ୱାସିଂଟନ: ଚୀନ୍ ସହ ଦ୍ବିତୀୟ ବାଣିଜ୍ୟ ବୁଝାମଣାର ସମ୍ଭାବନା ନାହିଁ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। କରୋନା ସଙ୍କଟକୁ ଚୀନ୍ ବେପରୁଆ ଢଙ୍ଗରେ ମୁକାବିଲା କରିଥିବାରୁ ଆମେରିକା ତାହା ଉପରେ କ୍ଷୁବ୍ଧ ଅଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ବାଣିଜ୍ୟକୁ ନେଇ ପରବର୍ତୀ ପର୍ଯ୍ୟାୟର ବୁଝାମଣା ହେବାର ନାହିଁ। ଆମେରିକା ଓ ଚୀନ୍ ଦୀର୍ଘଦିନ ଧରି ବାଣିଜ୍ୟ ଲଢ଼େଇ ଲଢ଼ୁଛନ୍ତି। ଦୀର୍ଘ ମାସ ପର୍ଯ୍ୟନ୍ତ ଆଲୋଚନା କରିବା ପରେ ଚଳିତ ବର୍ଷ ପ୍ରାରମ୍ଭରେ ଏହି ଦୁଇ ଦେଶ ମିଶି ମେଗା ବାଣିଜ୍ୟ ବୁଝାମଣାର ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଥିଲେ। କରୋନା ଭୂତାଣୁ ବ୍ୟାପିବା ପରେ ଏହି ଦୁଇ ଦେଶ ଭିତରେ ଥିବା ଫାଟ ଆହୁରି ବଢ଼ିଯାଇଛି।
ଚୀନ୍କୁ କରୋନା ପ୍ରସଙ୍ଗରେ ଟ୍ରମ୍ପ୍ ବାରମ୍ବାର ଆକ୍ରମଣ କରୁଛନ୍ତି। ଆମେରିକାର ସାମ୍ବାଦିକଙ୍କ ଉପରେ କଟକଣା, ତିବ୍ଦତ୍ରେ ସୁରକ୍ଷା ବ୍ୟବସ୍ଥା ଓ ହଂକଂକୁ ନେଇ ନୂଆ ସୁରକ୍ଷା ନିୟମ ଲାଗୁ କରିବା ପରେ ଚୀନ୍ ଉପରେ ଆମେରିକା କ୍ଷୁବ୍ଧ ହୋଇଛି। ଚୀନ୍ର ଉହାନ୍ ସହରରୁ କରୋନା ଭୂତାଣୁ ସୃଷ୍ଟି ହୋଇ ସାରା ବିଶ୍ବକୁ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ଏହି ଭୂତାଣୁ ଦ୍ବାରା ୩୧ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୧,୩୦,୦୦୦ ଲୋକଙ୍କ ପ୍ରାଣହାନି ହୋଇଛି। ମାତ୍ର ଚୀନ୍ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୫ ହଜାର ଥିବା ବେଳେ ମାତ୍ର ୪୬୪୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।