ଭୁବନେଶ୍ବର: ଇଥାନଲ୍କୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି। ୨୦୨୫ ସୁଦ୍ଧା ପେଟ୍ରୋଲ୍ରେ ୨୦% ଇଥାନଲ୍ ମିଶ୍ରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ଲାଗି ଆଜି ବିଶ୍ବ ପରିବେଶ ଦିବସ ଅବସରରେ ପୁନେର ତିନିଟି ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇ-୧୦୦ ବିତରଣ ଷ୍ଟେସନର ଶୁଭାରମ୍ଭ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ତରଫରୁ ଆୟୋଜନ କରାଯାଇଥିବା
ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଇଥାନଲ୍ ଉତ୍ପାଦନ ବଢ଼ାଇବା ଉପରେ ଜୋର ଦିଆଯାଉଛି। ସେହିପରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ଇଥାନଲ୍ ପରିବେଶ ଓ ଚାଷୀଙ୍କ ଜୀବନରେ ଉତ୍ତମ ପ୍ରଭାବ ପକାଉଛି। ପ୍ରଧାନମନ୍ତ୍ରୀଙ୍କ ବୈଶ୍ବିକ ନେତୃତ୍ବ ପରିବେଶର ସୁରକ୍ଷା ପାଇଁ ବିଶ୍ବ ନେତାଙ୍କ ମଧ୍ୟରେ ଅଧିକ ସହମତି ସୃଷ୍ଟି କରୁଛି। ଆଜି ୨୦୨୦-୨୦୨୫ ପାଇଁ ଇଥାନଲ୍ ମିଶ୍ରଣର ବିସ୍ତୃତ ରୋଡ୍ମ୍ୟାପ୍ ତିଆରି କରାଯାଇଛି। ବିଆଇଏସ୍ ନିର୍ଧାରିତ ଅଧିକ ଇଥାନଲ୍ ମିଶ୍ରିତ ଇ-୧୨, ଇ-୧୫ ଓ ଇ-୨୦ର ବିଜ୍ଞପ୍ତି ଉନ୍ମୋଚନ କରାଯାଇଛି। ୨୦୨୩ ଏପ୍ରିଲ୍ ପହିଲା ସୁଦ୍ଧା ପେଟ୍ରୋଲ୍ରେ ଇଥାନଲ୍ର ମିଶ୍ରଣ ଭାଗ ୨୦% ପର୍ଯ୍ୟନ୍ତ ବଢ଼ାଇବାକୁ ତେଲ କଂପାନିଗୁଡ଼ିକୁ କୁହାଯାଇଛି। ଆଜିର କାର୍ଯ୍ୟକ୍ରମରେ କମ୍ ଅଙ୍ଗାରକାମ୍ଳ ନିର୍ଗମନ ଯୁକ୍ତ ମାର୍ଗ ଆପଣାଇବା, ଉର୍ଜ୍ବା ରୂପାନ୍ତରଣ ରୋଡ୍ମ୍ୟାପ୍, ଜଳବାୟୁ ଓ ଉର୍ଜ୍ବା ନ୍ୟାୟକୁ ନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/petrol_pump_660_080520095205_170520114600.jpg)