ଦୁର୍ବଳ ଟଙ୍କା: ପ୍ରଥମ ଥର ଏକ ଡଲାରର ମୂଲ୍ୟ ୮୧ଟଙ୍କା ପାର

ବୈଦେଶିକ ମୁଦ୍ରା ଭଣ୍ଡାରରେ ଆହୁରି ହ୍ରାସ

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆଜି ଆହୁରି ଦୁର୍ବଳ ହୋଇ ପ୍ରଥମ ଥର ପାଇଁ ୮୧ ଟଙ୍କା ସ୍ତର ଅତିକ୍ରମ କରିଛି। ମୁଦ୍ରା ବିନିମୟ ବଜାରରେ ଆଜି ଏକ ସମୟରେ ଡଲାର କିଣିବା ଲାଗି ୮୧ ଟଙ୍କା ୨୪ ପଇସା ଗଣିବାକୁ ପଡ଼ିଥିଲା। ମାତ୍ର ଶେଷ ବେଳକୁ ସେଥିରେ ସାମାନ୍ୟ ସୁଧାର ଘଟିଛି ଓ ଟଙ୍କା ମୂଲ୍ୟ ୮୦ ଟଙ୍କା ୮୬ ପଇସାରେ ବନ୍ଦ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଠିକ୍ ସମୟରେ ହସ୍ତକ୍ଷେପ କରିବା ଯୋଗୁଁ ଟଙ୍କା ମୂଲ୍ୟରେ ଯାହା କିଛି ସୁଧାର ଘଟିଛି। ଦୁର୍ବଳ ଟଙ୍କାର ସ୍ଥିତିରେ ସୁଧାର ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ଡଲାର ବାହାର କରି ବିକ୍ରି କରିଥାଏ। ଚଳିତ ବର୍ଷ ମାର୍ଚ୍ଚରେ ୟୁକ୍ରେନ୍-ରୁଷ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରିଜର୍ଭ ବ୍ୟାଙ୍କ ଭଣ୍ଡାରରୁ ୮୬୦୦ କୋଟି ଡଲାର ବାହାର କରିସାରିଛି। ସେଥିରୁ ଅଧିକାଂଶ ଡଲାର ଟଙ୍କାକୁ ସବଳ କରିବା ଲାଗି ବ୍ୟବହାର ହୋଇଛି। ‌

ଚଳିତ ସପ୍ତାହଟି ଟଙ୍କା ପାଇଁ ଥିଲା ସବୁଠୁ ଖରାପ ସମୟ। ଗତ ଦେଢ଼ ବର୍ଷ ଭିତରେ ଗୋଟିଏ ସପ୍ତାହ ମଧ୍ୟରେ ଟଙ୍କା ମୂଲ୍ୟରେ ଏଭଳି ଅସ୍ଥିରତା କେବେ ଦେଖିବାକୁ ମିଳିନଥିଲା। ଶେଷ ଥର ପାଇଁ ୨୦୨୧ ଏପ୍ରିଲ୍‌ରେ ଟଙ୍କା ଏଭଳି ଦୁର୍ବଳ ହୋଇଥିଲା। ଆଗାମୀ ଦିନରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ଟଙ୍କା ୭୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୪ ଟଙ୍କା ସ୍ତରରେ ଥିଲା। ଇତି ମଧ୍ୟରେ ଟଙ୍କା ଆହୁରି ୬ ଟଙ୍କା ଦୁର୍ବଳ ହୋଇଛି।

ଡଲାର ତୁଳନାରେ ଟଙ୍କା ଅତ୍ୟଧିକ ଦୁର୍ବଳ ହେଉଥିବାରୁ ଅର୍ଥନୀତିଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି କାରଣ ଅଶୋଧିତ ତୈଳ, ‌ଔଷଧଠାରୁ ଆରମ୍ଭ କରି ବହୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଭାରତ ଆମଦାନି ଉପରେ ନିର୍ଭରଶୀଳ। ଟଙ୍କା ଦୁର୍ବଳ ହେଉଥିବାରୁ ସେଗୁଡ଼ିକୁ ମଗାଇବା ଲାଗି ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ଏବଂ ଭାରତରେ ପହଞ୍ଚିବା‌ ପରେ ତାହା ଅଧିକ ଦାମ୍‌ରେ ବିକ୍ରି ମଧ୍ୟ ହେବ ଯାହା ଦେଶର ଦରଦାମ୍ ସ୍ଥିତିକୁ ଆହୁରି ଜଟିଳ କରିବାର ଆଶଙ୍କା ରହିଛି। ଆମେରିକୀୟ ଡଲାର ବିଶ୍ବର ଯେକୌଣସି ଦେଶର ମୁଦ୍ରା ତୁଳନାରେ ଅଧିକ ଶକ୍ତିଶାଳୀ ରହିଛି। ଡଲାର ମୂଲ୍ୟ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। କିଛି ଦିନ ହେଲାଣି ଟଙ୍କା ମୂଲ୍ୟ ୮୦ ପାଖାପାଖି ରହୁଥି‌ଲା। କିନ୍ତୁ ପୂର୍ବରୁ ତାହା କେବେ ୮୧ ଟଙ୍କା ସ୍ତର ଟପିନଥିଲା। ଆଜି ହଠାତ୍‌ ତାହାର ମୂଲ୍ୟ ୮୧ ଟଙ୍କାରୁ ଅଧିକ ହୋଇଯାଇଥିଲା।

ବୈଦେଶିକ ମୁଦ୍ରା ଭଣ୍ଡାରରେ ଆହୁରି ହ୍ରାସ
ନୂଆଦିଲ୍ଲୀ : ବିଦେଶୀ ମୁଦ୍ରା କାରବାର ଲାଗି ବିଶ୍ବର ପ୍ରାୟ ସବୁ ଦେଶ ନିଜସ୍ବ ଗଚ୍ଛିତ ମୁଦ୍ରା ଭଣ୍ଡାର ରଖିଛନ୍ତି। ସେଥିରେ ଆମେରିକୀୟ ଡଲାର ସମେତ ଅନ୍ୟାନ୍ୟ ପ୍ରମୁଖ ଦେଶର ମୁଦ୍ରା ରଖାଯାଉଛି। ଜରୁରୀକାଳୀନ ସମୟରେ ସେହି ମୁଦ୍ରାକୁ ବାହାର କରି ବ୍ୟବହାର କରାଯାଏ। ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଭାରତର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି। ଏବେ ସେଥିରେ ୫୪,୫୬୫ କୋଟି ଡଲାର ମୂଲ୍ୟର ମୁଦ୍ରା ରହିଛି ଯାହା ଗତ ଦୁଇ ବର୍ଷରେ ସବୁଠୁ କମ୍। ଗତ ସାତ ସପ୍ତାହ ଭିତ‌ରେ ଭଣ୍ଡାରରୁ ୩୦୦୦ କୋଟି ଡଲାର ବାହାର କରାଯାଇଛି। ଦୁର୍ବଳ ଟଙ୍କାକୁ ସବଳ କରିବା ଲାଗି ସେଥିରୁ ଅଧିକାଂଶ ମୁଦ୍ରାକୁ ବ୍ୟବହାର କରାଯାଇଛି। ଗଚ୍ଛିତ ମୁଦ୍ରା ଭଣ୍ଡାରରେ ୬୦୦୦ କୋଟି ଡଲାର ଯୋଡ଼ିବାକୁ ପ୍ରାୟ ଏକ ବର୍ଷର ସମୟ ଲାଗିଥାଏ। ଅର୍ଥନୀତି ଯଦି ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଷ୍ଟକ ବଜାରରେ ବିଦେଶୀ ନିବେଶକମାନେ ଉତ୍ସାହର ସହ ନିବେଶ ଜାରି ରଖିବେ ତଥା ରପ୍ତାନିରୁ ଭଲ ଆୟ ହେଲେ ଏହା ସମ୍ଭବ ହୋଇଥାଏ।

ସମ୍ବନ୍ଧିତ ଖବର