ହିରୋ ମୋଟୋକର୍ପର ଜାତୀୟ ବିକ୍ରି ମୁଖ୍ୟ ଆଶୁତୋଷ ବର୍ମା ଏକ ନୂଆ ଡିଲରସିପ୍ ଉଦ୍ଘାଟନ କରିବାକୁ ଭୁବନେଶ୍ବର ଆସିଥିଲେ। କଂପାନିର କାରବାର, ବିକ୍ରି ଉପରେ କୋଭିଡ୍ ମହାମାରୀର ପ୍ରଭାବ, ସୁଧାର ପ୍ରକ୍ରିୟା ଓ ନୂଆ ଉତ୍ପାଦ ଆଦି ବିଭିନ୍ନ ବିଷୟରେ ସେ ‘ସମ୍ବାଦ’ର ପ୍ରଭାତ ପଟ୍ଟନାୟକଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି। ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି
କୋଭିଡ୍ ମହାମାରୀ ଦ୍ବାରା ଦୁଇଚକିଆ ଗାଡ଼ି ବଜାର କିଭଳି ପ୍ରଭାବିତ ହୋଇଛି?
ଗତବର୍ଷ ମହାମାରୀର ପ୍ରଥମ ଲହର ସମୟରେ ପ୍ରଭାବ ଅଧିକ ଥିଲା। ଚଳିତ ବର୍ଷ ଦ୍ବିତୀୟ ଲହରରେ କିନ୍ତୁ ହିରୋ ଏହାର ବଜାର ଅଂଶ ବଢ଼ାଇବାରେ ସଫଳ ହୋଇଛି ଯାହା ଅତ୍ୟନ୍ତ ଉତ୍ସାହଜନକ ବିଷୟ। ସମଗ୍ର ଶିଳ୍ପରେ ଯଦିଓ ମହାମାରୀ ପୂର୍ବ ସମୟ ତୁଳନାରେ ବିକ୍ରି କମ୍ ରହିଛି, କିନ୍ତୁ ୨୦୨୦ ତୁଳନାରେ ସ୍ଥିତି ଭଲ ଅଛି। ୨୦୨୧ ଏପ୍ରିଲ୍-ଜୁନ୍ରେ ସଂଖ୍ୟା ଦୃଷ୍ଟିରୁ ଗାଡ଼ି ବିକ୍ରି ମହାମାରୀ ପୂର୍ବ ସମୟ ତୁଳନାରେ ୪୦% କମ୍ ରହିଛି। କିନ୍ତୁ ୨୦୨୦ ତୁଳନାରେ ୭୦-୮୦ ପ୍ରତିଶତ ଅଧିକ ରହିଛି।
ବିକ୍ରିରେ ସୁଧାର ପ୍ରକ୍ରିୟା କିଭଳି ରହିଛି?
ଗତବର୍ଷ ମହାମାରୀର ପ୍ରଥମ ଲହର ଦ୍ବାରା ସହରାଞ୍ଚଳ ଅଧିକ ପ୍ରଭାବିତ ହୋଇଥିଲା। ଦ୍ବିତୀୟ ଲହରରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପ୍ରଭାବିତ ହୋଇଛି। ସହରାଞ୍ଚଳରେ ଯଦିଓ ସୁଧାର ସଙ୍କେତ ଦେଖିବାକୁ ମିଳୁଛି। କିନ୍ତୁ ଗ୍ରାମାଞ୍ଚଳରେ ସୁଧାର ଆସିବା ବିଳମ୍ବ ହେଉଛି। ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟରେ ସୁଧାର ପ୍ରକ୍ରିୟା କିଛି ଦିନ ତଳୁ ଆରମ୍ଭ ହୋଇଯାଇଛି। କିନ୍ତୁ, ଓଡ଼ିଶାରେ ଲକ୍ଡାଉନ୍ କଟକଣା ବହୁ ଦିନ ପର୍ଯ୍ୟନ୍ତ ଜାରି ରହିଥିବାରୁ ଏଠାରେ ସୁଧାର ବିଳମ୍ବ ହୋଇଛି। ଏଇ କିଛି ଦିନ ହେଲାଣି ଓଡ଼ିଶାରେ ସୁଧାର ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି ବୋଲି କୁହାଯାଇପାରିବ।
ମହାମାରୀ ପୂର୍ବ ସ୍ଥିତି କେବେ ଫେରିବ?
ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଗାଡ଼ି ବଜାରରେ ସ୍ବାଭାବିକ ସ୍ଥିତି ଫେରିଆସିବ। ଏଥରର ପୂଜା ବହୁତ ଭଲ ରହିବ ବୋଲି ଆମର ଆଶା ରହିଛି। ବର୍ତ୍ତମାନ ସୁଦ୍ଧା ମୌସୁମୀ ବର୍ଷା ଉତ୍ସାହଜନକ ରହିଥିବାରୁ ଗ୍ରାମାଞ୍ଚଳରେ ଲୋକମାନଙ୍କ ଆୟ ବଢ଼ିବାର ସମ୍ଭାବନା ରହିଛି। ଏହା ଗାଡ଼ି କଂପାନିଗୁଡ଼ିକ ପାଇଁ ଶୁଭ ସଙ୍କେତ। ହିରୋ ଗାଡ଼ି ପାଇଁ ଲୋକମାନଙ୍କ ମନରେ ସବୁ ବେଳେ ଉତ୍ସାହ ରହିଥାଏ। ଗ୍ରାହକ ଚାହିଦା ପୂରଣ କରିବା ଲାଗି ଆମେ ସର୍ବଦା ପ୍ରସ୍ତୁତ ରହିଛୁ। ସେଥିପାଇଁ ଆମର ଗାଡ଼ି ଉତ୍ପାଦନ ବଢ଼ାଉଛୁ। ପୂଜା ବଜାର ଚାହିଦା ପୂରଣ କରିବା ଲାଗି ଆମେ ଅଧିକ ଗାଡ଼ି ତିଆରି କରିବା ଆରମ୍ଭ କରିଛୁ।
ପେଟ୍ରୋଲ୍ ଦାମ୍ରେ ବୃଦ୍ଧି ଗାଡ଼ି ବିକ୍ରିକୁ ପ୍ରଭାବିତ କରିଛି କି?
