ନୋଟ୍‌ ଛପାଇବା ଯୋଜନା ନାହିଁ

ନୂଆଦିଲ୍ଲୀ: କରୋନା ମହାମାରୀରୁ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟର ମୁକାବିଲା ଲାଗି ଅଧିକ ନୋଟ୍‌ ଛପାଇବାର କୌଣସି ଯୋଜନା ନାହିଁ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଛନ୍ତି। ଅର୍ଥନୀତିକୁ ସଙ୍କଟରୁ ଉଦ୍ଧାର କରିବା ଓ ଜୀବନଜୀବିକାର ସୁରକ୍ଷା ଲାଗି ଅଧିକ ଟଙ୍କା ଛପାଇ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଅନେକ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ, ତାହାକୁ ଗ୍ରହଣ କରିବା ସପକ୍ଷରେ ସରକାର ନଥିବା ଜଣାପଡ଼ିଛି।

ଲୋକସଭାରେ ଆଜି ଅର୍ଥନୀତି ଉପରେ ଲିଖିତ ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ୭.୩% ହ୍ରାସ ପାଇଛି। ମହାମାରୀର ମୁକାବିଲା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସତ୍ତ୍ବେ ଅର୍ଥନୀତିରେ ଏଭଳି ହ୍ରାସ ଘଟିଛି। ମାତ୍ର ଅର୍ଥନୀତିର ମୂଳଦୁଆ ଏବେବି ଦୃଢ଼ ରହିଛି ଏବଂ ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ସେଥିରେ ସୁଧାର ଧାରା ଜାରି ରହିଛି। ଆତ୍ମନିର୍ଭର ଭାରତ ମିସନ ହିଁ ୨୦୨୦-୨୧ ଆର୍ଥିକ ବର୍ଷର ଦ୍ବିତୀୟ ଭାଗରେ ଅର୍ଥନୀତିକୁ ସୁଧାର ପଥରେ ସ୍ଥାନିତ କରିଥିଲା ବୋଲି ସେ କହିଛନ୍ତି। କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ୨୯.୮୭ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଘୋଷଣା କରିଛନ୍ତି।

ଅର୍ଥନୀତିରେ ସୁଧାର ଆଣିବା ଲାଗି ଚଳିତ ଆର୍ଥିକ ବର୍ଷର ବଜେଟ୍‌ରେ ମଧ୍ୟ ଅନେକ ବ୍ୟବସ୍ଥା କରାଯାଇଛି। ପୁଞ୍ଜି ବ୍ୟୟରେ ୩୪.୫ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ସ୍ବାସ୍ଥ୍ୟ ବ୍ୟୟକୁ ୧୩୭ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୨୧ ଜୁନ୍‌ରେ କେନ୍ଦ୍ର ସରକାର ୬.୨୯ ଲକ୍ଷ କୋଟି ଟଙ୍କାର ଏକ ସ୍ବତନ୍ତ୍ର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ ଯାହାର ମୂଳ ଲକ୍ଷ୍ୟ ଥିଲା ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ଼ କରିବା ଏବଂ ଅଭିବୃଦ୍ଧି ଓ ନିଯୁକ୍ତି କ୍ଷେତ୍ରକୁ ବଳ ପ୍ରଦାନ କରିବା। ଅର୍ଥନୀତି ଉପରେ ମହାମାରୀର ଦ୍ବିତୀୟ ଲହର ପ୍ରଭାବ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ କଟକଣା ଏବଂ ଦ୍ରୁତ ଗତିରେ ଟିକାକରଣ କରାଯାଇଥିବାରୁ ଏଥର ପ୍ରଭାବ କମ୍ ରହିବ।

ସମ୍ବନ୍ଧିତ ଖବର