ପୁଞ୍ଜିପ୍ରତ୍ୟାହାର: ଲକ୍ଷ୍ୟ ଥିଲା ୨.୧୦ ଲକ୍ଷ କୋଟି, ଏଯାଏ ୨୦ ହଜାର କୋଟି ଛୁଇଁନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପୁଞ୍ଜିପ୍ରତ୍ୟାହାର ଉପରେ ବିଶେଷ ଗୁରୁତ୍ବ ଦେଉଥିଲେ ମଧ୍ୟ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିପାରୁନାହାନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ର ପୁଞ୍ଜିପ୍ରତ୍ୟାହାର ସଫଳତା ହାରରୁ ଏହା ଜଣାପଡ଼ୁଛି। ଚଳିତ ଆର୍ଥିକ ବର୍ଷର ବଜେଟ୍‌ରେ ପୁଞ୍ଜିପ୍ରତ୍ୟାହାର ଜରିଆରେ ୨ ଲକ୍ଷ ୧୦ ହଜାର କୋଟି ଟଙ୍କା ଯୋଗାଡ଼ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ଆସନ୍ତାକାଲି ସେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ସେ ଏବର୍ଷ ପାଇଁ ପୁଞ୍ଜିପ୍ରତ୍ୟାହାରର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହାର ୧୦ ପ୍ରତିଶତ ହାସଲ କରିବାରେ ମଧ୍ୟ ସଫଳ ହୋଇନାହାନ୍ତି। ସଦ୍ୟତମ ସୂଚନା ମୁତାବକ ବିଭିନ୍ନ ସରକାରୀ ସଂସ୍ଥାର ଅଂଶଧନ ବିକ୍ରିରୁ କେନ୍ଦ୍ର ସରକାର ମୋଟ ୧୯,୪୯୯ କୋଟି ଟଙ୍କା ପାଇଛନ୍ତି।

ବଜେଟ୍‌ରେ ଲକ୍ଷ୍ୟ ରଖାଯାଇଥିଲା ଯେ ଆର୍ଥିକ ସଂସ୍ଥାଗୁଡ଼ିକର ଅଂଶଧନ ବିକ୍ରିରୁ ୯୦ ହଜାର କୋଟି ଟଙ୍କା ଓ କେନ୍ଦ୍ରୀୟ ସରକାରୀ ସଂସ୍ଥାର ଅଂଶଧନ ବିକ୍ରିରୁ ବଳକା ୧.୨ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରାଯିବ। ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦୁଇ ମାସ ବାକି ରହିଛି। ବିଗତ ୧୦ ମାସରେ କେନ୍ଦ୍ର ସରକାର ଚାରିଟି ସରକାରୀ ସଂସ୍ଥା ଯଥା ହାଲ୍, ଭାରତ ଡାଇନାମିକ୍ସ, ଆଇଆର୍‌ସିଟିସି ଓ ସେଲ୍‌ର ଅଂଶଧନ ବିକ୍ରିରୁ ୧୨,୯୦୭ କୋଟି ଟଙ୍କା ପାଇଛନ୍ତି। ଏହା ବ୍ୟତୀତ ଆଇଆର୍‌ଏଫ୍‌ସି ଓ ମାଜଗାଓଁ ଡକ୍‌ ସିପ୍‌ବିଲଡର୍ସକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରାଇ ଆଇପିଓ ଜରିଆରେ ୧୯୮୪ କୋଟି ଟଙ୍କା ହାସଲ କରାଯାଇଛି।

ସମ୍ବନ୍ଧିତ ଖବର