ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗତମାସ ୪ ତାରିଖରେ ଇପିଏଫ୍‌ ପେନସନ ସଂକ୍ରାନ୍ତରେ ଦେଇଥିବା ରାୟର ଅନୁଧ୍ୟାନ କେନ୍ଦ୍ର ସରକାର କରୁଛନ୍ତି। କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ କର୍ମଚାରୀ ପେନସନ(ସଂଶୋଧନ) ଯୋଜନା ୨୦୧୪କୁ କାଏମ ରଖିଥିଲେ। ଏଥିସହିତ କର୍ମଚାରୀ ସମେତ ନିଯୁକ୍ତିଦାତାଙ୍କୁ ବର୍ଦ୍ଧିତ ପେନସନ ବ୍ୟବସ୍ଥାର ସୁବିଧା ନେବାଲାଗି ୪ ମାସ ସମୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନଭେମ୍ବର ୪ ତାରିଖର ରାୟ ସଂପର୍କରେ ସରକାର ଅବଗତ ଅଛନ୍ତି କି ନାହିଁ ଏବଂ ଯଦି ଅବଗତ ଅଛନ୍ତି ତାହେଲେ ଏହି ରାୟକୁ କେବେ ସୁଦ୍ଧା କାର୍ଯ୍ୟକାରୀ କରାଯିବା ସହିତ ବର୍ଦ୍ଧିତ ପେନସନ ପ୍ରଦାନ ଲାଗି ଇପିଏଫଓକୁ ନିର୍ଦ୍ଦେଶ ଦିଆଯିବ ବୋଲି ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତେଲି କହିଛନ୍ତି ହଁ ଆମେ ଅବଗତ ଅଛୁ।

Advertisment

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତେଲି କହିଛନ୍ତି, ଅଦାଲତଙ୍କ ରାୟର ଆଇନଗତ, ଆର୍ଥିକ ଓ ଅନ୍ୟାନ୍ୟ ପ୍ରଭାବ ରହିଛି। ବର୍ଦ୍ଧିତ ପେନସନ ଯୋଜନାର ଲାଭ ନେବାପାଇଁ ସଦସ୍ୟମାନଙ୍କୁ ୪ ମାସର ସମୟ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ରାୟରେ ଦର୍ଶାଯାଇଥିଲା ଯେ ‌୨୦୧୪ ସେପ୍ଟେମ୍ବର ୧ ସୁଦ୍ଧା ଯେଉଁମାନେ ଇପିଏସ୍‌-୯୫ର ସଦସ୍ୟ ରହିଥିଲେ ସେମାନେ ସେମାନଙ୍କ ବାସ୍ତବ ବେତନର ୮.୩୩ ପ୍ରତିଶତ ଉକ୍ତ ପାଣ୍ଠିକୁ ଯୋଗଦାନ କରିପାରିବେ। ଇପିଏଫଓର ନିୟମ ଅନୁଯାୟୀ ସଦସ୍ୟମାନେ ସେମାନଙ୍କ ଦରମାର ୮.୩୩ ପ୍ରତିଶତ ଉକ୍ତ ପାଣ୍ଠିରେ ଜମା ରଖୁଥିଲେ ମଧ୍ୟ ଏଥିପାଇଁ ସର୍ବୋଚ୍ଚ ବେତନ ସୀମାକୁ ୧୫ ହଜାର ଟଙ୍କାରେ ଧାର୍ଯ୍ୟ କରାଯାଇଛି। ଏଥିସହିତ ନିଯୁକ୍ତିଦାତାମାନଙ୍କୁ କର୍ମଚାରୀଙ୍କ ଦେୟ ବାବଦରେ ଜମା କରିବା ଲାଗି‌ ହୋଇଥିବା ୨୦୧୪ର ସଂଶୋଧନକୁ ରଦ୍ଦ କରିଦେଇଥିଲେ। ଉକ୍ତ ସଂଶୋଧନରେ ୧୫ ହଜାର ଟଙ୍କାରୁ ଅଧିକ ଦରମା କ୍ଷେତ୍ରରେ ନିଯୁକ୍ତିଦାତାମାନଙ୍କୁ ସେମାନଙ୍କ ଅତିରିକ୍ତ ବେତନର ୧.୧୬ ପ୍ରତିଶତ ଜମା କରିବା ଲାଗି ବ୍ୟବସ୍ଥା ରହିଥିଲା।

ସୁପ୍ରିମକୋର୍ଟଙ୍କ ରାୟ ପରେ କର୍ମଚାରୀମାନେ ଇପିଏଫଓରେ ଅଧିକ ଅର୍ଥ ଜମା କରି ଅଧିକ ପେନସନ ପାଇପାରିବେ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଇପିଏଫଓ ନିକଟରେ ଏବେ ୧୮,୬୩,୧୩୬ କୋଟିଟଙ୍କାର ପାଣ୍ଠି ରହିଛି। ଏଥିରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା ୧୯୫୨ ଅଧୀନରେ ୧୧,୩୭,୦୯୬.୭୨ କୋଟି, କର୍ମଚାରୀ ପେନସନ ସ୍କିମ ୧୯୯୫ରେ ୬,୮୯,୨୧୦.୭୨ କୋଟି ଏବଂ କର୍ମଚାର ଜମା ସଂଯୋଜିତ ବୀମା ସ୍କିମ ୧୯୭୬ରେ ୩୭,୮୨୮.୫୬ କୋଟି ଟଙ୍କା ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ରହିଛି।