ଦୁଇ ଅମ୍ବାନି ଭାଇଙ୍କ କାହାଣୀ: ବଡ଼ କୁବେର, ସାନ ଦେବାଳିଆ

ସମ୍ପତ୍ତି ଭାଗବଣ୍ଟା ଝଗଡ଼ା; ଅନିଲ ଦୌଡ଼ିଲେ, ସବୁ କିଛି ସମ୍ଭାଳି ପାରିଲେନି

ମୁମ୍ବାଇ:   ଜୀବନ ହେଉଛି ଉତ୍‌ଥାନ ଓ ପତନର ଯାତ୍ରା। କେତେ ବେଳେ କାହାର ସ୍ଥିତି କ’ଣ ହେବ ତାହା କେହି ଜାଣନ୍ତି ନାହିଁ। ଏହାର ଏକ ବଳିଷ୍ଠ ଉଦାହରଣ ହେଉଛି ‌ସ୍ବର୍ଗତ ଶିଳ୍ପପତି ଧୀରୁଭାଇ ଅମ୍ବାନିଙ୍କ ଦୁଇ ପୁଅ ମୁକେଶ ଓ ଅନିଲଙ୍କ କାହାଣୀ। ୨୦୦୦ ମସିହା ବେଳକୁ ବାପାଙ୍କ ସମ୍ପତ୍ତିରେ ଦୁଇ ଭାଇଙ୍କର ସମାନ ଅଧିକାର ଥିଲା। ମାତ୍ର ୨୦ ବର୍ଷ ବ୍ୟବଧାନରେ ଅନେକ କିଛି ଓଲଟ ପାଲଟ ହୋଇଯାଇଛି। ବଡ଼ ଭାଇ ମୁକେଶ ନିଜର ବ୍ୟବସାୟ ସାମ୍ରାଜ୍ୟକୁ ଅବିଶ୍ବସନୀୟ ଭାବେ ବଢ଼ାଇ ଚାଲିଥିବା ବେଳେ ସାନ ଭାଇ ସାଂଘାତିକ ମାତ୍ରାରେ ସମ୍ପତ୍ତି ହରାଇଛନ୍ତି। ମୁକେଶ ଏବେ ବିଶ୍ବର ଷଷ୍ଠ ବଡ଼ ଧନୀ ବ୍ୟକ୍ତିର ମାନ୍ୟତା ହାସଲ କରିଥିବା ବେଳେ ଅନିଲ ଋଣ ଜାଲରେ ଛନ୍ଦି ହୋଇ ଗୋଟିଏ ପରେ ଗୋଟିଏ ଅଦାଲତ ମାମଲାର ସାମ୍ନା କରୁଛନ୍ତି। ଅଧିକାଂଶ ମାମଲାରେ ତାଙ୍କ ପ୍ରତି ଜେଲ ଯିବା ବିପଦ ରହିଛି। ସେଥିରୁ ବର୍ତିବା ଲାଗି ସେ ନିଜର ଗୋଟିଏ ପରେ ଗୋଟିଏ ସମ୍ପତ୍ତି ବିକ୍ରି କରୁଛନ୍ତି।

କିଛିଦିନ ତଳେ ଏରିକ୍ସନକୁ ୫୫୦ କୋଟି ଟଙ୍କା ଦେବା ମାମଲାରେ ସୁପ୍ରିମକୋର୍ଟ ଅନିଲଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଚାରି ସପ୍ତାହ ଭିତରେ ସବୁ ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଥିଲେ। ଯଦି ସେଥିରେ ଅନିଲ ବିଫଳ ହୋଇଥାନ୍ତେ ତେବେ ତାଙ୍କୁ ଜେଲ୍‌ରେ ତିନି ମାସ ବିତାଇବାକୁ ପଡ଼ିଥାନ୍ତା। ପୁରୁଣା ମାମଲାକୁ ଭୁଲି ସାନ ଭାଇକୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଥିଲେ ବଡ଼ ଭାଇ ମୁକେଶ। ସେହି ସମୟରେ ନିଜ ପୁଅ ଆକାଶ ଓ ଝିଅ ଈଶାର ବାହାଘର କରିବାକୁ ଯାଉଥିଲେ ମୁକେଶ। ଘରର ଖୁସି ପାଇଁ ସେହି ସମୟରେ ଅନିଲଙ୍କୁ ମୁକେଶ ସାହାଯ୍ୟ କରିଥିଲେ ଯେଉଁଥି ପାଇଁ ସେ ଜେଲ୍‌ ଯିବାରୁ ବର୍ତି ଯାଇଥିଲେ। ଏବେ ପୁଣି ଥରେ ସଙ୍କଟରେ ପଡ଼ିଛନ୍ତି ଅନିଲ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ୧୨୦୦ କୋଟି ଟଙ୍କା ଋଣ ଅସୁଲ ପାଇଁ ଅନିଲଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ ବିରୋଧରେ ଦେବାଳିଆ ମାମଲା ରୁଜୁ କରାଯାଇଛି। ଦୁଇଭାଇଙ୍କ ଜୀବନଯାତ୍ରାରେ ଦେଖାଦେଇଥିବା ବିଭିନ୍ନ ମୋଡ଼କୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା…

Latestly

ଧୀରୁଭାଇ ଅମ୍ବାନିଙ୍କ ସାନପୁଅ ଅନିଲଙ୍କ ଜନ୍ମ ୧୯୫୯ ଜୁନ୍ ୪ରେ ମୁମ୍ବାଇରେ ହୋଇଥିଲା। ବାପାଙ୍କ ଅଧୀନରେ ରହି ବଡ଼ ଭାଇ ମୁକେଶଙ୍କ ସହ ସେ ବ୍ୟବସାୟ ପରିଚାଳନା ଶିଖିଥିଲେ। ‌ବମ୍ବେ ବିଶ୍ବବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ଅନିଲ ପେନ୍‌ସିଲଭାନିଆ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଦି ହ୍ବାର୍ଟନ୍ ସ୍କୁଲ୍‌ରେ ଏମ୍‌ବିଏ ପଢ଼ିଥିଲେ। ୧୯୮୩ରେ ସେ ବାପା ଧୀରୁଭାଇ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ସହ-ସିଇଓ ଭାବେ ଯୋଗ ଦେଇଥିଲେ। ପୁଞ୍ଜି ବଜାରରୁ ପାଣ୍ଠି ଉଠାଇବାରେ ସେ ସିଦ୍ଧହସ୍ତ ଥିଲେ। ବୟନ, ପେଟ୍ରୋଲିୟମ୍, ପେଟ୍ରୋକେମିକାଲ୍ସ, ଶକ୍ତି ଓ ଟେଲିକମ୍‌ କଂପାନିକୁ ଆଗକୁ ବଢ଼ାଇବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଅନିଲଙ୍କ ପ୍ରେମ କାହାଣୀ ଓ ବିବାହ ମଧ୍ୟ ବେଶ୍‌ ରୋଚକ । ଆମେରିକାର ଫିଲାଡେଲଫିଆ ସହରରେ ସେହି ସମୟର ବଲିଉଡ୍‌ ଅଭିନେତ୍ରୀ ଟିନା ମୁନିମଙ୍କ ସହ ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ସାକ୍ଷାତ ହୋଇଥିଲା। ଟିନା ସେତେବେଳେ ସେଲିବ୍ରିଟି ଥିଲେ। ଅନିଲଙ୍କ ପ୍ରତି ବିଶେଷ ଧ୍ୟାନ ଦେଇନଥିଲେ। ଏମ୍‌ବିଏ ପାଠପଢ଼ା ଶେଷ କରି ଭାରତ ଫେରିବା ପରେ ୧୯୮୬ରେ ସେମାନଙ୍କର ପୁଣି ଦେଖା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ପ୍ରେମ ହେବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କଥା ଯେତେବେଳେ ଅନିଲ ପରିବାରରେ କ‌ହିଲେ ଟିନାଙ୍କ କ୍ୟାରିୟରକୁ ନେଇ ଘରେ ଅସନ୍ତୋଷ ଦେଖାଦେଲା। ଏହା ପରେ ଦୁହିଁଙ୍କ ମଧ୍ୟରେ ଚାରି ବର୍ଷ କଥାବାର୍ତା ବନ୍ଦ ରହିଲା ଓ ଅନିଲ ପୁଣି ଆମେରିକା ଚାଲିଯାଇଥିଲେ। ସେଠାରୁ ଭାରତ ଆସିବା ପରେ ଘର ଲୋକଙ୍କୁ ବୁଝାଇବାରେ ଅନିଲ ସଫଳ ହୋଇଥିଲେ। ୧୯୯୧ ଫେବ୍ରୁଆରିରେ ଉଭୟଙ୍କ ବିବାହ ବିଳାସପୂର୍ଣ୍ଣ ଢଙ୍ଗରେ ହୋଇଥିଲା। ତାଙ୍କର ଦୁଇ ପୁଅ ଅଛନ୍ତି ଯାହାଙ୍କ ନାମ ହେଉଛି ଜୟ ଅନମୋଲ ଓ ଜୟ ଅଂଶୁଲ।

ଅନିଲଙ୍କ ବ୍ୟକ୍ତିଗତ ଜୀବନ ଯେତିକି ରୋମାଞ୍ଚକର ରହିଥିଲା, ପେସାଦାର ଜୀବନ ତା’ଠାରୁ ଅଧିକ ଖରାପ ରହିଛି। ୨୦୦୨ରେ ଧୀରୁଭାଇଙ୍କ ମୃତ୍ୟୁ ପରେ ଦୁଇ ଭାଇଙ୍କ ଭିତରେ ଫାଟ ଦେଖାଦେଇଥିଲା। ଯଦିଓ ଅନିଲ ଅନେକ ନୂଆ ନୂଆ କଂପାନି ଖୋଲିବାରେ ସକ୍ଷମ ହୋଇଥିଲେ, କିନ୍ତୁ ସେଗୁଡ଼ିକର ଠିକ୍ ଭାବେ ପରିଚାଳନା କରିପାରିନଥିଲେ। ୨୦୦୭ରେ ତାଙ୍କ ସମ୍ପତ୍ତି ପରିମାଣ ଥିଲା ୪୫୦୦ କୋଟି ଡଲାର। ବଡ଼ ଭାଇ ମୁକେଶଙ୍କ ପାଖରେ ଥିବା ୪୯୦୦ କୋଟି ଡଲାର ସମ୍ପତ୍ତି ଠାରୁ ସାମାନ୍ୟ କମ୍। ଏବେ କିନ୍ତୁ ଦୁଇ ଭାଇଙ୍କ ସମ୍ପତ୍ତିରେ ଆକାଶ ପାତାଳ ଫରକ ରହିଛି। ଏହାର ୧୩ ବର୍ଷ ପରେ ମୁକେଶ ବିଶ୍ବର ଷଷ୍ଠ ଧନୀ ଭାବେ ୫୫୦୦ କୋଟି ଡଲାରର ମାଲିକ ହୋଇଥିବା ବେଳେ ଅନିଲ ଅମ୍ବାନିଙ୍କ ପାଖରେ ଆଉ ମାତ୍ର ୧୫୦ କୋଟି ଡଲାର ସମ୍ପତ୍ତି ରହିଛି। ସେ ଏବେ ଏକ ପ୍ରକାର ଦେବାଳିଆ ସ୍ଥିତିରେ ଅଛନ୍ତି। ସେ ନିଜର ବିଲିଓନେୟାର ମାନ୍ୟତା ମଧ୍ୟ ହରାଇଛନ୍ତି।୨୦୦୫ରେ ମୁକେଶ ଓ ଅନିଲଙ୍କ ଭିତରେ ସମ୍ପତ୍ତିର ଭାଗବଣ୍ଟା କରାଯାଇଥିଲା। ଏହାପରେ ଅନିଲ କିନ୍ତୁ ଗୋଟିଏ ପରେ ଗୋଟିଏ ନୂଆ କଂପାନି ଖୋଲିବା ଆରମ୍ଭ କରିଥିଲେ। ତାଙ୍କ ପାଖରେ ସେହି ସମୟର ସବୁଠୁ ବଡ଼ ଟେଲିକମ କଂପାନି ଥିଲା। ୨୦୦୮ରେ ରିଲାଏନ୍ସ କମ୍ୟୁନିକେସନ ପାଖରେ ସର୍ବାଧିକ ଗ୍ରାହକ ଥି‌ଲେ। ସେହି କଂପାନି ଏବେ ବନ୍ଦ ହୋଇଯାଇଛି। ପ୍ରତିରକ୍ଷା ବ୍ୟବସାୟ ପାଇଁ ରାଫେଲ୍‌ ସହିତ ହୋଇଥିବା ବୁଝାମଣା ଏବେ ବିବାଦରେ। ତ‌ାଙ୍କର ଗୋଟିଏ ପରେ ଗୋଟିଏ କଂପାନି ବନ୍ଦ ହେବାରେ ଲାଗିଛି। ରାଫେଲ୍‌ ବିବାଦ, ଟୁଜି ଦୁର୍ନୀତି ଆଦି ବିବାଦରେ ସେ ଛନ୍ଦି ହୋଇପଡ଼ିଛନ୍ତି।

