କର୍ପୋରେଟ୍‌ ଗଭର୍ଣ୍ଣାସ୍‌ରେ ବି ସମସ୍ୟା: ତଥ୍ୟ ଲୁଚାଉଥିବା ବ୍ୟାଙ୍କକୁ ନେଇ ଶକ୍ତିକାନ୍ତ ଚିନ୍ତିତ

ଭୁବନେଶ୍ବର: କିଛି ବ୍ୟାଙ୍କ ଅନାଦେୟ ଋଣ ବା ଏନ୍‌ପିଏର ସଠିକ୍ ତଥ୍ୟ ଦେଉନାହାନ୍ତି। ‌ତଥ୍ୟ ଲୁଚାଉଥିବା ସେଭଳି କିଛି ବ୍ୟାଙ୍କକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡ୍‌ଲାଇନ୍ ଜାରି କରିଥିଲେ ମଧ୍ୟ କିଛି ବ୍ୟାଙ୍କ କର୍ପୋରେଟ୍ ଗଭର୍ଣ୍ଣାସ୍‌ ନିୟମକୁ ବି ଠିକ୍ ଭାବେ ପାଳନ କରୁନାହାନ୍ତି। ‌ଏହା ଦ୍ବାରା ବ୍ୟାଙ୍କ ବ୍ୟବସ୍ଥା ଅସ୍ଥିର ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ତେବେ ସେ କୌଣସି ନିର୍ଦିଷ୍ଟ ବ୍ୟାଙ୍କର ନାମ ନେଇନାହାନ୍ତି।

ଶକ୍ତିକାନ୍ତ କହିଛନ୍ତି ଯେ ଯେତେବେଳେ ସବୁ କିଛି ଠିକ୍‌ଠାକ୍‌ ଚାଲୁଥାଏ ସେହି ସମୟରେ କର୍ପୋରେଟ୍‌ ଗଭର୍ଣ୍ଣାସ୍‌ରେ ଦେଖାଦେଉଥିବା ତ୍ରୁଟିକୁ ଅଣଦେଖା କରାଯାଉଛି। ବ୍ୟାଙ୍କର ନିର୍ଦେଶକ ବୋର୍ଡ ଓ ପରିଚାଳନା କର୍ତ୍ତୃପକ୍ଷ ଏହା ଉପରେ ନଜର ରଖିବାର ଆବଶ୍ୟକତା‌ ରହିଛି ବୋଲି ସେ କହିଛନ୍ତି। ଭାରତର ବ୍ୟାଙ୍କ ବ୍ୟବସ୍ଥା ବେଶ ଦୃଢ଼ ଓ ସ୍ଥିର ବୋଲି କହିବା ସହ ଶକ୍ତିକାନ୍ତ କହିଛନ୍ତି ଯେ ବ୍ୟାଙ୍କ ଶିଳ୍ପରେ କ୍ୟାପିଟାଲ୍‌ ଟୁ ରିସ୍କ ବେସଡ୍‌ ରେସିଓ (ସିଆର୍‌ଏଆର୍‌) ୧୬.୧ ପ୍ରତିଶତ ଥିବା ବେଳେ ଏନ୍‌ପିଏ ହାର ୪.୪୧ ପ୍ରତିଶତ, ନିଟ୍ ଏନ୍‌ପିଏ ୧.୧୬ ପ୍ରତିଶତ ଏବଂ ପ୍ରୋଭିଜନିଂ କଭରେଜ୍ ୭୩.୨୦ ପ୍ରତିଶତ ରହିଛି। ବ୍ୟାଙ୍କର ବ୍ୟବସାୟ ରଣନୀତି, ଆର୍ଥିକ ରିପୋର୍ଟ ଓ ତାହାର ସତ୍ୟତା, ବିପଦ ଆକଳନ, ନିୟମ ପାଳନ, ଗ୍ରାହକଙ୍କୁ ସୁରକ୍ଷା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ମାନବ ସମ୍ବଳ ଭଳି ସାତଟି ବି‌ଷୟ ଉପରେ ଜୋର ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର