ଗତ ମାସରେ ରେଳ ବୋର୍ଡକୁ କର୍ପୋରେଟ୍ ଢାଞ୍ଚା ପ୍ରଦାନ କରାଯାଇଛି। ଏହାର ଅଧ୍ୟକ୍ଷ ଶ୍ରୀ ଯାଦବଙ୍କୁ ବୋର୍ଡର ପ୍ରଥମ ସିଇଓ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ରେଳ ବୋର୍ଡରେ ଆଠ ବିଭାଗୀୟ ମୁଖ୍ୟ ଥିଲେ ଏବଂ ସମସ୍ତେ ଭାରତ ସରକାରଙ୍କ ସଚିବ ଥିଲେ। ପ୍ରତି ବିଭାଗ ନିଜ ନିଜ ସ୍ବାର୍ଥକୁ ଗୁରୁତ୍ବ ଦେଉଥିବାରୁ ରେଳବାଇର କାର୍ଯ୍ୟ ପ୍ରଭାବିତ ହେଉଥିଲା। ବିଶେଷ କରି ଭବିଷ୍ୟତ ଯୋଜନାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନଥିଲା। ବନ୍ଦେ ଭାରତ ଟ୍ରେନ୍ ଭଳି ଦ୍ରୁତଗାମୀ ଟ୍ରେନ୍ରେ ବ୍ୟବହାର ହେଉଥିବା ଅଧିକ ନୂଆ କୋଚ୍ ତିଆରି କରିବା ଜରୁରୀ ଥିବା ବେଳେ ପୁରୁଣା ବିଭାଗୀୟ ବ୍ୟବସ୍ଥାରେ ଅଧିକ ଲୋକୋମୋଟିଭ୍ ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଉଥିଲା। ତେଣୁ ନିର୍ଦିଷ୍ଟ ବିଭାଗର ସ୍ବାର୍ଥ ଓ ରେଳବାଇର ଭବିଷ୍ୟତକୁ ନେଇ ସର୍ବଦା ମତଭେଦ ରହୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ନୂତନ ବ୍ୟବସ୍ଥାରେ ରେଳବାଇର ଅଧ୍ୟକ୍ଷ ଓ ତାଙ୍କ ଅଧୀନରେ ଥିବା ଚାରି ଜଣ ସଦସ୍ୟ ବିଭାଗୀୟ ଚାପରୁ ସମ୍ପୂର୍ଣ୍ଣ ମୁକ୍ତ। ବୋର୍ଡ ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯିବ। ରେଳବାଇରେ ୧୨ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ରେଳବୋର୍ଡ ଢାଞ୍ଚାରେ ଡିଭିଜନାଲ୍ ଓ ଜୋନାଲ୍ ରେଲ୍ୱେଗୁଡ଼ିକର ପୁନର୍ଗଠନ କରାଯିବ। ଏବେ ଉଭୟ ଜୋନାଲ୍ ଓ ଡିଭିଜନାଲ୍ ରେଲ୍ୱେ ବିଭାଗୀୟ ଧାରାରେ କାର୍ଯ୍ୟ କରୁଛନ୍ତି। ଉଦାହରଣ ସ୍ବରୂପ ଏବେ ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର, ମୁଖ୍ୟ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର, ମୁଖ୍ୟ କମର୍ସିଆଲ୍ ମ୍ୟାନେଜର ଆଦି ରହିଛନ୍ତି। ସେହିପରି ଇଲେକ୍ଟ୍ରିକାଲ୍ ଓ ସିଭିଲ୍ ଇଞ୍ଜିନିୟରିଂ ଡିପୋରେ ସ୍ବତନ୍ତ୍ର ଅଣ କୁଶଳୀ ଷ୍ଟାଫ୍ ଅଛନ୍ତି। ସେହି ବ୍ୟବସ୍ଥା ବଦଳିବ। ଡେଡିକେଟେଡ୍ ଫ୍ରେଟ୍ କରିଡର୍ରେ ରକ୍ଷଣାବେକ୍ଷଣ ଡିପୋର ସମନ୍ବୟ କରାଯାଇଛି ଏବଂ ସେଠାରେ ଏକ ନିର୍ଦିଷ୍ଟ ଅଣ କୁଶଳୀ ଷ୍ଟାଫ୍ଙ୍କ ବ୍ୟବସ୍ଥା ରହିବ। ପ୍ରତି ଜୋନ୍ରେ ଯେଭଳି ଭିତ୍ତିଭୂମି, ରୋଲିଂ ଷ୍ଟକ୍, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଓ ବିତ୍ତ ଭଳି ଚାରିଟି ସ୍ବତନ୍ତ୍ର ବର୍ଗ ରହିବ ସେହି ଅନୁସାରେ ପୁନର୍ଗଠନ ପ୍ରକ୍ରିୟାର ଯୋଜନା ପ୍ରସ୍ତୁତ କରାଯାଇଛି। ସେହି ସଂସ୍କାରକୁ ଜୋନ୍ ସ୍ତରରେ ମଧ୍ୟ କାର୍ଯ୍ୟକାରୀ କରାଯିବ।
୨୦୨୪ ସୁଦ୍ଧା ଅଧିକ ଟ୍ରେନ୍ ଚାଲୁଥିବା ରୁଟ୍ଗୁଡ଼ିକର କ୍ଷମତାକୁ ରେଳବାଇ ଦ୍ବିଗୁଣିତ କରିବ। ଫଳରେ ସେହି ସବୁ ରୁଟ୍ରେ ଅଧିକ ଟ୍ରେନ୍ ଚାଲିବାର ସୁଯୋଗ ସୃଷ୍ଟି ହେବ। ତାହାକୁ ନଜରରେ ରଖି ଘରୋଇ ସରକାରୀ ସହଭାଗିତାରେ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଘରୋଇ ସଂସ୍ଥାଗୁଡ଼ିକ ଲାଗି ୧୨ଟି ରୁଟ୍ ଚିହ୍ନଟ କରାଯାଇଛି। ସେହି ରୁଟ୍ଗୁଡ଼ିକରେ ୧୫୦ଟି ଟ୍ରେନ୍ ଚଳାଚଳ କରିବ। ଏଥିପାଇଁ ଘରୋଇ ସଂସ୍ଥାଗୁଡ଼ିକ ଠାରୁ ଆବେଦନ ଆହ୍ବାନ କରାଯାଇଥିଲା। ୧୫ଟି ସଂସ୍ଥା ବିଡ୍ ଦାଖଲ କରିଛନ୍ତି। ସେହି ତାଲିକାରେ ଆଇଆର୍ସିଟିସି ଓ ଭେଲ୍ ଭଳି ସରକାରୀ କଂପାନିର ନାମ ରହିଛି। ଏହା ଜରିଆରେ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ରେଳବାଇ ଯୋଜନା ରଖିଛି। ଘରୋଇ ସରକାରୀ ସହଭାଗିତାରେ ଆୟର ଭାଗବଣ୍ଟା ହେବ। ଯେଉଁ ସଂସ୍ଥା ରେଳବାଇକୁ ଅଧିକ ଭାଗ ଦେବ ତାହାକୁ ବିଡ୍ର ବିଜେତା ଘୋଷଣା କରାଯିବ। ଘରୋଇ ସଂସ୍ଥାଗୁଡ଼ିକର ଟ୍ରେନ୍ରେ ଅଧିକ ପ୍ରଯୁକ୍ତି ବ୍ୟବହାର ହେବ ବୋଲି ଆଶା କରାଯାଉଛି।