ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ହ୍ରାସ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି। କିଛି ମାସ ତଳେ ୧୦ଟି ସରକାରୀ ବ୍ୟାଙ୍କର ମିଶ୍ରଣ କରି ଚାରିଟି ବଡ଼ ବ୍ୟାଙ୍କ ସୃଷ୍ଟି କରାଯାଇଥିଲା। ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ହ୍ରାସ ପାଇ ୧୨ରେ ପହଞ୍ଚିଛି। ଖୁବ୍ଶୀଘ୍ର ଏହି ସଂଖ୍ୟା ୫କୁ ହ୍ରାସ ପାଇବ ବୋଲି କୁହାଯାଉଛି। ଆଉ କିଛି ସରକାରୀ ବ୍ୟାଙ୍କର ଘରୋଇକରଣ କରିବା ଉପରେ ସରକାର ବିଚାର କରୁଛନ୍ତି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କର ଅଂଶଧନକୁ ବିକ୍ରି କରାଯିବ ବୋଲି କୁହାଯାଉଛି। ଫଳରେ ଏହି ବ୍ୟାଙ୍କଗୁଡ଼ିକର ଘରୋଇକରଣ ସୁବିଧାରେ କରାଯାଇପାରିବ। ଦେଶରେ ମାତ୍ର ୪-୫ଟି ବଡ଼ ସରକାରୀ ବ୍ୟାଙ୍କ ରହିବ। ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଘରୋଇକରଣକୁ ନେଇ ସରକାର ଏକ ନୂଆ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି। ବ୍ୟାଙ୍କ କ୍ଷେତ୍ରକୁ ନେଇ ସେଥିରେ ଏଭଳି ଯୋଜନା ରହିଛି। ଖୁବ୍ଶୀଘ୍ର ତାହାକୁ କ୍ୟାବିନେଟ୍ କମିଟିର ଅନୁମୋଦନ ଲାଗି ଉପସ୍ଥାପନ କରାଯିବ। ଅବଶ୍ୟ ଏ ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ମୁହଁ ଖୋଲୁନାହିଁ।
ଏବେ ଦେଶରେ ଥିବା ୧୨ଟି ସରକାରୀ ବ୍ୟାଙ୍କ ରହିଛି। ସେଥିରୁ ଛଅଟି ବ୍ୟାଙ୍କକୁ ମିଶ୍ରଣ ଜରିଆରେ ଗଠନ କରାଯାଇଥିବା ବେଳେ ଅନ୍ୟ ଛଅଟି ସ୍ବାଧୀନ ସରକାରୀ ବ୍ୟାଙ୍କ ରହିଛି। ୨୦୧୦ ଅଗଷ୍ଟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ଏହାର ସମସ୍ତ ସହଯୋଗୀ ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ବିକାନେର୍ ଆଣ୍ଡ ଜୟପୁର, ଷ୍ଟେଟ୍ ବ୍ୟାଙ୍କ ଅଫ୍ ମହୀଶୂର, ଷ୍ଟେଟ୍ ବ୍ୟାଙ୍କ ଅଫ୍ ପଟିଆଲା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାଙ୍କୋର୍ ଓ ଭାରତୀୟ ମହିଳା ବ୍ୟାଙ୍କର ମିଶ୍ରଣ କରାଯାଇଥିଲା। ୨୦୧୮ରେ ବ୍ୟାଙ୍କ ଅଫ୍ ବରୋଦା ସହ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ହୋଇଥିଲା। ଗତ ବର୍ଷ ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ଚାରିଟି ବଡ଼ ବ୍ୟାଙ୍କ ଗଠନ କରାଯାଇଛି। ଆହ୍ଲାବାଦ ବ୍ୟାଙ୍କ ସହ ଇଣ୍ଡିଆନ୍ ବ୍ୟାଙ୍କ; ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସହ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ୍ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ ହୋଇଛି।
