ୱେବ୍‌ ସିରିଜ୍‌ ଉପରେ ଲାଗିବ ଲଗାମ, ସରକାର ‌ନେବେ ପଦକ୍ଷେପ

ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ : ନେଟ୍‌ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ ଭିଡିଓ ଭଳି ପ୍ଲାଟଫର୍ମରେ ରିଲିଜ୍ ହେଉଥିବା ୱେବ୍‌ ସିରିଜ୍‌ଗୁଡ଼ିକ ଉପରେ ନିୟନ୍ତ୍ରଣ ହାସଲ କରିବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏଦିଗରେ ପଦକ୍ଷେପ ଗ୍ରହଣ କରିବା ଲାଗି ବିଚାରବିମର୍ଶ ଜାରି ରହିଛି ବୋଲି ସରକାରଙ୍କ ତରଫରୁ ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଯାଇଛି। ଆଜି ଏ ସମ୍ପର୍କିତ ଏକ ମାମଲାର ଶୁଣାଣି ପ୍ରଧା‌ନ ବିଚାରପତି ଏସ୍‌ ଏ ବୋବ୍‌ଡେ ଓ ବିଚାରପତି ଏ ଏସ୍‌ ବୋପନ୍ନା ଓ ଭି ରାମସୁବ୍ରମଣିଅନଙ୍କ ଖଣ୍ଡପୀଠରେ ହୋଇଥିଲା। ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଥିବା ୱେବ ସିରିଜ୍ ଓ ସୋ’ଗୁଡ଼ିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ହୋଇଥିବା ଏକ ଆବେଦନର ଶୁଣାଣି କରାଯାଇଥିଲା। ଏହାର ସମାଧାନ ପାଇଁ ସରକାରଙ୍କୁ ଅନୁରୋଧ କରିବାକୁ କୋର୍ଟ ପ୍ରଥମେ ଆବେଦନକାରୀଙ୍କୁ କହିଥିଲେ। ଏ ସମ୍ପର୍କରେ ଛଅ ସପ୍ତାହ ଭିତରେ ଉତ୍ତର ରଖିବାକୁ ସରକାରଙ୍କୁ ମଧ୍ୟ କୁହାଯାଇଛି। ଏହି ଅବସରରେ ଅତିରିକ୍ତ ସଲିସିଟର ଜେନେରାଲ୍‌ ସଞ୍ଜୟ ଜୈନ କୋର୍ଟଙ୍କୁ ଜଣାଇଛନ୍ତି ଯେ ଓଟିଟି ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ହାସଲ କରିବା ନେଇ ଯେଉଁ ସମସ୍ୟା ରହିଛି ତାହାର ସମାଧାନ ଲାଗି କିଛି ପଦକ୍ଷେପ ଗ୍ରହଣ କରିବା ଉପରେ ସରକାର ବିଚାର କରୁଛନ୍ତି। ସରକାର କେଉଁଭଳି ପଦକ୍ଷେପ ନେବାକୁ ଚାହୁଛନ୍ତି ତାହା ଛଅ ସପ୍ତାହ ଭିତରେ ଜଣାନ୍ତୁୂ ବୋଲି ଖଣ୍ଡପୀଠ କହିଛନ୍ତି।

ଏହି ପ୍ରସଙ୍ଗରେ ଗତବର୍ଷ ଅକ୍ଟୋବର ୧୫ରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଭାରତୀୟ ଇଣ୍ଟରନେଟ୍ ଓ ମୋବାଇଲ୍ ସଂଘକୁ ନୋଟିସ୍‌ ଜାରି କରିଥିଲେ। ଆଇନଜୀବୀ ଶଶାଙ୍କ ଶେଖର ଝା ଓ ଅପୂର୍ବ ଅରହଟିଆ ଏକ ଜନସ୍ବାର୍ଥ ମାମଲା ରୁଜୁ କରି ଓଟିଟି, ଷ୍ଟ୍ରିମିଂ ପ୍ଲାଟଫର୍ମ ଓ ଡିଜିଟାଲ୍ ମିଡିଆଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ଲାଗି ଏକ ସ୍ବୟଂଶାସିତ ସଂସ୍ଥାର ଆବଶ୍ୟକତା ରହିଥିବା

ବିଷୟରେ କୋର୍ଟଙ୍କୁ ଜଣାଇଥିଲେ। କରୋନା ମହାମାରୀ ବ୍ୟାପିବା ପରଠାରୁ ସିନେମା ହଲ୍‌ଗୁଡ଼ିକ ଏକପ୍ରକାର ବନ୍ଦ ରହିଥିବା ବେଳେ ଆଗାମୀ କିଛି ମାସ ପର୍ଯ୍ୟନ୍ତ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଭିଡିଓ, ଜି୫, ଅଲ୍‌ଟ ବାଲାଜୀ, ସୋନି ଲିଭ୍‌, ଭୁଟ୍‌ ସିଲେକ୍ଟ ଭଳି ଓଟିଟି ପ୍ଲାଟଫର୍ମରେ ସିନେମାଗୁଡ଼ିକ ରିଲିଜ୍‌ ହେବାର ସମ୍ଭାବନା ରହିଛି। ବରୁଣ ଧାୱନ ଓ ଅକ୍ଷୟ କୁମାରଙ୍କ ଭଳି ଲୋକପ୍ରିୟ ବଲିଉଡ୍‌ ଅଭିନେତାଙ୍କ ସିନେମା ଯଥା କୁଲି ନମ୍ବର ୱାନ୍ ଓ ଲକ୍ଷ୍ମୀ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି। ଆଗାମୀ ଦିନରେ ଆଉ କିଛି ନୂଆ ସିନେମା ରିଲିଜ୍‌ ହେବା ଅପେକ୍ଷାରେ ରହିଛି। ସିନେମା ହଲ୍‌ରେ ରିଲିଜ୍‌ ହେଉଥିବା ସିନେମାଗୁଡ଼ିକରେ ଥିବା ଆପତ୍ତିଜନକ, ହିଂସାତ୍ମକ ଓ ସମାଜରେ ଗ୍ରହଣ ହୋଇପାରୁନଥିବା ଭଳି ଦୃଶ୍ୟ ଉପରେ ନଜର ରଖିବା ଏବଂ ସେଗୁଡ଼ିକୁ ସିନେମାରୁ ବାଦ ଦେବା ଲାଗି ସେନ୍‌ସର୍‌ ବୋର୍ଡ ରହିଛି। କିନ୍ତୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଥିବା ସିନେମା, ସୋ’ ଓ ୱେବ୍‌ ସିରିଜ୍‌ଗୁଡ଼ିକକୁ ନିୟନ୍ତ୍ରଣରେ ରଖିବା ଲାଗି ସେଭଳି କୌଣସି ବ୍ୟବସ୍ଥା ନାହିଁ।

ସମ୍ବନ୍ଧିତ ଖବର