ନୂଆଦିଲ୍ଲୀ: ଧୀରୁଭାଇ ଅମ୍ବାନିଙ୍କ ସାନ ପୁଅ ଏବଂ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ହୋଇ ଜନ୍ମ ହେବାର ସୌଭାଗ୍ୟ ହାସଲ କରିଥିଲେ ଅନିଲ ଅମ୍ବାନି। ବାପାଙ୍କ ଦେହାନ୍ତ ପରେ ସମ୍ପତ୍ତି ପାଇଁ ବଡ଼ ଭାଇଙ୍କ ସହ ଝଗଡ଼ା କରିଥିଲେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍କୁ ଦୁଇ ଭାଗ କରି ସେଥିରୁ ନିଜ ଭାଗର ପ୍ରାପ୍ୟ ମଧ୍ୟ ଆଣିଥିଲେ। ୨୦୦୮ରେ ସେ ବିଶ୍ବର ଷଷ୍ଠ ବଡ଼ ଧନୀ ଥିଲେ। ସେହି ସମୟରେ ତାଙ୍କ ସମ୍ପତ୍ତି ପରିମାଣ ୪୨୦୦ କୋଟି ଡଲାର ଥିଲା। ଏବେ ତାଙ୍କ ପାଖରେ କିଛି ନାହିଁ କହିଲେ ଭୁଲ ହେବନାହିଁ। ତାଙ୍କର ଅଧିକାଂଶ କମ୍ପାନି ବନ୍ଦ ହୋଇଯାଇଛି କିମ୍ବା ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି। ଅନେକ ବ୍ୟବସାୟ ବିଫଳ ହେବା ପରେ ତାଙ୍କ ସମ୍ପତ୍ତି ଦ୍ରୁତ ଗତିରେ ହ୍ରାସ ପାଇବା ସହ ଧନୀ ତାଲିକାରୁ ମଧ୍ୟ ସେ ବିଦା ହୋଇଯାଇଛନ୍ତି।
ତଳିତଳାନ୍ତ ହୋଇପଡ଼ିଥିବା ଅନିଲ ବିଭିନ୍ନ ଆଇନ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ତାଙ୍କର କେତେକ କମ୍ପାନି ନାମରେ କୋର୍ଟରେ ମାମଲା ଚାଲିଛି। କିଛି ଦିନ ପୂର୍ବେ ତାଙ୍କ କମ୍ପାନି ରିଲାଏନ୍ସ ଇନ୍ଫ୍ରାଷ୍ଟ୍ରକର୍ ଏକ ମଧ୍ୟସ୍ଥତା ଟ୍ରିବ୍ୟୁନାଲ୍ରେ ୮୦୦୦ କୋଟି ଟଙ୍କାର ମାମଲା ଜିତିଥିଲା। ଗତକାଲି ସୁପ୍ରିମକୋର୍ଟ ତାହାକୁ ଖାରଜ କରିଦେଇଛନ୍ତି। ଏହି ମାମଲାରେ ଅନିଲଙ୍କ କମ୍ପାନିକୁ ଏବେ ଦିଲ୍ଲୀ ମେଟ୍ରୋ ରେଳକୁ ୩,୩୦୦ କୋଟି ଟଙ୍କା ଫେରାଇବାକୁ ପଡ଼ିବ। ୧୯୮୬ରୁ କମ୍ପାନି କାର୍ଯ୍ୟର ଦେଖାଶୁଣା କରିବା ଲାଗି ଅନିଲ ବାପାଙ୍କ କମ୍ପାନି ରିଲାଏନ୍ସରେ ଯୋଗ ଦେଇଥିଲେ। ୨୦୦୨ରେ ବାପା ଧୀରୁଭାଇଙ୍କ ଦେହାନ୍ତ ପରେ ବଡ଼ ଭାଇ ମୁକେଶଙ୍କ ସହ ମିଶି