କରୋନା ସଙ୍କଟ ଦ୍ବାରା ପ୍ରଭାବିତ ହୋଇଥିବା ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ନଥିବା ସମ୍ପତ୍ତିଗୁଡ଼ିକୁ ବିକ୍ରି କରି ସେଥିରୁ ପାଣ୍ଠି ହାସଲ କରିବାର ଯୋଜନା ରହିଛି। ଘରୋଇକରଣ ଜରିଆରେ ବିପୁଳ ରାଜସ୍ବ ହାସଲ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରତ ଭଳି ଦେଶରେ ପାଞ୍ଚରୁ ଅଧିକ ସରକାରୀ ବ୍ୟାଙ୍କ ରହିବା ଦରକାର ନାହିଁ ବୋଲି ଅତୀତରେ ସରକାର ଗଠନ କରିଥିବା ଅନେକ କମିଟି ଓ ଏଭଳିକି ଭାରତୀୟ ରିଜର୍ଭ ବ୍ୟାଙ୍କ ସୁପାରିସ୍ କରିଥିଲେ। ସରକାରୀ ବ୍ୟାଙ୍କ ମଧ୍ୟରେ ଆଉ କୌଣସି ମିଶ୍ରଣ ହେବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ତେଣୁ ସରକାରଙ୍କ ପାଖରେ ଏବେ ଗୋଟିଏ ବିକଳ୍ପ ରହିଛି। ତାହା ହେଉଛି ସରକାରୀ ବ୍ୟାଙ୍କଗୁଡ଼ିକରେ ଥିବା ନିଜ ଅଂଶଧନକୁ ବିକ୍ରି କରି ଘରୋଇକରଣ କରିବା। ମିଶ୍ରଣ ହୋଇନଥିବା ବ୍ୟାଙ୍କଗୁଡ଼ିକର ଅଂଶଧନ ବିକ୍ରି କରିବା ପ୍ରତି ସରକାର ପ୍ରାଥମିକତା ଦେବେ। ଚଳିତ ବର୍ଷ ପାଇଁ ସରକାର ଘରୋଇକରଣକୁ ନେଇ ଯେଉଁ ଯୋଜନା ରଖିଥିଲେ ତାହା ଆଗକୁ ବଢ଼ିନାହିଁ। କରୋନା ସଙ୍କଟ ପ୍ରଭାବରେ ପୁଞ୍ଜି ବଜାର ସ୍ଥିତି ପ୍ରତିକୂଳ ରହିଥିବାରୁ ପୁଞ୍ଜିପ୍ରତ୍ୟାହାର ଯୋଜନାକୁ ଅଟକାଇ ଦିଆଯାଇଛି। କରୋନା ସଙ୍କଟ ପ୍ରଭାବରେ ଅନାଦେୟ ଋଣ (ଏନ୍ପିଏ) ପରିମାଣ ଦ୍ବିଗୁଣିତ ହେବ ବୋଲି ଆଶଙ୍କା ପ୍ରକଟ କରାଯାଇଛି। ବର୍ତ୍ତମାନ ସରକାରୀ ବ୍ୟାଙ୍କଗୁଡ଼ିକର ମୋଟ ଏନ୍ପିଏ ପ୍ରାୟ ସାଢ଼େ ନଅ ଲକ୍ଷ କୋଟି ଟଙ୍କା ରହିଛି। ଏହା ଯଦି ଦ୍ବିଗୁଣିତ ହେବ ତେବେ ସରକାରଙ୍କୁ ବ୍ୟାଙ୍କଗୁଡ଼ିକୁ ୨୦୦୦ କୋଟି ଡଲାର ପୁଞ୍ଜି ଦେବାକୁ ପଡ଼ିବ।
ସରକାରୀ ବୀମା କଂପାନିର ଘରୋଇକରଣ ହେବ
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବୀମା କଂପାନିଗୁଡ଼ିକର ଘରୋଇକରଣ ଉପରେ ମଧ୍ୟ କେନ୍ଦ୍ର ସରକାର ବିଚାର କରୁଥିବା ଜଣାପଡ଼ିଛି। ଭାରତୀୟ ଜୀବନବୀମା ନିଗମ (ଏଲ୍ଆଇସି)କୁ ବାଦ ଦେଇ ଅନ୍ୟ ରାଷ୍ଟ୍ରାୟତ୍ତ ବୀମା କଂପାନିଗୁଡ଼ିକର ଘରୋଇକରଣ କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ), ଅର୍ଥ ମନ୍ତ୍ରଣାଳୟ ଓ ନିତି ଆୟୋଗ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ବୀମା କଂପାନିଗୁଡ଼ିକରେ ସରକାରଙ୍କ ଥିବା ଅଂଶଧନକୁ ସମ୍ପୂର୍ଣ୍ଣ ବିକ୍ରି କରିବା ଉପରେ ବିଚାର କରାଯାଉଛି। ବୀମା କଂପାନିଗୁଡ଼ିକର ଘରୋଇକରଣ ଲାଗି ନିଷ୍ପତ୍ତି ହୋଇସାରିଛି ଏବଂ କ୍ୟାବିନେଟ୍ ନୋଟ୍ ମଧ୍ୟ ପ୍ରସ୍ତୁତ ହୋଇସାରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Reserve-bank-of-India-770x433.jpg)