ଦେଶରେ ଯେତେବେଳେ ତେଲ ଦାମ୍ ବୃଦ୍ଧି ପାଏ ହିରୋର ଗାଡ଼ି ବିକ୍ରି ବଢ଼ିଯାଏ। ଏହାର ଏକ ପ୍ରମୁଖ କାରଣ ହେଉଛି ଆମ ଗାଡ଼ିଗୁଡ଼ିକ ଅଧିକ ମାଇଲେଜ୍ ପ୍ରଦାନ କରୁଛି। ତେଣୁ ହିରୋ ଗାଡ଼ି କିଣୁଥିବା ଗ୍ରାହକମାନେ ତେଲ ଦରବୃଦ୍ଧି ଦ୍ବାରା ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇଥାନ୍ତି। ଯଦି ସମଗ୍ର ଦୁଇଚକିଆ ଗାଡ଼ି ଶିଳ୍ପ ବିଷୟରେ ଆଲୋଚନା କରିବା ତେବେ ପେଟ୍ରୋଲ୍ ଦରବୃଦ୍ଧିର ପ୍ରଭାବ ନିଶ୍ଚିତ ରହିଥିବ ବୋଲି ମୁଁ ଭାବୁଛି।
ହିରୋର ଡିଲର୍ସିପ୍ ସମ୍ପ୍ରସାରଣକୁ ନେଇ କ’ଣ ଯୋଜନା ରହିଛି?
ବର୍ତ୍ତମାନ ସାରା ଦେଶରେ ଆମର ୬୦୦୦ ଟଚ୍ପଏଣ୍ଟ୍ ରହିଛି। ‘ଅରୁନ୍ଧତୀ ହିରୋ’ ଭାବେ ଓଡ଼ିଶାରେ ଆମେ ଆମର ୩୪ତମ ଡିଲର୍ସିପ୍ ଖୋଲିଛୁ। ଭୁବନେଶ୍ବରରେ ଏହା ଆମର ଚତୁର୍ଥ ଡିଲର୍ସିପ୍। ପ୍ରତିବର୍ଷ ଆମେ ପ୍ରାୟ ଏକ ହଜାର ନୂଆ ଟଚ୍ପଏଣ୍ଟ୍ ଯୋଡ଼ୁଛୁ। ଯେଉଁ ସବୁ ସ୍ଥାନରେ ଡିଲର୍ସିପ୍ କିମ୍ବା ଟଚ୍ପଏଣ୍ଟ୍ ଖୋଲିବାର ସମ୍ଭାବନା ରହିଛି ଆମେ ସେଠାରେ ଥିବା ସୁଯୋଗ ହାସଲ କରିବା ଲାଗି ଉଦ୍ୟମ କରିଥାଉ। ଆମ ଟିମ୍ ସେଭଳି ସମ୍ଭାବନା ଉପରେ ସବୁବେଳେ ନଜର ରଖିଥାନ୍ତି ଓ ସଠିକ୍ ସମୟରେ ଆମେ ନୂଆ ଟଚ୍ପଏଣ୍ଟ୍ ଖୋଲିବା ନିଷ୍ପତ୍ତି ନେଇଥାଉ।
କଂପାନି କିଛି ନୂଆ ମଡେଲ୍ ଆଣିବା ଲାଗି ପ୍ରସ୍ତୁତ ହେଉଛି କି?
ଦେଶର ସବୁଠୁ ଶସ୍ତା ମୋଟରସାଇକଲ୍ ଠାରୁ ଆରମ୍ଭ କରି ପ୍ରିମିୟମ୍ ବାଇକ୍ ପର୍ଯ୍ୟନ୍ତ ସବୁ ବର୍ଗର ଗ୍ରାହକମାନଙ୍କ ଲାଗି ହିରୋ ଗାଡ଼ି ବିକ୍ରି କରୁଛି। ପ୍ରତିବର୍ଷ ଆମେ ୧୦ ପ୍ରକାର ନୂଆ ମଡେଲ୍ ଉନ୍ମୋଚନ କରିଥାଉ। ଚଳିତ ବର୍ଷ ମଧ୍ୟ ସେହି ଧାରା ବଜାୟ ରହିବ। ଆଗାମୀ ଦିନରେ ସ୍କୁଟର ଓ ପ୍ରିମିୟମ୍ ବାଇକ୍ ବର୍ଗରେ ନୂଆ ଗାଡ଼ି ଆସିବ। ଏହା ବ୍ୟତୀତ ଅନ୍ୟ ସବୁ ବର୍ଗରେ ମଧ୍ୟ କିଛି ନୂଆ ମଡେଲ୍ ଆସିବାର ସମ୍ଭାବନା ରହିଛି। ଗ୍ରାହକମାନଙ୍କ ଆବଶ୍ୟକତାକୁ ନଜରରେ ରଖି କଂପାନି ଉତ୍ପାଦ ବିକଶିତ କରୁଛି।