ସମ୍ପତ୍ତି ଭାଗବଣ୍ଟା ଝଗଡ଼ା
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସ୍ଥାପନ କରିଥିବା ଗୁଜରାଟର ସନ୍ତାନ ଧୀରୁଭାଇ ଅମ୍ବାନିଙ୍କ ଦୁଇ ପୁଅ ହେଉଛନ୍ତି ମୁକେଶ ଓ ଅନିଲ। ୨୦୦୨ ଜୁଲାଇରେ ଧୀରୁଭାଇଙ୍କ ଦେହାନ୍ତ ହେବା ପୂର୍ବରୁ ସେ ଦୁଇ ପୁଅଙ୍କୁ କଂପାନି ସମ୍ଭାଳିବା ପାଇଁ ଯୋଗ୍ୟ କରିସାରିଥିଲେ। କିନ୍ତୁ ସମ୍ପତ୍ତି ଭାଗବଣ୍ଟା ଲାଗି କୌଣସି ଇଚ୍ଛାପତ୍ର ପ୍ରସ୍ତୁତ କରିନଥିଲେ। ତାଙ୍କ ଦେହାନ୍ତର ଅଢ଼େଇ ବର୍ଷ ପରେ କିନ୍ତୁ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୁଇ ପୁଅଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା। ସାରା ଦେଶରେ ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଦୀର୍ଘବର୍ଷ ପର୍ଯ୍ୟନ୍ତ ଦୁଇ ଜଣଙ୍କ ଭିତରେ ତିକ୍ତତା ରହିବା ପରେ ୨୦୦୫ରେ ମା’ କୋକିଳାବେନ୍ ଅମ୍ବାନିଙ୍କ ହସ୍ତକ୍ଷେପ କରିବା ଯୋଗୁଁ ଆପୋଷ ବୁଝାମଣା ସମ୍ଭବ ହୋଇଥିଲା। ସେହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୯୯,୦୦୦ କୋଟି ଟଙ୍କାର ବ୍ୟାବସାୟିକ ସାମ୍ରାଜ୍ୟ ଥିଲା। ତାହାକୁ ଦୁଇ ଭାଇଙ୍କ ଭିତରେ ବଣ୍ଟନ କରାଯାଇଥିଲା। ସେହିଦିନ ଠାରୁ ଉଭୟ ଅଲଗା ପଥରେ ଯାତ୍ରା କରିଥିଲେ। ସେହି ସମୟରେ ମୁକେଶଙ୍କ ଭାଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଆଇପିସିଏଲ୍‌ ପଡ଼ିଥିଲା। ତୈଳ ଓ ଗ୍ୟାସ୍‌ ବ୍ୟବସାୟ ତାଙ୍କ ପାଖରେ ରହିଥିଲା। ଅନିଲଙ୍କୁ ମିଳିଥିଲା ଲାଭଜନକ କଂପାନି ରିଲାଏନ୍ସ କମ୍ୟୁନିକେସନ, ରିଲାଏନ୍ସ ଏନର୍ଜି ଓ ରିଲାଏନ୍ସ କ୍ୟାପିଟାଲ୍। ଏହା ପରେ ଅନିଲ ନିଜର ଗ୍ରୁପ୍‌ କଂପାନି ‘ଅନିଲ ଧୀରୁଭାଇ ଅମ୍ବାନି ଗ୍ରୁପ୍’(ଏଜିଏଜି)ଗଠନ କରିଥିଲେ।

ସମ୍ବନ୍ଧିତ ଖବର