ହସ୍ପିଟାଲ୍‌ ଉପରେ ଟିକସ ବିଭାଗର ନଜର, ରୋଗୀଙ୍କୁ ମାଗୁଛନ୍ତି ନଗଦ ରାଶି

ଅନ୍ୟ ମାଧ୍ୟମରେ ପେମେଣ୍ଟ୍‌କୁ ମନା କରୁଛନ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଥିବା ବେଳେ ଏଭଳି ସଙ୍କଟମୟ ସମୟରେ କିଛି ଡାକ୍ତରଖାନା ରୋଗୀମାନଙ୍କୁ ନଗଦ ରାଶିରେ ଅଗ୍ରୀମ ପେମେଣ୍ଟ୍‌ କରିବା ଲାଗି ଦାବି କରୁଥିବା ଅଭିଯୋଗ ହୋଇଛି। ଆୟକର ବିଭାଗ ତରଫରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି। ଦେଶରେ କିଛି ଡାକ୍ତରଖାନା ନଗଦ ରାଶି ବ୍ୟତୀତ ଅନ୍ୟ କୌଣସି ମାଧ୍ୟମରେ ପେମେଣ୍ଟ ନେବାକୁ ମନା କରୁଥିବା ସମ୍ପର୍କିତ ଅଭିଯୋଗ ସରକାରଙ୍କ ପାଖରେ ପହଞ୍ଚିଛି। କିଛି ରୋଗୀଙ୍କ ନିଜସ୍ବ ସ୍ବାସ୍ଥ୍ୟ ବୀମା ପଲିସି ଥିବା ସତ୍ତ୍ବେ ସେମାନଙ୍କୁ ନଗଦ ରାଶିରେ ଆଗୁଆ ପେମେଣ୍ଟ୍‌ କରିବା ଲାଗି କିଛି ଡାକ୍ତରଖାନା ବାଧ୍ୟ ମଧ୍ୟ କରୁଛନ୍ତି। ଏହି ସବୁ ଅଭିଯୋଗର ତଦନ୍ତ କରିବା ଲାଗି ‌ଆୟକର ବିଭାଗ ତରଫରୁ ଟିମ୍‌ ଗଠନ କରାଯାଇଛି। ଦେଶର ପ୍ରମୁଖ ସହରଗୁଡ଼ିକରେ ତଦନ୍ତ କରିବା ଲାଗି ସେମାନଙ୍କୁ କୁହାଯାଇଛି। ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। କୌଣସି ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇନାହିଁ।

ହସ୍ପିଟାଲ୍‌ଗୁଡ଼ିକ ରୋଗୀଙ୍କ ଠାରୁ ନଗଦ ରାଶି ଆଣିବା ସହ ଆୟକର ଓ ଜିଏସ୍‌ଟି ଠକେଇ କରୁଛନ୍ତି। ଯେହେତୁ ନଗଦ ରାଶିର ହିସାବ ସହଜରେ ଜଣାପଡ଼େ ନାହିଁ ତେଣୁ ତାହା ଉପରେ ଆୟକର ଲଗାଇବା ସମ୍ଭବପର ହୁଏ ନାହିଁ। ଇଲେକ୍‌ଟ୍ରୋନିକ୍ସ ମୋଡ୍‌ରେ ହେଉଥିବା ପେମେଣ୍ଟ୍‌ ଉପରେ ସହଜରେ ନଜର ରଖାଯାଇପାରିବ। ସେଥିପାଇଁ ତାହାକୁ କିଛି ହସ୍ପିଟାଲ୍ ସମ୍ପୂର୍ଣ୍ଣ ଏଡ଼ାଇ ଯାଉଛନ୍ତି। କାର୍ଡ ସ୍ବାଇପ୍ କରି କିମ୍ବା ଅନଲାଇନ୍‌ ପେମେଣ୍ଟ୍‌କୁ ସେମାନେ ଗ୍ରହଣ କରିବାକୁ ଚାହୁନାହାନ୍ତି। ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକମାନେ ଅତ୍ୟନ୍ତ ଜଟିଳ ସ୍ଥିତି‌ରେ ଥିବା ରୋଗୀଙ୍କ ପ୍ରାଣ ବଞ୍ଚାଇବା ଲାଗି ସେମାନଙ୍କୁ ହସ୍ପିଟାଲ୍‌ ନେଉଛନ୍ତି। ଗମ୍ଭୀର ପରିସ୍ଥିତିରେ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କୁ ଯାହା କହୁଛନ୍ତି ରୋଗୀଙ୍କ ସମ୍ପର୍କୀୟ ତାହା ମାନିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ଯେହେତୁ ରୋଗୀଙ୍କ ଜୀବନ ବଞ୍ଚାଇବା ହେଉଛି ପ୍ରଥମ କାମ ତେଣୁ ସେମାନେ ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି।

ସମ୍ବନ୍ଧିତ ଖବର