ନୂଆ ବାଣିଜ୍ୟ ଢାଞ୍ଚା ଆଣିଲା ଆମେରିକା: ଭାରତ ସମେତ ୧୩ ଦେଶ ସାମିଲ

ଟୋକିଓ: ଜାପାନ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଏକ ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ ଏକ ନୂଆ ବାଣିଜ୍ୟ ଢାଞ୍ଚା ଘୋଷଣା କରିଛନ୍ତି। ଭାରତ ସମେତ ୧୩ଟି ଦେଶକୁ ଏହି ବାଣିଜ୍ୟ ଢାଞ୍ଚାରେ ସାମିଲ କରାଯାଇଛି। ଉକ୍ତ ଅର୍ଥନୈତିକ ଢାଞ୍ଚାର ସଦସ୍ୟ ଦେଶଗୁଡ଼ିକ ହେଲେ ଅଷ୍ଟ୍ରେଲିଆ, ବ୍ରୁନେଇ, ଇଣ୍ଡୋନେସିଆ, ଜାପାନ, ମାଲେସିଆ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଥାଇଲାଣ୍ଡ ଏବଂ ଭିଏତନାମ୍‌। ଏଥିପାଇଁ ରାଜିନାମା ସ୍ବାକ୍ଷର ହୋଇଛି ଏବଂ ଉକ୍ତ ବ୍ଲକର ନାମ ଇଣ୍ଡୋ-ପାସିଫିକ୍ ଇକୋନୋ‌ମିକ ଫ୍ରେମୱାର୍କ ବା ଆଇପିଇଏଫ୍‌ ରଖାଯାଇଛି। ଏହି ନୂତନ ଢାଞ୍ଚା ଅଧୀନରେ ବିଶ୍ବ ଜିଡିପିର ୪୦% ଭାଗ ରହିବ। ଏଭଳି ଆବଦ୍ଧ ଢାଞ୍ଚାକୁ ଚୀନ୍‌ କଡା ସମାଲୋଚନା କରିଛି।

AP News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ଉପସ୍ଥିତିରେ ଆମେରିକାର ରାଷ୍ଟ୍ରପତି ବାଇଡେନ ଆଇପିଇଏଫ୍‌ ନାମକ ଅଣପାମ୍ପରିକ ବ୍ୟବସ୍ଥାର ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତ ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଆମର ନିକଟତମ ବନ୍ଧୁ ଏବଂ ସହଯୋଗୀମାନଙ୍କୁ ନେଇ କାର୍ଯ୍ୟ କରିବା ଲାଗି ଉକ୍ତ ଅର୍ଥନୈତିକ ଢାଞ୍ଚା ଗଠନ ହୋଇଛି। ଆମେରିକା ରାଷ୍ଟ୍ରପତି ପ୍ରଥମେ ଆଇପିଇଏଫ୍‌ ସଂପର୍କରେ ୨୦୨୧ ଅକ୍ଟୋବରରେ ପୂର୍ବ ଏସିଆ ସମ୍ମିଳନୀରେ ଉଲ୍ଲେଖ କରିଥିଲେ। ଅନ୍ୟ ପାରମ୍ପରିକ ବାଣିଜ୍ୟ ଅଞ୍ଚଳ ଗଠନ ଭଳି ଏଥିରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପରସ୍ପର ପାଇଁ ଶୁଳ୍କ ହ୍ରାସ ଓ ବଜାର ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ରହିବ ନାହିଁ। କାରଣ ଆମେରିକାର ଭୋଟରମାନେ ଅନ୍ୟଦେଶକୁ ଏଭଳି ସୁବିଧା ଯୋଗାଇ ଦିଆଗଲେ ସେମାନଙ୍କର ଉତ୍ପାଦନ ପ୍ରଭାବିତ ହେଉଛି ବୋଲି କହୁଛନ୍ତି। ତେଣୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପରସ୍ପର ପାଇଁ ଶୁଳ୍କ ହ୍ରାସ କରିବା କିମ୍ବା ବଜାର ସୁବିଧା ଯୋଗାଇ ଦେବା ପରିବର୍ତ୍ତେ ୪ଟି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ। ସେଗୁଡ଼ିକ ହେଲା ଡିଜିଟାଲ ଅର୍ଥନୀତି, ଯୋଗାଣ ଶୃଙ୍ଖଳ, ସବୁଜ ଶକ୍ତି ଭିତ୍ତିଭୂମି ଏବଂ ଦୁର୍ନୀତି ବିରୋଧୀ ପଦକ୍ଷେପ।

ସମ୍ବନ୍ଧିତ ଖବର