ଭାରତ ଉପରେ ଶୁଳ୍କ ଲଦିବ ଆମେରିକା: ଡିଜିଟାଲ ସର୍ଭିସ ଟ୍ୟାକ୍ସକୁ ବିରୋଧ, ତାଲିକାରେ ୪୦ ସାମଗ୍ରୀ

୨୫% ପର୍ଯ୍ୟନ୍ତ ଲଗାଇବ ଶୁଳ୍କ

ନୂଆଦିଲ୍ଲୀ: ଆମେରିକାର ବାଇଡେନ୍ ପ୍ରଶାସନ ପ୍ରାୟ ୪୦ଟି ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପାଇଁ ପ୍ରସ୍ତୁତି ଚଳାଇଛି। ଭାରତ ପକ୍ଷରୁ ବିଦେଶୀ ଇ-କମର୍ସ କମ୍ପାନିଙ୍କ ପାଇଁ ଲାଗୁ କରାଯାଇଥିବା ଇକ୍ବା‌ଲାଇଜେସନ୍ ଲେଭି ବା ଡିଜିଟାଲ ସର୍ଭିସ ଟ୍ୟାକ୍ସକୁ ବିରୋଧ କରି ବାଇଡେନ୍ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଭାରତ ବିରୋଧରେ ଏହା ଆମେରିକାର ଯେ‌ସାକୁ ତେସା ନୀତି ଭଳି। ଆମେରିକା ପକ୍ଷରୁ ଯେଉଁସବୁ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲଗାଯିବା ଯୋଜନା ରହିଛି ସେଗୁଡ଼ିକ ମଧ୍ୟରେ ଚିଙ୍ଗୁଡ଼ି, ବାସମତୀ ଚାଉଳ, ସୁନା ଓ ରୁପା ଭଳି ଉତ୍ପାଦ ରହିଛି। ଆମେରିକାର ବାଣିଜ୍ୟ ପ୍ରତିନିଧିଙ୍କ କହିବା ମୁତାବକ ଭାରତ ଡିଜିଟାଲ ସର୍ଭିସ ଟ୍ୟାକ୍ସ ଆକାରରେ ଯେତିକି ଆଦାୟ କରିବ ଆମେରିକା ଭାରତୀୟ ସାମଗ୍ରୀ ଉପରେ ସେତିକି ପରିମାଣର ଶୁଳ୍ପ ସଂଗ୍ରହ କରିବ। ଅନୁମାନ କରାଯାଉଛି ଏହି ଶୁଳ୍କ ରାଶିର ମୂଲ୍ୟ ବାର୍ଷିକ ପ୍ରାୟ ୫.୫ କୋଟି ଡଲାର ହେବ। ଭାରତ ସହିତ ଅନ୍ୟ ୫ଟି ଦେଶ ଯଥା ଅଷ୍ଟ୍ରିଆ, ଇଟାଲି, ସ୍ପେନ, ତୁର୍କୀ ଏବଂ ବ୍ରିଟେନର ସାମଗ୍ରୀ ଉପରେ ମଧ୍ୟ ଆମେରିକା ଏପ୍ରକାର ଶୁଳ୍କ ଲଗାଇବା ପ୍ରସ୍ତାବ ରଖିଛି। ଆମେରିକାର ବାଣିଜ୍ୟ ପ୍ରତିନିଧିଙ୍କ ରିପୋର୍ଟ ଅନୁଯାୟୀ ଡିଜିଟାଲ ସର୍ଭିସ ଟ୍ୟାକ୍ସ ଆକାରରେ ଭାରତ ଆମେରିକୀୟ କମ୍ପାନି ଗୁଡ଼ିକ ଠାରୁ ବାର୍ଷିକ ପ୍ରାୟ ୫.୫ କୋଟି ଡଲାର ସଂଗ୍ରହ କରୁଛି।

ଗତ ଜାନୁଆରିରେ ଆମେରିକାର ବାଣିଜ୍ୟ ପ୍ରତିନିଧି କହିଥିଲେ ଭାରତ ସମେତ ଉପରୋକ୍ତ ୬ଟି ଦେଶ ଆମେରିକୀୟ ଡିଜିଟାଲ କମ୍ପାନିଙ୍କ ବିରୋଧରେ ଡିଜିଟାଲ ସର୍ଭିସ ଟ୍ୟାକ୍ସ ଲଗାଇଛନ୍ତି। ଏହା ଅନ୍ତର୍ଜାତୀୟ ଟିକସ ଆଇନର ବିରୋଧୀ ଏବଂ ଏଥିଯୋଗୁ ଆମେରିକୀୟ କମ୍ପାନିଙ୍କ ଉପରେ ବିତ୍ତୀୟ ବୋଝ ବଢ଼ିଯାଇଛି। ୨ ପ୍ରତିଶତ ଇକ୍ବାଲାଇଜେସନ ଲେଭି ଅର୍ଥାତ୍ ତଥାକଥିତ ଗୁଗଲ୍‌ ଟ୍ୟାକ୍ସ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ ହୋଇଛି। ଏହି ଟିକସ ପରିସରରେ ୧୧୯ଟି କମ୍ପାନି ଆସୁଥିବା ବିଷୟ ସେ କହିଥିଲେ।

ସମ୍ବନ୍ଧିତ ଖବର