ବିବାହ ଆୟୋଜନ ଶିଳ୍ପକୁ ଶକ୍ତ ଧକ୍କା: ବହୁ ବରାଦ ବାତିଲ, ସ୍ଥଗିତ; ୧୦ ପ୍ରତିଶତ ବ୍ୟବସାୟ କ୍ଷତି

ନୂଆଦିଲ୍ଲୀ: ଜାନୁଆରି ମାସରେ ନିଜ ପିଲାଙ୍କ ବିବାହ କରିବାକୁ ଯୋଜନା କରିଥିବା ଭାରତୀୟ ପରିବାରଗୁଡ଼ିକ ଏବେ ଚିନ୍ତିତ ହୋଇପଡ଼ିଛନ୍ତି। କୋଭିଡ୍‌ ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ଲାଗି ସରକାର ବିଭିନ୍ନ ପ୍ରକାର କଟକଣା ଲଗାଇବା ଆରମ୍ଭ କରିଛନ୍ତି। ତାହାକୁ ନେଇ ବିବାହ କାର୍ଯ୍ୟକ୍ରମ ଆୟୋଜନ ଲାଗି ଆଗୁଆ ବରାଦ ଦେଇଥିବା ପରିବାରଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଏବେ ସେମାନେ ଭୟ ଓ ଦୁଃଶ୍ଚିନ୍ତା ଦେଇ ଗତି କରୁଛନ୍ତି।
ଫର୍ଣ୍ଣସ୍‌ ଆଣ୍ଡ୍‌ ପେଟାଲ୍‌ସର ପ୍ରତିଷ୍ଠାତା ବିକାଶ ଗୁଟ୍‌ଗୁଟିଆ କହିଛନ୍ତି ଯେ ଜାନୁଆରିରେ ଭଲ ବ୍ୟବସାୟ ହେବ ବୋଲି ବିବାହ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥାଗୁଡ଼ିକ ଆଶା ରଖିଥିଲେ। ୨୦୨୧ର ନଭେମ୍ବର-ଡିସେମ୍ବର ବହୁତ ଭଲ ଭାବେ କଟିଥିବାରୁ ୨୦୨୨ର ଜାନୁଆରି ଓ ଫେବ୍ରୁଆରିକୁ ନେଇ ସେମାନେ ବେଶ ଆଶାବାଦୀ ଥିଲେ। ଗତ ଦୁଇ ବର୍ଷରେ ଯେଉଁ କ୍ଷତି ହୋଇଥିଲା ଏହି ଦୁଇ ମାସରେ ତାହାର ଭରଣା ହୋଇଯିବ ବୋଲି ସେମାନେ ଭାବିଥିଲେ। ହଠାତ୍‌ ଓମିକ୍ରନ ମାଡ଼ି ଆସିଲା ଓ ଜାନୁଆରି ମାସର ପୂରା ବ୍ୟବସାୟ ଠପ୍ ହୋଇଗଲା ବୋଲି ସେ କହିଛନ୍ତି। ଗତବର୍ଷର ଶେଷ ଦୁଇ ମାସରେ ବିବାହ ଆୟୋଜନ ଶିଳ୍ପରେ ପ୍ରାୟ ୮୦% ପର୍ଯ୍ୟନ୍ତ ସୁଧାର ଘଟିଥିଲା। ତେଣୁ ଆଗକୁ ଆହୁରି ସୁଧାର ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ମହାମାରୀ ପୂର୍ବ ସମୟ ତୁଳନାରେ ୨୦୨୨ରେ ୫୦% ଅଧିକ ବ୍ୟବସାୟ ହେବ ବୋଲି ଏହି କ୍ଷେତ୍ରର ସଂସ୍ଥାଗୁଡ଼ିକ ଭାବୁଥିଲେ। ଓମିକ୍ରନ ବ୍ୟାପିବା ଯୋଗୁଁ ଚଳିତ ବର୍ଷ ହେବାକୁ ଥିବା ବ୍ୟବସାୟର ୧୦% କ୍ଷତି ହୋଇସାରିଲାଣି। ଆସନ୍ତା ମାସଗୁଡ଼ିକରେ ଏଥିରେ ସୁଧାର ହୋଇପାରେ। କିନ୍ତୁ ବର୍ଷ ଆରମ୍ଭରୁ ଧକ୍କା ଲାଗିଛି ବୋଲି ଶ୍ରୀ ଗୁଟ୍‌ଗୁଟିଆ କହିଛନ୍ତି।

ଇଭେଣ୍ଟାଡୋର ପ୍ରଡକ୍ସନ ନାମକ ବିବାହ ଯୋଜନା ପ୍ରସ୍ତୁତକାରୀ ସଂସ୍ଥାର ସିନା ସେଠ୍‌ କହିଛନ୍ତି ଯେ ଚଳିତ ବର୍ଷସାରା ଲାଗି ଆମ ପାଖରେ ବହୁ ବରାଦ ଥିଲା। ଏବେ ଗୋଟିଏ ପରେ ଗୋଟିଏ ବରାଦ ବାତିଲ ଓ ସ୍ଥଗିତ ହେବାରେ ଲାଗିଛି। ୬୦-୭୦% ବରାଦ ବାତିଲ ହୋଇଥିବା ବେଳେ ୩୦-୪୦% ବରାଦ ସ୍ଥଗିତ ରହିଛି। କିଛି ପରିବାର ଅଲଗା କୌଣସି ତାରିଖରେ ବିବାହ କରିବାକୁ ଚାହୁଛନ୍ତି। ‌‌ମାତ୍ର ଆଉ କିଛି ପରିବାର ନିଜ ଘରେ ନିର୍ଧାରିତ ତାରିଖରେ ବାହାଘର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଛନ୍ତି। ଦ୍ବିତୀୟ ପ୍ରକାର ବରାଦ ବାତିଲ ହେବା ସବୁଠୁ ବଡ଼ କ୍ଷତି ବୋଲି ସିନା କହିଛନ୍ତି। ଗତ ଦୁଇ ବର୍ଷ ଭିତରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ଧାରା‌ରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ଲୋକମାନେ ସପ୍ତାହର ଶେଷ ଦିନଗୁଡ଼ିକରେ କିମ୍ବା ଛୁଟିଦିନରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର