ଚମକ ହରାଉଛି ପ୍ରଯୁକ୍ତି ଶିଳ୍ପ

ନୂଆଦିଲ୍ଲୀ: ବିଶ୍ବର ପ୍ରଯୁକ୍ତି ଶିଳ୍ପ ଏହାର ଚମକ ହରାଉଛି। ବିକ୍ରିରେ ଦ୍ରୁତ ବୃଦ୍ଧି, ବିପୁଳ ନିଯୁକ୍ତି ଓ ସେୟାର ମୂଲ୍ୟର ଆକାଶଛୁଆଁ ଦାମ୍ ଏବେ ଅତୀତ ହୋଇଗଲାଣି। ଦଶନ୍ଧି ଧରି ଚାଲିଥିବା ଏହି ‌ଧାରାରେ ବ୍ରେକ୍ ଲାଗିଛି। ଆମାଜନ, ମାଇକ୍ରୋସଫ୍ଟ, ଟେସ୍‌ଲା ଓ ଫେସବୁକ୍ ଭଳି ବିଶ୍ବର ବୃହତ ପ୍ରଯୁକ୍ତି କଂପାନିରୁ ପ୍ରତିଦିନ ଖରାପ ଖବର ଆସୁଛି। ଦ୍ରୁତ ଗତିରେ ବଢ଼ୁଥିବା ଏହି ଶିଳ୍ପରେ ମାନ୍ଦାବସ୍ଥା ଦେଖାଦେଇଛି। ଅଭିବୃଦ୍ଧି ଆକଳନ ହ୍ରାସ, କର୍ମଚାରୀ ଛଟେଇ ଓ ସମ୍ପ୍ରସାରଣ ଯୋଜନାକୁ ବାତିଲ କରିବା ଭଳି ଘଟଣା ଏହି ଶିଳ୍ପରେ ଘଟୁଛି। ବିଶ୍ବସ୍ତରୀୟ ସଂସ୍ଥା ସ୍ନାପ୍‌, ଲିଫ୍‌ଟ, ମାଇକ୍ରୋସଫ୍ଟ ନିଜର ଅଭିବୃଦ୍ଧି ଆକଳନକୁ ହ୍ରାସ କରିଥିବା ବେଳେ ଖର୍ଚ୍ଚ କାଟ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ବିଲ୍ ଗେଟ୍‌ସଙ୍କ ସଂସ୍ଥା ମାଇକ୍ରୋସଫ୍ଟ ନୂଆ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଛି। ଏଲନ୍‌ ମସ୍କଙ୍କ କଂପାନି ଟେସ୍‌ଲା ମଧ୍ୟ ପ୍ରଥମ ଥର ପାଇଁ କର୍ମଚାରୀ ଛଟେଇ କଥା କହିଛି। ଅବଶ୍ୟ କିଛି ଘଣ୍ଟା ପରେ ମସ୍କ ନିଜ କଥାକୁ ଫେରାଇ ନେଇଛନ୍ତି। ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା କମିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବହୁ ଗୋଦାମ ଓ କର୍ମଚାରୀଙ୍କୁ ନେଇ କାରବାର କରୁଥିବା ଇ-କମର୍ସ ସଂସ୍ଥା ଆମାଜନ ମଧ୍ୟ ଦରବୃଦ୍ଧିକୁ ନେଇ ଚିନ୍ତିତ ହୋଇପଡ଼ିଛି।

ସମ୍ବନ୍ଧିତ ଖବର