ଜେଟ୍‌ର ପୁରୁଣା କର୍ମଚାରୀଙ୍କ ପ୍ରାପ୍ୟ ଦେବାକୁ ନୂଆ ମାଲିକଙ୍କୁ କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବନ୍ଦ ହୋଇଯାଇଥିବା ବିମାନ କଂପାନି ଜେଟ୍‌ ଏୟାରୱେଜ୍‌ରେ କାମ କରୁଥିବା ପୁରୁଣା କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ଯଥା ଭବିଷ୍ୟନିଧି ପାଣ୍ଠି ଓ ଗ୍ରାଚୁଇଟି ଆଦି ଦେବାକୁ ଏହାର ନୂଆ ମାଲିକ ଜାଲାନ୍-ଫ୍ରିସ୍‌ କନ୍‌ସୋର୍ଟିୟମ୍‌କୁ ନ୍ୟାସନାଲ୍ କଂପାନି ଲ’ ଆପିଲିଟ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଏଟି) କହିଥିଲେ। ସେହି ନିର୍ଦେଶକୁ କନ୍‌ସୋର୍ଟିୟମ୍ ପକ୍ଷରୁ ସୁପ୍ରିମ‌୍‌କୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଥିଲା। ଆଜି ତାହାର ଶୁଣାଣି କରି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ପି ଏସ୍‌ ନରସିଂହ ଓ ଜେପି ପାର୍‌ଦିୱାଲାଙ୍କ ଖଣ୍ଡପୀଠ ମନା କରିଦେଇଛନ୍ତି। ଏନ୍‌ସିଏଲ୍‌ଏଟିର ନିର୍ଦେଶକୁ କୋର୍ଟ ବଳବତ୍ତର ରଖିଛନ୍ତି। ପୁରୁଣା କର୍ମଚାରୀଙ୍କ ପ୍ରାପ୍ୟ ଦେବାକୁ ହେଲେ ୨୦୦ କୋଟି ଟଙ୍କା ଯୋଗାଡ଼ କରିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ କଂପାନିକୁ ପୁନରୁଦ୍ଧାର କରିବା ସମ୍ଭବ ହେବନାହିଁ ବୋଲି କନସୋର୍ଟିୟମ୍‌ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କୋର୍ଟଙ୍କୁ କହିଥିଲେ। ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ କୌଣସି ସଂସ୍ଥା ଆସିବା ବେଳେ ଜାଣିବା ଦରକାର ଯେ ଶ୍ରମିକମାନଙ୍କର କିଛି ପ୍ରାପ୍ୟ ବକେୟା ଥିବ। ବକେୟାକୁ ସର୍ବଦା ପ୍ରାଥମିକତା ଦିଆଯାଏ। ଏହାକୁ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ‌ନେବାକୁ ପଡ଼ିବ। ଆମେ ଏନ୍‌ସିଏଲ୍‌ଏଟିଙ୍କ ନିର୍ଦେଶରେ ହସ୍ତକ୍ଷେପ କରିବୁନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର