ଭୁବନେଶ୍ବର: କେନ୍ଦ୍ର ସରକାର ଓଡ଼ିଶାରେ ଛଅଟି ଅନ୍ତର୍ଦେଶୀୟ ଜଳପଥ ବିକାଶ କରୁଛନ୍ତି। ରାଜ୍ୟସଭାରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ କର୍ତ୍ତୃପକ୍ଷ (ଆଇଡବ୍ଲ୍ୟୁଏଆଇ) ସହଯୋଗରେ ଏହି ପ୍ରକଳ୍ପଗୁଡ଼ିକୁ ବିକାଶ କରାଯାଉଛି। ତାହା ରାଜ୍ୟରେ ମାଲ ପରିବହନ ଓ ନଦୀରେ କ୍ରୁଜ୍ ପର୍ଯ୍ୟଟନକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଚିଲିକା ହ୍ରଦର ବିକାଶ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ତାହା ହେଉଛି ରାଜ୍ୟ ସରକାରଙ୍କ ବ୍ୟାପାର। କିନ୍ତୁ, ଯଦି ରାଜ୍ୟ ସରକାର ଚାହିବେ, ତେବେ ଆଇଡବ୍ଲ୍ୟୁଏଆଇ ଜରିଆରେ କେନ୍ଦ୍ର ସରକାର ବୈଷୟିକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ବ୍ରାହ୍ମଣୀ ଓ ମହାନଦୀ ଡେଲ୍ଟା ଓ ପୂର୍ବତଟ କେନାଲରେ ଜାତୀୟ ଜଳପଥ (ଏନ୍ଡବ୍ଲ୍ୟୁ)-୫, ବ୍ରାହ୍ମଣୀ ନଦୀରେ ଏନ୍ଡବ୍ଲ୍ୟୁ-୧୪, ବିରୂପା-ଗେଙ୍ଗୁଟି-ବ୍ରାହ୍ମଣୀ ନଦୀରେ ଏନ୍ଡବ୍ଲ୍ୟୁ-୨୨, ବୁଢ଼ାବଳଙ୍ଗ ନଦୀରେ ଏନ୍ଡବ୍ଲ୍ୟୁ-୨୩, ମହାନଦୀରେ ଏନ୍ଡବ୍ଲ୍ୟୁ-୬୪ ଓ ସୁବର୍ଣ୍ଣରେଖା ନଦୀରେ ଏନ୍ଡବ୍ଲୁ-୯୬ ବିକାଶ କରାଯାଉଛି। ଓଡ଼ିଶାରେ ବନ୍ଦର, ଟର୍ମିନାଲ୍, ଡକ୍ ଓ ଦିଗ ନିର୍ଣ୍ଣୟ ବ୍ୟବସ୍ଥା ଆଦି ବ୍ୟାପକ ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଉପରେ କେନ୍ଦ୍ର ସରକାର କାମ କରୁଥିବା ସେ କହିଛନ୍ତି। ସେ ଜଣାଇଛନ୍ତି ଯେ ଜାତୀୟ ଜଳପଥ-୫ ତାଳଚେର ଅଞ୍ଚଳର କୋଇଲା ପରିବହନ ଏବଂ ପଙ୍କପାଳ ଶିଳ୍ପାଞ୍ଚଳକୁ ସଂଯୋଗ ପ୍ରଦାନ କରିବାରେ ସହାୟକ ହେବ। ବୈତରଣୀ ନଦୀରେ ଭିତରକନିକା ଜଙ୍ଗଲ ପାଖରେ ଜାତୀୟ ଜଳପଥ-୧୪ରେ ନଦୀ କ୍ରୁଜ୍ ପର୍ଯ୍ୟଟନ ପାଇଁ ଜେଟି ବିକାଶ କରାଯାଉଛି। ବିରୂପା-ଗେଙ୍ଗୁଟି-ବ୍ରାହ୍ମଣୀ ନଦୀର ଜାତୀୟ ଜଳପଥ-୨୨ ହୀରକ ତ୍ରିଭୂଜ ଭାବେ ପରିଚିତ ରତ୍ନଗିରି-ଉଦୟଗିରି-ଲଳିତଗିରିକୁ ସଂଯୋଗ ପ୍ରଦାନ କରିବ।
ବୁଢାବଳଙ୍ଗ ନଦୀରେ କ୍ରୁଜ୍ ଚଳାଚଳ ବ୍ୟବସ୍ଥା କରାଯାଉଛି। ଚାନ୍ଦିପୁର ବେଳାଭୂମିରୁ ବାଲେଶ୍ବର ସହର ପର୍ଯ୍ୟନ୍ତ ଏହା ସଂଯୋଗ ପ୍ରଦାନ କରିବ। ମହାନଦୀର ଜାତୀୟ ଜଳପଥ-୬୪ରେ ୨୦୦୦ ଡିଡବ୍ଲ୍ୟୁଟି କ୍ଷମତାର ଜାହାଜ ଚଳାଚଳ କରିବା ଲାଗି ବ୍ୟବସ୍ଥା କରାଯାଉଛି। ଏଥିରେ ବାହାକୁଦରୁ ମୁଷାଡିଆ ପର୍ଯ୍ୟନ୍ତ ଯାତ୍ରୀବାହୀ ଫେରି ଚଳାଚଳ କରିବ। ସୁବର୍ଣ୍ଣରେଖାର ଜାତୀୟ ଜଳପଥ-୯୬ରେ ପଣ୍ଟେଇଘାଟରୁ ବିଚିତ୍ରପୁର ହେନ୍ତାଳବଣ ଓ ଭୁଷଣ୍ଡେଶ୍ବର ମନ୍ଦିର ତଥା ଦୀଘା ବେଳାଭୂମିକୁ ଭାସମାନ ଜେଟି ଜରିଆରେ ସଂଯୋଗ ପ୍ରଦାନ କରିବା ଲାଗି ବ୍ୟବସ୍ଥା ହେଉଛି ବୋଲି ମନ୍ତ୍ରୀ ସୋନାୱାଲ କହିଛନ୍ତି।