ସେଣ୍ଟ୍ରାଲ୍‌ ବ୍ୟାଙ୍କ, ଆଇଓବିର ଘରୋଇକରଣ ହେବ! ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ବିକ୍ରି ପାଇଁ ମଧ୍ୟ ଯୋଜନା

ନୂଆଦିଲ୍ଲୀ: ଘରୋଇକରଣ ଲାଗି ନିତି ଆୟୋଗ ଯେଉଁ ଦୁଇଟି ବ୍ୟାଙ୍କର ନାମ ସୁପାରିସ କରିଛି ତାହା ହେଉଛି ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍‌ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ (ଆଇଓବି)। ଚଳିତ ଆ‌ର୍ଥିକ ବର୍ଷର ବଜେଟ୍‌ରେ ଦୁଇଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ଏହି ତିନି ସଂସ୍ଥା ଚିହ୍ନଟ କରିବାର ଦାୟିତ୍ବ ନିତି ଆୟୋଗକୁ ଦିଆଯାଇଥିଲା। ଯେତେ‌ ସବୁ ସରକାରୀ ସଂସ୍ଥାର ଘରୋଇକରଣ ଓ ମିଶ୍ରଣ ହେଉଛି ନିତି ଆୟୋଗ ତାହାର ସୁପାରିସ କରିଥାଏ। କିିଛି ଦିନ ତଳେ ଆୟୋଗ ତରଫରୁ ଦୁଇଟି ବ୍ୟାଙ୍କର ନାମ ସୁପାରିସ କରାଯାଇଥିଲା।

ତାହା ସେଣ୍ଟ୍ରାଲ୍ ବ୍ୟାଙ୍କ ଓ ଆଇଓବି ବୋଲି କୁହାଯାଉଛି। ଅବଶ୍ୟ ସରକାର ଏପର୍ଯ୍ୟନ୍ତ ଏବିଷୟରେ କିଛି ବି ସ୍ପଷ୍ଟ କରିନାହାନ୍ତି।ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ସେଣ୍ଟ୍ରାଲ୍ ବ୍ୟାଙ୍କ ଓ ଆଇଓବିର ଘରୋଇକରଣ ହେବ। ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ବିକ୍ରି କରାଯିବ। ‌ତେବେ ଏଥିପାଇଁ ପ୍ରଥମେ ଦିପମ୍ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏହି ପ୍ରସ୍ତାବ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମଧ୍ୟ ଆଲୋଚନା କରାଯିବ। ଏହା ପରେ ଜଣାପଡ଼ିବ କେବେ ସୁଦ୍ଧା ଦୁଇ ବ୍ୟାଙ୍କର ଘରୋଇକରଣ ହେବ।

ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରିବା କିମ୍ବା ଘରୋଇକରଣ ନିଷ୍ପତ୍ତି ‌ନେବା ଏକ ଜଟିଳ ପ୍ରକ୍ରିୟା। କ୍ୟାବିନେଟ୍ ସଚିବଙ୍କ ନେତୃତ୍ବରେ ଗଠିତ ସଚିବମାନଙ୍କ କୋର୍ ଗ୍ରୁପ୍ ପ୍ରଥମେ ସୁପାରିସ କରାଯାଇଥିବା ନାମକୁ ମଞ୍ଜୁରି ପ୍ରଦାନ କରନ୍ତି। ଏହା ପରେ ମଞ୍ଜୁରି ପାଇଁ ତାହା ଅଲ୍‌ଟରନେଟିଭ୍ ମେକାନିଜମ୍ ପାଖକୁ ଯାଇଥାଏ। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ସେହି ପ୍ରସ୍ତାବକୁ ଉପସ୍ଥାପନ କରାଯାଇଥାଏ। ‌ବୈଠକରେ ମଞ୍ଜୁରି ମିଳିବା ପରେ ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହୁଏ। ପୁଞ୍ଜି ପ୍ରତ୍ୟାହାରରୁ ଚଳିତ ଆର୍ଥିକ ବର୍ଷରେ ୧.୭୫ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏବର୍ଷ ଏୟାର ଇଣ୍ଡିଆ, ବିପିସିଏଲ୍‌, ସିପିଙ୍ଗ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ ଆଦିକୁ ବିକ୍ରି କରିବାକୁ ଉଦ୍ୟମ କରାଯାଉଛି। ଏହା ବ୍ୟତୀତ ଏଲ୍‌ଆଇସିର ଆଇପିଓ ଆଣିବାର ମଧ୍ୟ ଯୋଜନା ରହିଛି। ବଜେଟ୍‌ରେ କରାଯାଇଥିବା ଘୋଷଣା ଅନୁସାରେ ଦୁଇ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିରୁ ମଧ୍ୟ ପୁଞ୍ଜିପ୍ରତ୍ୟାହାର କରାଯିବ।

ଗତ ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ କରି କିଛି ବଡ଼ ବ୍ୟାଙ୍କ ସୃଷ୍ଟି କରାଯାଇଥିଲା। ସେହି ସମୟରେ ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା ସେଥିରେ ସେଣ୍ଟ୍ରାଲ୍ ବ୍ୟାଙ୍କ, ଆଇଓବି, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କକୁ ବାଦ ଦିଆଯାଇଥିଲା। ସେହି ସମୟରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମିଶ୍ରଣ କରାଯାଇଥିଲା। ସେହିପରି, କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ବ୍ୟାଙ୍କ ସହ ଆହ୍ଳାବାଦ ବ୍ୟାଙ୍କର ମିଶ୍ରଣ ହୋଇଥିଲା। ଏହା ପୂର୍ବରୁ ବ୍ୟାଙ୍କ ଅଫ୍‌ ବରୋଦା ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇଥିଲା।

ସମ୍ବନ୍ଧିତ ଖବର