ଆଲୁମିନିୟମ୍ ଶିଳ୍ପରେ କୋଇଲାର ଘୋର ଅଭାବ

ଭୁବନେଶ୍ବର: ଦେଶରେ ଦେଖାଦେଇଥିବା କୋଇଲା ସଙ୍କଟ ଆଲୁମିନିୟମ ଶିଳ୍ପକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହି ସମସ୍ୟାର ସମାଧାନ କରିବା ଲାଗି ଭ‌ାରତୀୟ ଆଲୁମିନିୟମ ସଂଘ ପକ୍ଷରୁ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ସଂଘ ପକ୍ଷରୁ ଏନେଇ କୋଇଲା ମନ୍ତ୍ରୀ, ସଚିବ ଓ କୋଲ୍‌ ଇଣ୍ଡିଆର ସିଏମ୍‌ଡିଙ୍କୁ ଚିଠି ଲେଖାଯାଇଛି। ଆଲୁମିନିୟମ୍ ଶିଳ୍ପକୁ ତୁରନ୍ତ କୋଇଲା ଯୋଗାଣ ଆରମ୍ଭ କରିବା ଲାଗି ପଦେକ୍ଷପ ଗ୍ରହଣ କରିବାକୁ ଚିଠିରେ ନିବେଦନ କରାଯାଇଛି। ଶକ୍ତି ସମ୍ବେଦନଶୀଳ ଆଲୁମିନିୟମ୍ ଶିଳ୍ପକୁ ଅଗ୍ରାଧିକାର ଭିତ୍ତିରେ ରେକ୍ ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି।

ଭାରତୀୟ ଆଲୁମିନିୟମ ସଂଘ ପକ୍ଷରୁ କୁହାଯାଇଛି ଯେ ଆଲୁମିନିୟମ୍ ଉତ୍ପାଦ‌‌ନରେ ହେଉଥିବା ୪୦% ଖର୍ଚ୍ଚ କୋଇଲାରେ ବ୍ୟବହାର ହୋଇଥାଏ। ଆଲୁମିନିୟମ୍‌ ସ୍ମେଲଟର ପାଇଁ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ ଜରିଆରେ ଗୁଣାତ୍ମକ ବିଜୁଳି ଦରକାର। କୋଇଲା ପାଇଁ ସିପିପିଗୁଡ଼ିକ କୋଲ୍ ଇଣ୍ଡିଆ ସହିତ ଇନ୍ଧନ ଯୋଗାଣ ବୁଝାମଣା ସ୍ବାକ୍ଷର କରିଛନ୍ତି। ବିଦ୍ୟୁତ କ୍ଷେତ୍ରରେ ଦେଖାଦେଇଥିବା କୋଇଲା ଅଭାବକୁ ଦୂର କରିବା ଲାଗି ଅଣ-ବିଦ୍ୟୁତ କ୍ଷେତ୍ରକୁ କୋଇଲା ଯୋଗାଣ ଉପରେ ରୋକ ଲଗାଇବାର ଯେଉଁ ନିଷ୍ପତ୍ତି ନିକଟରେ ନିଆଯାଇଛି ତାହା ଆଲୁମିନିୟମ୍ ଶିଳ୍ପକୁ ଗଭୀର ଭାବେ ପ୍ରଭାବିତ କରିବ। ଯେହେତୁ ଆଲୁମିନିୟମ୍ ପ୍ଲାଣ୍ଟ୍‌ଗୁଡ଼ିକ ନିରନ୍ତର ଭାବେ ଚାଲିଥାଏ, ତେଣୁ ସେଗୁଡ଼ିକୁ ବନ୍ଦ କରି ପୁଣି ଚାଲୁ କରିବା ଏକ କଷ୍ଟକର ବ୍ୟାପାର। ଦୁଇ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ଯୋଗାଣ ବନ୍ଦ ରହିଲେ ଏଭଳି ସ୍ଥିତି ସୃଷ୍ଟି ହେବ, ଯେଉଁଥିପାଇଁ କାରଖାନାକୁ ୬ ମାସ ବନ୍ଦ କରିବାକୁ ପଡ଼ିବ ଓ କଂପାନିକୁ ବିପୁଳ କ୍ଷତି ସହିବାକୁ ହେବ। ପୁଣି ଥରେ କାରଖାନା ଚାଲୁ କରିବାକୁ ଏକ ବର୍ଷ ସମୟ ଓ ବିପୁଳ ପୁଞ୍ଜିନିବେଶ ଦରକାର ପଡ଼ିବ। ଏହି ଶିଳ୍ପ ସଙ୍କଟରେ ଫସିଲେ ଏଥିରେ କାର୍ଯ୍ୟ କରୁଥିବା ପ୍ରାୟ ଏକ ନିୟୁତ ଲୋକ ଓ ଏହା ସହ ଜଡ଼ିତ ଥିବା ୪୦୦୦ ଏସ୍‌ଏମ୍‌ଇ ପ୍ରଭାବିତ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର