ମାସିକ ୪୨ ଟଙ୍କା ନିବେଶରେ ଆଜୀବନ ପେନସନ୍‌, ଆୟକର ରିହାତି ବି ଅଛି

ନୂଆଦିଲ୍ଲୀ: ଅବସର ପରେ ରୋଜଗାର ଚିନ୍ତା ଅନେକ ଲୋକଙ୍କୁ ଘାରିଥାଏ। ସମସ୍ତେ ଚାକିରି କରି ନଥିବାରୁ ଏବଂ ‌ଏପରିକି ଚାକିରି କରିଥିବା ସବୁ ବ୍ୟକ୍ତିମାନଙ୍କ ପାଇଁ ପେନସନ୍‌ ସୁବିଧା ନଥିବାରୁ ଲୋକମାନେ ବୃଦ୍ଧାବସ୍ଥାରେ କିଭଳି ଚଳିବେ ତାହାକୁ ନେଇ ଚିନ୍ତିତ ଥାନ୍ତି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଯୋଜନା ରହିଛି। ମାସିକ ମାତ୍ର ୪୨ ଟଙ୍କା ନିବେଶ କରି ଜଣେ ୬୦ ବର୍ଷ ପରେ ମାସିକ ପେନସନ୍‌ ପାଇପାରିବେ। ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୮ ବର୍ଷ ବୟସରୁ ମାସିକ ଏହି ରାଶି ନିବେଶ କରିବାକୁ ହେବ। ଅଟଳ ପେନସନ୍‌ ଯୋଜନାରେ ଲୋକଙ୍କୁ ଏହି ସୁବିଧା ମିଳୁଛି। ବୟସ ବଢ଼ିଲେ ନିବେଶ ରାଶି ବଢ଼ିଯିବ। ପେନସନ୍‌ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍‌ଆର୍‌ଡିଏ)ର ସୂଚନା ଅନୁଯାୟୀ ଅଟଳ ପେନସନ୍ ଯୋଜନାରେ ସାମିଲ ହୋଇଥିବା ଲୋକଙ୍କ ସଂଖ୍ୟା ଅଢ଼େଇ କୋଟି ପାଖାପାଖି ପହଞ୍ଚିଲାଣି। ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ଏହି ଯୋଜନାରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୮୨ କୋଟି ଥିବାବେଳେ ଚଳିତବର୍ଷ ଅକ୍ଟୋବରରେ ଏହା ୨.୪୫ କୋଟିରେ ପହଞ୍ଚିଛି। ଉକ୍ତ ଯୋଜନାରେ ଭାରତର ୧୮ ବର୍ଷରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତି ସାମିଲ ହୋଇପାରିବେ। ଯୋଜନାରେ ସର୍ବନିମ୍ନ ୨୦ ବର୍ଷ ନିବେଶ କରିବାକୁ ହେବ। ଜଣେ ୧୮ ବର୍ଷର ବ୍ୟକ୍ତି ମାସିକ ଯଦି ୪୨ ଟଙ୍କା ନିବେଶ କରନ୍ତି ତାହେଲେ ତାଙ୍କୁ ୬୦ ବର୍ଷ ପରେ ଯେଭଳି ୧୦୦୦ ଟଙ୍କାର ପେନସନ୍‌ ମିଳିବ ସେହିପରି ୮୪ ଟଙ୍କା ନିବେଶରେ ମାସିକ ୨୦୦୦ ଟଙ୍କା, ୧୨୬ ଟଙ୍କା ନିବେଶରେ ୩୦୦୦ ଟଙ୍କା, ୧୬୮ ଟଙ୍କା ନିବେଶରେ ୪୦୦୦ ଟଙ୍କା ଏବଂ ୨୧୦ ଟଙ୍କା ନିବେଶରେ ୫୦୦୦ ଟଙ୍କା ପେନସନ ମିଳିବା ସୁବିଧା ରହିଛି। ବୟସ ବଢ଼ିଲେ ନିବେଶ ରାଶି ବଢ଼ିବ। ଆବେଦନ ସମୟରେ ଜଣେ ବ୍ୟକ୍ତି ପେନସନ କେତେ ଆବଶ୍ୟକ କରୁଛନ୍ତି ସେହି ଅନୁସାରେ ନିବେଶକୁ ଚୟନ କରିବେ। ଉକ୍ତ ଯୋଜନାରେ ସାମିଲ ହେବା ପାଇଁ ‌ସଂପୃକ୍ତ ବ୍ୟକ୍ତିଙ୍କର ବ୍ୟାଙ୍କ କିମ୍ବା ଡାକଘରେ ସଂଚୟ ଖାତା ଥିବା ଆବଶ୍ୟକ। ଏହି ଯୋଜନାର ଅନ୍ୟ ସୁବିଧା ହେଲା ନିବେଶ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପତି/ପତ୍ନୀଙ୍କୁ ମଧ୍ୟ ପେନସନ ଦିଆଯିବା ସୁବିଧା ରହିଛି। କେବଳ ସେତିକି ନୁହେଁ, ଉଭୟଙ୍କ ମୃତ୍ୟୁ ହେଲେ ପେନସନ ପାଣ୍ଠିରେ ଜମା ହୋଇଥିବା ରାଶିକୁ ସଂପୃକ୍ତ ବ୍ୟକ୍ତିଙ୍କ ନୋମିନିଙ୍କୁ ପ୍ରଦାନ କରାଯିବ। ୨୦୧୫ ଜୁନରେ ଦେଶବ୍ୟାପୀ ଏହି ଯୋଜନା ଆରମ୍ଭ ହୋଇଛି।

ଆୟକର ରିହାତି ବି ଅଛି
ନ୍ୟାସନାଲ ପେନସନ୍ ସିଷ୍ଟମ (ଏନପିଏସ୍‌)ରେ ଯେଭଳି ହିତାଧିକାରୀଙ୍କ ପାଇଁ ଟିକସ ରିହାତି ରହିଛି ଅଟଳ ପେନସନ ଯୋଜନା ମଧ୍ୟ ତାହା ପ୍ରଦାନ କରାଯାଉଛି। ଆୟକର ଆଇନର ୮୦ସିସିଡିଡି(୧ବି)ରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ସୁବିଧା ରହିଛି।

ସମ୍ବନ୍ଧିତ ଖବର