ବିଶ୍ବକୁ ପୁଣି ମାନ୍ଦାବସ୍ଥା ଭୟ

ଆଇଏମ୍ଏଫ୍, ବିଶ୍ବବ୍ୟାଙ୍କର ପୂର୍ବାନୁମାନ

ନୂଆଦିଲ୍ଲୀ : ଦରଦାମ ନିୟନ୍ତ୍ରଣକୁ ଆସୁନଥିବାରୁ ବିଶ୍ବର ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବାରମ୍ବାର ସୁଧ ବଢ଼ାଉଥିବାରୁ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସ୍ଥିତି ଯେଉଁଭଳି ଗତି କରୁଛି ଯଦି ସେହି ଧାରା ଜାରି ରହିବ ତେବେ ଆସନ୍ତା ବର୍ଷ ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିବ ବୋଲି ବିଶ୍ବବ୍ୟାଙ୍କ ରିପୋର୍ଟରେ ଆକଳନ କରାଯାଇଛି। ଉତ୍ପାଦନ ବଢ଼ାଇବା ସହ ଯୋଗାଣ ଶୃଙ୍ଖଳରେ ଯେଉଁ ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ କରି ଦରଦାମ୍ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଉଦ୍ୟମ କରିବାକୁ ରିପୋର୍ଟରେ ସବୁ ଦେଶକୁ ପରାମର୍ଶ ଦିଆଯାଇଛି। ୧୯୭୦ ପରେ ବିଶ୍ବ ଅର୍ଥନୀତି ସବୁଠୁ ବଡ଼ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି ବୋଲି ଏଥିରେ କୁହାଯାଇଛି। ଆମେରିକା, ୟୁରୋପଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ବଢ଼ାଉଛନ୍ତି। ଏହା ନିବେଶକୁ ସଙ୍କୁଚିତ କରିଥିବା ବେଳେ ନିଯୁକ୍ତି ହ୍ରାସ କରୁଛି ଏବଂ ଅଭିବୃଦ୍ଧିରେ ହ୍ରାସର କାରଣ ହେଉଛି। ଯଦି ଏହି ଧାରା ବଜାୟ ରହିବ ତେବେ ଉଦୀୟମାନ ଓ ବିକାଶଶୀଳ ଦେଶଗୁଡ଼ିକର ଅବସ୍ଥା ବହୁତ ଖରାପ ହେବ ବୋଲି ବିଶ୍ବବ୍ୟାଙ୍କର ସଭାପତି ଡେଭିଡ୍ ମାଲପାସ୍‌ କହିଛନ୍ତି।

ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି ବୋଲି ଗତକାଲି ଆଇଏମ୍ଏଫ୍ ପକ୍ଷରୁ କୁହାଯାଇଛି। ଚତୁର୍ଥ ତ୍ରୈମାସିକରୁ ମାନ୍ଦାବସ୍ଥା ଆରମ୍ଭ ହେବ ବୋଲି ଏଥିରେ ଆକଳନ କରାଯାଇଥିଲା। ବିଶ୍ବବ୍ୟାଙ୍କ ଯେଉଁ ସବୁ କାରଣଗୁଡ଼ିକ ବର୍ଣ୍ଣନା କରିଛି ଆଇଏମ୍ଏଫ୍‌ ମଧ୍ୟ ସେହି ସବୁ କାରଣଗୁଡ଼ିକ କହିଥିଲା। ବିଶ୍ବ ଅର୍ଥନୀତି ପାଇଁ ଆଇଏମ୍ଏଫ୍‌ ଏହାର ପୂର୍ବାନୁମାନକୁ ବଦଳାଇ ୨୦୨୩ ପାଇଁ ୩.୯%କୁ ହ୍ରାସ କରିଛି।

ସେନ୍‌ସେକ୍ସରେ ୧,୧୦୦ ପଏଣ୍ଟ୍‌ ହ୍ରାସ, ନିବେଶକ ହରାଇଲେ ୬ ଲକ୍ଷ କୋଟି
ମୁମ୍ବାଇ : ବିଶ୍ବ ଅର୍ଥନୀତି ପ୍ରତି ଘୋର ମାନ୍ଦାବସ୍ଥା ବିପଦ ଥିବା ନେଇ ବିଶ୍ବର ଦୁଇ ପ୍ରମୁଖ ସଂସ୍ଥା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଓ ବିଶ୍ବବ୍ୟାଙ୍କ ଆକଳନ କରିବା ପରେ ସାରା ବିଶ୍ବର ଷ୍ଟକ ବଜାର ନିବେଶକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏହାର ପ୍ରଭାବ ଆଜି ଭାରତର ଦୁଇ ଷ୍ଟକ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ରେ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ସେନ୍‌ସେକ୍ସ ୧୦୯୩ ପଏଣ୍ଟ ହ୍ରାସ ପାଇ ୫୮,୮୪୦ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ନିବେଶକମାନେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ନିଫ୍‌ଟି ୩୪୬ ପଏଣ୍ଟ୍‌ ହ୍ରାସ ପାଇ ୧୭,୫୩୦ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର