ରାଜ୍ୟରେ ଶିଳ୍ପାୟନ, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍, ଆଲୁମିନିୟମ୍ ପାର୍କ ଓ ସବୁଜ ଶକ୍ତି ବିଷୟରେ ଇଡ୍କୋ ଏମ୍ଡି
ଭୁପେନ୍ଦ୍ର ସିଂହ ପୁନିଆଙ୍କ ସହ ପ୍ରଭାତ ପଟ୍ଟନାୟକଙ୍କ ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି
ଗତ କିଛି ବର୍ଷ ଭିତରେ ରାଜ୍ୟରେ ଶିଳ୍ପାୟନ କିଭଳି ପରିବର୍ତ୍ତନ ଆଣିଛି?
ବିଗତ ୧୦-୧୫ ବର୍ଷ ଭିତରେ ଆମେ ଦକ୍ଷତା ବିକାଶରେ ବିପୁଳ ନିବେଶ କରିଛୁ। ଫଳରେ ରାଜ୍ୟରେ ଯୁବପିଢ଼ି ବେଶ ଦକ୍ଷ ହୋଇପାରିଛନ୍ତି। ସେମାନେ ଉନ୍ନତ ନିଯୁକ୍ତି ସୁଯୋଗ ପାଉଛନ୍ତି। ଏହା ବ୍ୟତୀତ ଶିଳ୍ପାୟନ ପାଇଁ ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଘଟିଛି। ଭିତ୍ତିଭୂମିରେ ମଧ୍ୟ ବ୍ୟାପକ ବିକାଶ ଘଟିଛି। ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍ ଓ ଆଲୁମିନିୟମ ଭଳି ପ୍ରାଥମିକ ଧାତବ ପଦାର୍ଥ ଉତ୍ପାଦନରେ ଓଡ଼ିଶା ଶୀର୍ଷ ସ୍ଥାନରେ ରହିଛି। ବଡ଼ ଶିଳ୍ପ କାରଖାନା ପ୍ରତିଷ୍ଠା ହେବା ଦ୍ବାରା ଅନେକ ଭେଣ୍ଡର ମଧ୍ୟ ଓଡ଼ିଶାକୁ ଆସିଛନ୍ତି। ଲଜିଷ୍ଟିକ୍ସ ବ୍ୟବସ୍ଥାରେ ଉନ୍ନତି ଘଟିଛି। ରାଜ୍ୟରେ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି ହୋଇଛି ଯାହା ଅଧିକ ନିବେଶ, ଅଧିକ ଶିଳ୍ପ, ଅଧିକ ନିଯୁକ୍ତିକୁ ସୁନିଶ୍ଚିତ କରିଛି।
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ କିଭଳି ସହାୟକ ହୋଇଛି?
ମେକ୍ ଇନ୍ ଓଡ଼ିଶାର ପ୍ରତିଟି ସଂସ୍କରଣରେ ଆସୁଥିବା ନିବେଶ ପ୍ରସ୍ତାବ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସଫଳତା ପଛର କାରଣ ହେଉଛି ଓଡ଼ିଶାରେ ସୁଲଭ ମୂଲ୍ୟରେ ଓ ଅନୁକୂଳ ପରିବେଶରେ ବ୍ୟବସାୟ କରିବା ଲାଗି ଶାନ୍ତିପୂର୍ଣ୍ଣ ବାତାବରଣ ରହିଛି। ସରକାରୀ ନୀତି ଓ ପ୍ରୋତ୍ସାହନ ଶ୍ରେଷ୍ଠ ମାନର ହୋଇଥିବା ବେଳେ ସରକାରଙ୍କ ପ୍ରତିକ୍ରିୟା ମଧ୍ୟ ବହୁତ ଭଲ ରହିଛି। ଆମ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା ମାନ୍ୟତା ଦିଆଯାଇଛି। ସରକାର ଜମି ବ୍ୟାଙ୍କ ଉପରେ ଗୁରୁତ୍ବ ଦେଉଛନ୍ତି। ଆମ ପାଖରେ ସ୍ବତନ୍ତ୍ର ବଜେଟ୍ ରହିଛି। ଆମେ ଆଗୁଆ ଜମି ଅଧିଗ୍ରହଣ ବ୍ୟବସ୍ଥା କରିପାରୁଛୁ।
ରାଜ୍ୟକୁ ଆସିଥିବା କିଛି ପ୍ରସ୍ତାବ କାର୍ଯ୍ୟକାରୀ ହେଉନାହିଁ। ଏହା ପଛର କାରଣ କ'ଣ?