ସେ ମିଳିତ ଭାବେ ରିଲାଏନ୍ସର ଦେଖାଶୁଣା କରୁଥିଲେ। ନିୟନ୍ତ୍ରଣର ଭାଗମାପକୁ ନେଇ ଅଶାନ୍ତି ବଢ଼ିବାରୁ ଧୀରୁଭାଇଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ଦୁଇ ପୁଅ ମୁକେଶ ଓ ଅନିଲଙ୍କ ମଧ୍ୟରେ ଭାଗ କରାଯାଇଥିଲା। ଅନିଲ ଅମ୍ବାନିଙ୍କ ଭାଗରେ ଟେଲିଯୋଗାଯୋଗ, ବିଦ୍ୟୁତ ଶକ୍ତି ଓ ଆର୍ଥିକ ସେବା କମ୍ପାନିଗୁଡ଼ିକ ପଡ଼ିଥିଲା। ବଡ଼ ଭାଇଠାରୁ ଅଲଗା ହେବା ପରେ ନିଜ କମ୍ପାନିକୁ ଦ୍ରୁତ ଗତିରେ ବଢ଼ାଇବା ଲାଗି ଅନିଲ ଉଦ୍ୟମ କରି ନୂଆ ନୂଆ କ୍ଷେତ୍ରରେ ପ୍ରବେଶ କରିଥିଲେ। ସେଥିପାଇଁ ସେ ଋଣ ଉପରେ ସର୍ବାଧିକ ଭରସା କରିଥିଲେ ଯାହା ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ସମସ୍ୟାର ପାହାଡ଼ ଠିଆ କରାଇଥିଲା। ଏରିକ୍ସନକୁ ୫୫୦ କୋଟି ଟଙ୍କା ନଦେଲେ ଜେଲ୍ ପଠାଇ ଦେବୁ ବୋଲି ୨୦୧୯ରେ ଅନିଲଙ୍କୁ ସୁପ୍ରିମକୋର୍ଟ ଧମକ ଦେଇଥିଲେ। ସେହି ସମୟରେ ବଡ଼ ଭାଇ ମୁକେଶ ତାଙ୍କୁ ଉଦ୍ଧାର କରିଥିଲେ।
ମନୋରଞ୍ଜନ ଓ ପ୍ରତିରକ୍ଷା କ୍ଷେତ୍ରରେ ପ୍ରବେଶ କରି ସେ ଯେଉଁ ବାଜି ଲଗାଇଥିଲେ ତାହା ସଫଳ ହୋଇନଥିଲା। ତାଙ୍କ ପ୍ରମୁଖ ସଂସ୍ଥା ରିଲାଏନ୍ସ କମ୍ୟୁନିକେସନ ଆଇନଗତ ସମସ୍ୟାରେ ଛନ୍ଦି ହୋଇପଡ଼ିଥିଲା। ସେଥିପାଇଁ ସେ ସମ୍ପତ୍ତି ବିକିବାକୁ ମଧ୍ୟ ବାଧ୍ୟ ହୋଇଥିଲେ। ଏବେ ସେହି କମ୍ପାନି ବନ୍ଦ ହୋଇସାରିଛି। ୨୦୨୧ରେ ତାଙ୍କର ଆଉ ଏକ କମ୍ପାନି ରିଲାଏନ୍ସ କ୍ୟାପିଟାଲ୍କୁ ଦେବାଳିଆ ଘୋଷଣା କରିବା ଲାଗି ଆବେଦନ କରାଯାଇଥିଲା। ରିଲାଏନ୍ସ କ୍ୟାପିଟାଲ୍ ୨୪,୦୦୦ କୋଟି ଟଙ୍କାର ବଣ୍ଡ ଖିଲାପ କରିଛି। ମୁମ୍ବାଇର ପ୍ରଥମ ମେଟ୍ରୋ ଲାଇନ୍ ତିଆରି କରିଥିବା ତାଙ୍କ କମ୍ପାନି ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର୍ ମଧ୍ୟ ଆର୍ଥିକ ସ୍ତରରେ ସଂଘର୍ଷ କରୁଛି।