ନୂଆଦିଲ୍ଲୀ: ସାହାରା-ସେବି ମାମଲାରେ ସାହାରା ଇଣ୍ଡିଆକୁ ସୁପ୍ରିମ୍କୋର୍ଟ କଡ଼ା ସମାଲୋଚନା କରିଛନ୍ତି। ନିବେଶକଙ୍କୁ ପାଣ୍ଠି ଫେରସ୍ତ କରିବା ଲାଗି ସେବି ଖାତାରେ ୨୫ ହଜାର କୋଟି ଟଙ୍କା ଜମା କରିବାକୁ ସାହାରାକୁ ସୁପ୍ରିମ୍କୋର୍ଟ ୨୦୧୨ରେ ନିର୍ଦ୍ଦେଶ ଦେଇଥିଲେ। ସେଥିରୁ ୧୫ ହଜାର କୋଟି ଟଙ୍କା ସାହାରା ଦେଇଥିବା ବେଳେ ଅବଶିଷ୍ଟ ୧୦ ହଜାର କୋଟି ଟଙ୍କା ଜମା କରୁନାହିଁ। ୧୦ ବର୍ଷ ବିତିଗଲାଣି। ଏବେବି ସେହି ୧୦ ହଜାର କୋଟି ପାଇବାକୁ ସେବି ଅପେକ୍ଷା କରି ରହିଛି। କିଭଳି ସେହି ଟଙ୍କା ଯୋଗାଡ଼ କରାଯିବ ତାହା ଜଣାଇବାକୁ କୋର୍ଟ ସାହାରାକୁ କହିଛନ୍ତି।
ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ବେଲା ତ୍ରିବେଦୀ ଓ ଏମ୍ଏମ୍ ସୁନ୍ଦରେଶଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। କମ୍ପାନି ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କପିଲ୍ ଶିବଲ୍ କହିଥିଲେ ଯେ ସମ୍ପତ୍ତି ବିକ୍ରି କରି ପାଣ୍ଠି ଯୋଗାଡ଼ କରିବାକୁ ସାହାରାକୁ ଉଚିତ୍ ସୁଯୋଗ ଦିଆଯାଇନାହିଁ। ଏହାର ଉତ୍ତରରେ ଖଣ୍ଡପୀଠ କହିଛନ୍ତି ଯେ ତୁମକୁ ଯଥେଷ୍ଟ ସୁଯୋଗ ଦିଆଗଲାଣି। ସମ୍ପତ୍ତି ବିକ୍ରି ଉପରେ କୌଣସି କଟକଣା ମଧ୍ୟ ନାହିଁ। ଅବଶିଷ୍ଟ ୧୦ ହଜାର କୋଟି ଟଙ୍କା ଦେବା ଲାଗି କେଉଁ ସମ୍ପତ୍ତିଗୁଡ଼ିକୁ ବିକ୍ରି କରିବା ଯୋଜନା ରହିଛି ତାହାର ଏକ ତାଲିକା ଦେବାକୁ କୋର୍ଟ କମ୍ପାନିକୁ କହିଛନ୍ତି।
ପ୍ରାୟ ତିନି କୋଟି ନିବେଶକଙ୍କଠାରୁ ସଂଗ୍ରହ କରାଯାଇଥିବା ପାଣ୍ଠି ଫେରସ୍ତ କରିବା ଲାଗି ୨୦୧୧ରେ ସାହାରାର ଦୁଇ କମ୍ପାନି ସାହାରା ଇଣ୍ଡିଆ ରିଅଲ୍ ଇଷ୍ଟେଟ୍ କର୍ପୋରେସନ ଲିମିଟେଡ୍ ଓ ସାହାରା ହାଉସିଂ ଇନ୍ଭେଷ୍ଟମେଣ୍ଟ କର୍ପୋରେସନ୍ ଲିମିଟେଡ୍କୁ କୁହାଯାଇଥିଲା। ନିୟମ ଉଲ୍ଲଂଘନ କରି ଏହି ପାଣ୍ଠି ସଂଗ୍ରହ କରାଯାଇଥିବା ସେବି କହିଥିଲା। ସେହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଜାୟ ରଖିଥିଲେ। ୨୦୧୨ ଅଗଷ୍ଟ ୩୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ସାହାରା ନିବେଶକମାନଙ୍କୁ ୧୫ ପ୍ରତିଶତ ସୁଧ ସହ ଟଙ୍କା ଫେରାଇବାକୁ କହିଥିଲେ। ଏହାପରେ ସାହାରାଠାରୁ ପାଣ୍ଠି ଅଣାଯାଇଛି ଯାହା ସାହାରା-ସେବି ନାମକ ସ୍ବତନ୍ତ୍ର ଖାତାରେ ରହିଛି। ସାହାରା ନିବେଶକମାନଙ୍କୁ ଖୋଜିବା ଲାଗି ସ୍ବତନ୍ତ୍ର ପୋର୍ଟାଲ ଖୋଲାଯାଇଛି। ତଥାପି ଯୋଗ୍ୟ ନିବେଶକମାନଙ୍କୁ ସନ୍ଧାନ କରିବା କଷ୍ଟକର ହେଉଛି। ଯଦି ଏକ ନିର୍ଦ୍ଧାରିତ ସମୟ ଭିତରେ ସେହି ଟଙ୍କା ଫେରସ୍ତ କରାଯାଇ ନ ପାରିବ ତାହା ଭାରତ ସରକାରଙ୍କ ଖାତାରେ ଜମା ହେବ। ଇତି ମଧ୍ୟରେ ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ହୋଇସାରିଛି। କିନ୍ତୁ ନିବେଶକଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତାହା ପ୍ରଭାବିତ କରିବ ନାହିଁ ବୋଲି ସେବି ସ୍ପଷ୍ଟ କରିଛି।