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଜରିଆରେ ଆସିଥିବା ନିବେଶ ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଅଧିକାଂଶ ମଞ୍ଜୁର ହୋଇ କାର୍ଯ୍ୟକାରୀ ହୋଇଛି। ପ୍ରକଳ୍ପ କାର୍ଯ୍ୟକାରୀତା ହାର ଦେଶରେ ଅନ୍ୟତମ ଶ୍ରେଷ୍ଠ। ଯେଉଁ ପ୍ରସ୍ତାବ କାର୍ଯ୍ୟକାରୀ ହେଉନାହିଁ ତାହା ପଛରେ ଅନେକ କାରଣ ରହିଛି। ନିବେଶ ପ୍ରସ୍ତାବ ବହୁ ବିଷୟ ଉପରେ ନିର୍ଭର କରେ। କଂପାନିର ବୋର୍ଡ ନିଷ୍ପତ୍ତି ବଦଳାଇଲେ, କଂପାନି ସହିତ କିଛି ଅସୁବିଧା ହେଲେ କିମ୍ବା କଂପାନିର ମାଲିକାନା ବଦଳିଲେ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ଅସୁବିଧା ଦେଖାଦିଏ।
ନିବେଶ ଆଣିବା ଲାଗି ଚାଲିଥିବା ପ୍ରତିଯୋଗିତାରେ ଓଡ଼ିଶାର ସ୍ଥାନ କେଉଁଠି?
ଓଡ଼ିଶା ପାଖରେ ଏଭଳି ବହୁ ସୁବିଧା ରହିଛି ଯାହା ଶିଳ୍ପ ସଂସ୍ଥାଗୁଡ଼ିକୁ ଆକୃଷ୍ଟ କରୁଛି। ଭଲ ନୀତି ଓ ପ୍ରୋତ୍ସାହନ, ଶାନ୍ତିପୂର୍ଣ୍ଣ ପରିବେଶ ଓ ସୁବିଧାସୁଯୋଗ ପାଇଁ ଆମେ ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ସହ ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରହିଛୁ। ତାହାର ଫଳ ମଧ୍ୟ ଦେଖିବାକୁ ମିଳୁଛି। ଶିଳ୍ପସଂସ୍ଥାମାନଙ୍କ ସୁବିଧା ଲାଗି ରାଜ୍ୟର ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ସରକାର ଜମିର ବ୍ୟବସ୍ଥା ବିକାଶ କରିଛନ୍ତି। ଆମ ରାଜ୍ୟରେ ବିସ୍ତୃତ ବେଳାଭୂମି ଥିବା ବେଳେ ପାରାଦୀପ, ଗୋପାଳପୁର, ଧାମରା ବନ୍ଦର ରହିଛି ଏବଂ ସୁବର୍ଣ୍ଣରେଖା ବନ୍ଦରର ବିକାଶ ହେଉଛି। ତେଣୁ ବନ୍ଦରଭିତ୍ତିକ ଶିଳ୍ପାୟନ ଲାଗି ନିକଟବର୍ତ୍ତୀ ଅଞ୍ଚଳରେ ଜମିର ବ୍ୟବସ୍ଥା କରାଯାଇଛି। ଲଜିଷ୍ଟିକ୍ସ ନେଟ୍ୱର୍କ ଉପରେ ବି ଗୁରୁତ୍ବ ଦିଆଯାଉଛି। ଯେଉଁ ସଂସ୍ଥା ଆମଦାନି ଓ ରପ୍ତାନି ବ୍ୟବସାୟ ପ୍ରତି ଆଗ୍ରହୀ ସେମାନେ ସେଠାରେ ଶିଳ୍ପ ସ୍ଥାପନ କରିପାରିବେ।
ଗ୍ରିନ୍ ହାଇଡ୍ରୋଜେନ୍କୁ ନେଇ କ'ଣ ଯୋଜନା ରହିଛି?
ପାରାଦୀପ ଓ ଗୋପାଳପୁରକୁ ଆମେ ଧ୍ୟାନରେ ରଖିଛୁ। ଗୋପାଳପୁରରେ କିଛି କଂପାନି ନିବେଶ ଆରମ୍ଭ କରିଛନ୍ତି। ସେଠାରେ ୟୁଟିଲିଟି କରିଡର ନିର୍ମାଣ କରାଯାଉଛି। ପାରାଦୀପରେ ମଧ୍ୟ ଆମେ ୫୦୦୦ ଏକର ଜମି ଅଧିଗ୍ରହଣ କରିଛୁ ଯେଉଁଠାରେ ଭବିଷ୍ୟତର ଶିଳ୍ପ ସଂସ୍ଥାଗୁଡ଼ିକ ନିଜର କାରଖାନା ବସାଇବ। ପାରାଦୀପରେ ମଧ୍ୟ ଗୋପାଳପୁର ଢାଞ୍ଚାରେ ୟୁଟିଲିଟି କରିଡର ନିର୍ମାଣ କରାଯିବ। କେବଳ ଗ୍ରିନ୍ ହାଇଡ୍ରୋଜନ ନୁହେଁ, ଭବିଷ୍ୟତରେ ଗ୍ରିନ୍ ଷ୍ଟିଲ, ଗ୍ରିନ୍ ଆଲୁମିନିୟମ, ଗ୍ରିନ୍ ଉପକରଣ ପାଇଁ ରାଜ୍ୟରେ ଏକ ବ୍ୟବସ୍ଥା ସୃଷ୍ଟି ହେବ।
ଆଲୁମିନିୟମ ପାର୍କର ସ୍ଥିତି କ'ଣ ରହିଛି?
ଅନୁଗୁଳରେ ୨୫୦ ଏକର ଜମିରେ ଆଲୁମିନିୟମ ପାର୍କ ସ୍ଥାପନ କରାଯାଉଛି। ତିନିଟି ସଂସ୍ଥା ସେଠାରେ ନିଜର କାରଖାନା ବସାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେଠାରେ ମୋଟ ୬୦୦ ଏକର ଜମି ଅଧିଗ୍ରହଣ ଯୋଜନା ରହିଛି। ଭବିଷ୍ୟତରେ ସେଠାରେ ଆହୁରି ବହୁ କାମ ହେବାକୁ ଯାଉଛି।
ପୁରୁଣା, ବନ୍ଦ ହୋଇଥିବା ଶିଳ୍ପକୁ ପୁନରୁଦ୍ଧାର କରିବାର କ'ଣ ଯୋଜନା ରହିଛି?
ଯଦି କୌଣସି ସଂସ୍ଥା ଆଇବିସି କିମ୍ବା ସେଭଳି କୌଣସି ଆନୁଷ୍ଠାନିକ ବ୍ୟବସ୍ଥାର ଦ୍ବାରସ୍ଥ ହୋଇଥିବେ ତେବେ ଆମେ ତାହାକୁ ନୂଆ ୟୁନିଟ୍ ଭାବେ ବିଚାର କରୁଛୁ। ସରକାରଙ୍କ ଯେଉଁ ନୀତି ରହିଛି ସେହି ଅନୁସାରେ ବ୍ୟବସ୍ଥା କରିବା ସହ ସୁବିଧାସୁଯୋଗ ପ୍ରଦାନ କରି ଉକ୍ତ ଶିଳ୍ପକୁ ପୁନରୁଦ୍ଧାର କରିବାକୁ ପ୍ରୟାସ କରାଯାଉଛି। ରାଜ୍ୟର ଏଭଳି ବହୁ ସଂସ୍ଥା ଆଇବିସି ଅଧୀନରେ ରହିଛି।
ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୪ ବିଷୟରେ ଆପଣଙ୍କ ମତ କ'ଣ?
ଏହି ପୁରସ୍କାର ରାଜ୍ୟରେ ଓ ରାଜ୍ୟ ବାହାରେ, ଏଭଳିକି ଦେଶ ଭିତରେ ଓ ବିଦେଶରେ ନିଜ ଉତ୍ପାଦ ଓ ସେବାର ବ୍ୟବହାର ବିଷୟରେ ଜଣାଇବା ଏବଂ ସେଥିରେ ଥିବା ଦକ୍ଷତାକୁ ଉପସ୍ଥାପିତ କରିବା ଲାଗି ନୂଆ ପିଢ଼ିର ଉଦ୍ୟୋଗୀଙ୍କୁ ଏହା ସୁଯୋଗ ପ୍ରଦାନ କରୁଛି। ଏହା ଓଡ଼ିଶାର ଛବି ଏବଂ ଓଡ଼ିଶା ପ୍ରତି ରହିଥିବା ଧାରଣାକୁ ଆହୁରି ମଜଭୁତ କରିବ।