ପିଛିଲା ଟିକସ ଆଇନ ଉଚ୍ଛେଦ ହେବ, ସଂସଦରେ ବିଲ୍ ଉପସ୍ଥାପିତ

ଟିକସ ନୋଟିସ୍‌ ପ୍ରତ୍ୟାହାର କରାଯିବ, ଉପକୃତ ହେବେ କେର୍ଣ୍ଣ ଏନର୍ଜି, ଭୋଡାଫୋନ୍

ନୂଆଦିଲ୍ଲୀ: ଅତୀତରେ ହୋଇଥିବା କାରବାର ଉପରେ ଟିକସ ଲାଗୁ କରିବା ଲାଗି ଯେଉଁ ଆଇନ ପ୍ରଚଳନରେ ଥିଲା ତାହାକୁ କେନ୍ଦ୍ର ସରକାର ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ସଂସଦରେ ଏକ ବିଲ୍ ଉପସ୍ଥାପନ କରାଯାଇଛି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କିତ ଟିକସ ନିୟମ (ସଂଶୋଧନ) ବିଲ୍‌, ୨୦୨୧କୁ ଲୋକସଭାରେ ଉପସ୍ଥାପନ କରିଛନ୍ତି। ସରକାର ଏହି ନିଷ୍ପତ୍ତି ଦ୍ବାରା ବ୍ରିଟେନ୍‌ର ଦୁଇ କଂପାନି କେର୍ଣ୍ଣ ଏନର୍ଜି ଓ ଭୋଡାଫୋନ୍ ବିଶେଷ ଭାବେ ଲାଭବାନ ହେବେ। ଯେଉଁ ସଂସ୍ଥାଗୁଡ଼ିକୁ ପିଛିଲା ଟିକସ ନୋଟିସ୍‌ ପଠାଯାଇ ଟିକସ ସଂଗ୍ରହ କରାଯାଇଥିଲା ସେମାନଙ୍କୁ ବିନା ସୁଧରେ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ। କେର୍ଣ୍ଣ ଏନର୍ଜି, ଭୋଡାଫୋନ୍ ଭଳି ସଂସ୍ଥାକୁ ଯେଉଁ ଟିକସ ନୋଟିସ୍‌ ପଠାଯାଇଥିଲା ତାହା ପ୍ରତ୍ୟାହାର କରାଯିବ।

୨୦୧୨ରେ ବିବାଦୀୟ ପିଛିଲା ଟିକସ ନିୟମ ଲାଗୁ କରାଯାଇଥିଲା। ଏହି ଆଇନ ବଳରେ ଯେଉଁ ଟିକସ ନୋଟିସ୍ ପଠାଯାଇଥିଲା ତାହାକୁ ଭୋଡାଫୋନ୍ ଓ କେର୍ଣ୍ଣ ଏନର୍ଜି ଆନ୍ତର୍ଜାତିକ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୨୦୦୭ରେ ହଚ୍‌ର ଅଂଶଧନ କିଣିବା ବେଳେ ଭୋଡାଫୋନ୍ ଓ ହଚିସନ୍ ଏସାର୍‌ ମଧ୍ୟରେ ହୋଇଥିବା ଚୁକ୍ତି ଉପରେ ସରକାର ୧୧ ହଜାର କୋଟି ଟଙ୍କାର ଟିକସ ଲଗାଇଥିଲେ ଭୋଡାଫୋନ୍‌କୁ ନୋଟିସ୍‌ ପଠାଇଥିଲେ। ଏହା ବିରୋଧରେ ଭୋଡାଫୋନ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଗତବର୍ଷ ସେପ୍ଟେମ୍ବରରେ ବିଜୟୀ ହୋଇଥିଲା। ଏହି ଟିକସ ନୋଟିସ୍‌ ପଠାଇ ସରକାର ଭାରତ ଓ ନେଦରଲ୍ୟାଣ୍ଡ୍‌ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ନିବେଶ ଚୁକ୍ତିର ଉଲ୍ଲଂଘନ କରିଛନ୍ତି ବୋଲି କୋର୍ଟ କହିଥିଲେ।

୨୦୧୨ରେ ସୁପ୍ରିମ୍‌କୋର୍ଟ ମଧ୍ୟ କଂପାନି ସପକ୍ଷରେ ରାୟ ଶୁଣାଇଥିଲେ। ଅପଦସ୍ତ ହେବାରୁ ବର୍ତ୍ତିବା ଲାଗି କେନ୍ଦ୍ର ସରକାର ଟିକସ ଆଇନକୁ ସଂଶୋଧନ କରି ବଦଳାଇ ଦେଇଥିଲେ। କେର୍ଣ୍ଣ ଏନର୍ଜି ମଧ୍ୟ ଭାରତ ସରକାରଙ୍କ ଟିକସ ନୋଟିସ୍‌କୁ ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟରେ ଚ୍ୟାଲେଞ୍ଜ୍‌ କରି ବିଜୟୀ ହୋଇଥିଲା। ସରକାରଙ୍କ ଠାରୁ ନିଜ ପ୍ରାପ୍ୟ ଫେରିପାଇବା ଲାଗି ଏହା ବିଦେଶରେ ଥିବା ଭାରତ ସରକାରଙ୍କ ବିଭିନ୍ନ ସମ୍ପତ୍ତି ଜବତ କରିବାକୁ କୋର୍ଟଗୁଡ଼ିକରେ ଆବେଦନ କରୁଥିଲା। ଏହା ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିଲା। ଉପା ସରକାରଙ୍କ ଅମଳରେ ଲାଗୁ ହୋଇଥିବା ଏହି ବିବାଦୀୟ ଟିକସ ନିୟମକୁ ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ନିଷ୍ପତ୍ତି ନେଇଛି। ଭାରତରେ ଥିବା କାରବାରକୁ ନେଇ ବିଦେଶରେ ହେଉଥିବା ଚୁକ୍ତି ଉପରେ ଟିକସ ଲଗାଇବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ନିଷ୍ପତ୍ତି ନେଇ କାର୍ଯ୍ୟ କରିଥିଲେ।

ଏଥିପାଇଁ ଆୟକର ନିୟମରେ ଥିବା ବ୍ୟବସ୍ଥ‌ାରେ ସଂଶୋଧନ କରାଯାଇଥିଲା। ବିଦେଶୀ କଂପାନିଗୁଡ଼ିକ ଠାରୁ ମୋଟା ଅଙ୍କର ଟିକସ ଅସୁଲ କରିବା ଲାଗି ସରକାରଙ୍କୁ ସୁହାଇବା ଭଳି ଆଇନରେ ପରିବର୍ତ୍ତନ କରାଯାଇଥିଲା। ଅବଶ୍ୟ ଏଭଳି ଭୁଲ ନକରିବା ଲାଗି ସରକାରଙ୍କୁ ସେହି ସମୟରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଯୋଜନା କମିସନର ପୂର୍ବତନ ଉପାଧ୍ୟକ୍ଷ ମଣ୍ଟେକ ସିଂହ ଆଲୁୱାଲିଆ ମଧ୍ୟ ଉକ୍ତ ଚିନ୍ତାଧାରା ଉପରେ ଆପତ୍ତି ଉଠାଇଥିଲେ। କିନ୍ତୁ ସରକାର ତାଙ୍କ କଥା ଶୁଣିନଥିଲେ।

ସମ୍ବନ୍ଧିତ ଖବର