ନୂଆଦିଲ୍ଲୀ: ସାହାରା-ସେବି ମାମଲାର ଶୁଣାଣି କରି ୧୦୦୦ କୋଟି ଟଙ୍କା ଜମା କରିବାକୁ ସାହାରାର ଦୁଇ କମ୍ପାନି ସାହାରା ଇଣ୍ଡିଆ ରିଅଲ ଇଷ୍ଟେଟ୍ କର୍ପୋରେସନ ଓ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ କର୍ପୋରେସନ୍କୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁମ୍ବାଇର ଭରସୋଭାରେ ଥିବା ୧୦୬ ଏକର ଜମିର ବିକ୍ରି ଓ ବିକାଶ ଲାଗି ଯୌଥ ଉଦ୍ୟୋଗ ସ୍ଥାପନ କରିବାକୁ କମ୍ପାନିକୁ ଏକ ମାସ ସମୟ ପ୍ରଦାନ କରାଯାଇଛି। ଜମିର ବିକାଶ କରିବା ଲାଗି କମ୍ପାନିକୁ ସୁପ୍ରିମ୍କୋର୍ଟଙ୍କ ଅନୁମୋଦନ ଗ୍ରହଣ କରିବାକୁ ପଡ଼ିବ। ସମ୍ପତ୍ତି ବିକ୍ରିରୁ ଯେଉଁ ପାଣ୍ଠି ମିଳିବ ତାହାକୁ ସିଧାସଳଖ ସାହାରା-ସେବି ଖାତାରେ ଜମା କରିବାକୁ କମ୍ପାନିକୁ କୁହାଯାଇଛି। କୋର୍ଟ ନିର୍ଦ୍ଦେଶ ପାଳନରେ କିଭଳି ଅଗ୍ରଗତି ହୋଇଛି ତାହା ପରଖିବା ଲାଗି ମାସକ ପରେ ପୁଣି ଥରେ ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
ସାହାରା ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କପିଲ ଶିବଲ କହିଛନ୍ତି ଯେ ସାହାରା ପକ୍ଷରୁ ସେବିକୁ ୧୨୭ଟି ଟ୍ରକରେ କାଗଜପତ୍ର ପଠାଯାଇଥିଲା। ଏବେ ସୁଦ୍ଧା ସେଗୁଡ଼ିକର ଯାଞ୍ଚ କରାଯାଇନାହିଁ। କିନ୍ତୁ ସେବିର ଆଇନଜୀବୀ ଅରବିନ୍ଦ ଦାତାର ବିତର୍କ କରିଥିଲେ ଯେ ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଇଥିବା ନେଇ ସାହାରା ଯେଉଁ ଦାବି କରୁଛି, ସେ ସମ୍ପର୍କିତ ବ୍ୟାଙ୍କ କାଗଜପତ୍ର କମ୍ପାନି ଦାଖଲ କରିବାରେ ବିଫଳ ହୋଇଛି। ଯଦି ଗ୍ରୁପ୍ର ଅନ୍ୟ କୌଣସି ସଂସ୍ଥା ଜରିଆରେ ପେମେଣ୍ଟ କରାଯାଇଥିବ, ନିୟମ ଅନୁସାରେ ତାହା ମଧ୍ୟ ବାଲାନ୍ସ ସିଟ୍ରେ ପ୍ରଦର୍ଶିତ ହେବା ଦରକାର ବୋଲି ସେ କହିଥିଲେ।
ଦୀର୍ଘଦିନରୁ ଚାଲିଥିବା ଏହି ମାମଲାରେ ୨୫ ହଜାର କୋଟି ଟଙ୍କା ଜମା କରିବାକୁ ସୁପ୍ରିମ୍କୋର୍ଟ ସାହାରା ଗ୍ରୁପ୍କୁ କହିଥିଲେ। କମ୍ପାନି ୧୫ ହଜାର କୋଟି ଟଙ୍କା ଜମା କରିଥିବା ବେଳେ ଅବଶିଷ୍ଟ ୧୦ ହଜାର କୋଟି ଟଙ୍କା ଜମା କରୁନାହିଁ। ୧୦ ବର୍ଷ ବିତିଯାଇଥିଲେ ମଧ୍ୟ କମ୍ପାନି ଟଙ୍କା ଜମା କରୁନଥିବାରୁ ସୁପ୍ରିମ୍କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। କିଛି ଦିନ ହେଲାଣି ଏହି ମାମଲାର ଶୁଣାଣି ଚାଲିଥିଲା। ସାହାରା ଗ୍ରୁପ୍ର ମୁଖ୍ୟ ସୁବ୍ରତ ରାୟଙ୍କ ଗତବର୍ଷ ଦେହାନ୍ତ ପରେ କମ୍ପାନି ଏବେ କେଉଁମାନଙ୍କ ଦ୍ବାରା ପରିଚାଳିତ ହେଉଛି ଓ କେଉଁ ସବୁ ସମ୍ପତ୍ତି ବିକ୍ରି କରି କମ୍ପାନି ଟଙ୍କା ଜମା କରିବାକୁ ଯୋଜନା ରଖିଛି ତାହାର ତାଲିକା ଦାଖଲ କରିବାକୁ ଗତକାଲି କମ୍ପାନିକୁ କୋର୍ଟ କହିଥିଲେ।