ ପରିବର୍ତ୍ତନ ହେଉଥିବା ଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଚୀନ୍‌କୁ ବିପୁଳ ପରିମାଣର ଲୁହାପଥର ରପ୍ତାନି କରାଯାଉଥିବାରୁ ଇସ୍ପାତ କଂପାନିଗୁଡ଼ିକର ବ୍ୟବହାର ପାଇଁ ଲୁହାପଥରର ଘୋର ଅଭାବ ଦେଖାଦେଇଛି। ଏହି ସମସ୍ୟା ବିଷୟରେ ଭାରତୀୟ ଇସ୍ପାତ ସଂଘ ବାଣିଜ୍ୟ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଦୃଷ୍ଟି ଆକର୍ଷଣ କରିଛି। ଲୁହାପଥର ରପ୍ତାନି ଉପରେ କଟକଣା ଲଗାଇବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସଂଘର ସାଧାରଣ ସମ୍ପାଦକ ଭାସ୍କର ଚାଟାର୍ଜୀ ଜଣାଇଛନ୍ତି ଯେ ଖଣିଜ ବହୁଳ ରାଜ୍ୟଗୁଡ଼ିକରେ ଲୁହା ପଥର ଉତ୍ପାଦନ ହ୍ରାସ ପାଇଛି। ‌ସେଥିପାଇଁ ଇସ୍ପାତ କଂପାନିଗୁଡ଼ିକ ଆବଶ୍ୟକ କଞ୍ଚାମାଲ ପାଇବାରେ ଅସୁବିଧା ସାମ୍ନା କରୁଛନ୍ତି। ଚଳିତ ବର୍ଷ ଏପ୍ରିଲ୍-ଜୁଲାଇରେ ଉତ୍ପାଦନ ଗତବର୍ଷର ସେହି ସମୟ ତୁଳନାରେ ୫୦% କମ୍ ରହିଛି। ଚଳିତ ବର୍ଷ ଏପ୍ରିଲ୍‌-ସେପ୍ଟେମ୍ବରରେ ୪୭ ନିୟୁତ ଟନ୍ ଲୁହାପଥର ଉତ୍ପାଦନ ହୋଇଛି। ଇସ୍ପାତ କଂପାନିଗୁଡ଼ିକୁ ବଞ୍ଚାଇ ରଖିବାକୁ ହେଲେ ଲୁହାପଥର ରପ୍ତାନି ଉପରେ କଟକଣା ଜାରି କରାଯିବା ଦରକାର ବୋଲି ଅଲ ଇଣ୍ଡିଆ ଇଣ୍ଡକ୍ସନ ଫର୍ଣ୍ଣାସେସ୍‌ ଆସୋସିଏସନ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଛି। ଆଲୋଚ୍ୟ ସମୟରେ ଲୁହାପଥର ରପ୍ତାନିରେ ୬୩ ପ୍ରତିଶତ ବୃଦ୍ଧି ‌ହୋଇଛି ବୋଲି ଅନ୍ୟ ଏକ ଚିଠିରେ ଇସ୍ପାତ ସଂଘ ସୂଚନା ଦେଇଛି। ଗତ ଦୁଇ ମାସ ଭିତରେ ବିପୁଳ ପରିମାଣର ଲୁହାପଥର ରପ୍ତାନି କରାଯାଇଛି। ବିଶେଷ କରି ଚୀନ୍‌କୁ ତାହା ପଠାଯାଉଛି। ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ ୧୩୩% ଅଧିକ ଲୁହାପଥର ରପ୍ତାନି ହୋଇଛି।

ଭାରତୀୟ କଂପାନି କିଣୁନଥିବା ଲୁହାପଥର ରପ୍ତାନି ହେଉଛି: ଫିମି, ଭାରତ ରପ୍ତାନି ବନ୍ଦ କଲେ ଚୀନ୍‌କୁ ଫରକ ପଡ଼ିବନି
ନୂଆଦିଲ୍ଲୀ: ଲୁହାପଥର ରପ୍ତାନିକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ଫେଡେରେସନ ଅଫ ଇଣ୍ଡିଆନ ମିନେରାଲ ଇଣ୍ଡଷ୍ଟ୍ରିଜ୍ (ଫିମି) ଚଳିତ ମାସ ୬ ତାରିଖରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଏକ ଚିଠି ଲେଖି ସ୍ପଷ୍ଟ ଚିତ୍ର ପ୍ରଦାନ କରିଥିଲା। ଚଳିତ ମାସ ୩ ତାରିଖରେ ଗୋୟଲ ଲୁହାପଥର ରପ୍ତାନି ପ୍ରସଙ୍ଗରେ ଏକ ଟୁଇଟ୍‌ କରିଥିଲେ। ସେଥିରେ ସେ ଯେଉଁ ଚିନ୍ତା ପ୍ରକଟ କରିଥିଲେ ତାହା ଉପରେ ଫିମି ସ୍ପଷ୍ଟୀକରଣ ଦେଇଛି। ଫିମି ସ୍ପଷ୍ଟ କରିଥିଲା ଯେ ଦେଶର କୌଣସି ଖଣି କଂପାନି ରପ୍ତାନି ଉଦ୍ଦେଶ୍ୟରେ ଉତ୍ପାଦନ କରୁନାହାନ୍ତି।

କେବଳ ସେହି ଲୁହାପଥର ରପ୍ତାନି କରାଯାଉଛି ଯାହାକୁ ଦେଶରେ ଥିବା ଇସ୍ପାତ କିମ୍ବା ସ୍ପଞ୍ଜ୍‌ ଆଇରନ୍ କଂପାନିଗୁଡ଼ିକ କିଣୁନାହାନ୍ତି। ଇସ୍ପାତ ଓ ସ୍ପଞ୍ଜ ଆଇରନ୍ କଂପାନିଗୁଡ଼ିକର ଲୁହାପଥର ଆବଶ୍ୟକତା ୧୬୫ ନିୟୁତ ଟନ୍ ହୋଇଥିବା ବେଳେ ଉତ୍ପାଦନ କିନ୍ତୁ ତା’ଠାରୁ ଅଧିକ ୨୦୬ ନିୟୁତ ଟନ୍ ରହୁଛି। ଦେଶ ଭିତରେ ଥିବା କଂପାନିଗୁଡ଼ିକ +୬୨% ଏଫ୍‌ଇ ମାନର ଲୁହାପଥର କିଣୁଛନ୍ତି। ଏହା ଠାରୁ ନିମ୍ନ ମାନର ଲୁହାପଥର ଖଣି ଉପରିଭାଗରେ ପଡ଼ି ରହୁଛି। ସେହି ଲୁହାପଥରକୁ କୌଣସି କଂପାନି କିଣୁନାହାନ୍ତି। ଚୀନ୍ ଯେତିକି ପରିମାଣର ଲୁହାପଥର ଆମଦାନି କରୁଛି ସେଥିରେ ଭାରତ ପଠାଉଥିବା ଲୁହାପଥରର ଅବଦାନ ୧%ରୁ କମ୍ ରହିଛି। ତେଣୁ ଭାରତ ଏହାର ଲୁହାପଥର ରପ୍ତାନି କରୁ ବା ନକରୁ ତାହା ଚୀନ୍‌କୁ ପ୍ରଭାବିତ କରିବ ନାହିଁ ବୋଲି ଫିମି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର